ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତର ଇଂରାଜୀ ବିଭାଗ ଏବଂ ଆଭ୍ୟନ୍ତରୀଣ ଗୁଣବତା ନିଶ୍ଚିତକରଣ ପ୍ରକୋଷ୍ଠ (ଆଇକ୍ୟୁଏସି)ର ମିଳିତ ଆନୁକୂଲ୍ୟରେ “ପଏଟ୍ରି ଏଣ୍ଡ ଦ ଡାଏଲିକ୍ଟିକାଲ ସିମବିଓସିସ୍ ବିଟ୍ୟୁନ ଲିଟେରାରୀ ଟ୍ରାଡିସନ୍ସ” ଶୀର୍ଷକ ଏକଦିବସୀୟ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ଇଂରାଜୀ ଓ ବିଦେଶୀ ଭାଷା ବିଶ୍ୱବିଦ୍ୟାଳୟ (ଇଏଫଏଲୟୁ), ହାଇଦ୍ରାବାଦର ଅବସରପ୍ରାପ୍ତ ପ୍ରଫେସର ପ୍ରଫେସର ଦିଲୀପ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜର ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରଫେସର ଶୈଳେନ୍ଦ୍ର କୁମାର ମହାପାତ୍ର, ପ୍ରଫେସର ବ୍ରଜମୋହନ ମିଶ୍ର, ପ୍ରଫେସର ଗୋଲକ ବିହାରୀ ସାହୁ ଏବଂ ପ୍ରଫେସର ମହେନ୍ଦ୍ର ପ୍ରସାଦ ନାୟକଙ୍କ ଭଳି ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍ଙ୍କ ଉପସ୍ଥିତି ଆଲୋଚନାଚକ୍ରର ଗାରିମା ବୃଦ୍ଧି କରିଥିଲା। ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ରଞ୍ଜନ କୁମାର ବେହେରା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ଆଇକ୍ୟୁଏସି ସଂଯୋଜକ ଡ. ଦେବଦାସ ସାହୁ ମଧ୍ୟ ଉପସ୍ଥିତ ଥିଲେ। ସାହିତ୍ୟିକ ପରମ୍ପରା ଓ କବିତାର ବିଭିନ୍ନ ଅଭିବ୍ୟକ୍ତି ମଧ୍ୟରେ ରହିଥିବା ଆନ୍ତଃସମ୍ପର୍କ ଏବଂ ତାହାର ସମକାଳୀନ ପ୍ରାସଙ୍ଗିକତା ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା। ଏହି ଅବସରରେ ମହାବିଦ୍ୟାଳୟର ସ୍ନାତକୋତର ଇଂରାଜୀ ବିଭାଗର ପୂର୍ବତନ ଛାତ୍ର ତଥା ବାସୁଦେବପୁରସ୍ଥିତ ଏ.ବି. ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଲାଇଙ୍କ ରଚିତ କବିତା ସଂକଳନ ‘ଚିତ୍ରମୋହ’ ମଂଚାସୀନ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସ୍ନାତକୋତର ଇଂରାଜୀ ବିଭାଗର ମୁଖ୍ୟ ଡ. ଅଶୋକ କୁମାର ଦାସ ଏବଂ ବିଭାଗର ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ କାର୍ଯ୍ୟକ୍ରମର ସୁପରିଚାଳନା ଓ ସମନ୍ୱୟ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ଜାତୀୟ ସ୍ତରୀୟ ଆଲୋଚନାଚକ୍ର ମାଧ୍ୟମରେ ମହାବିଦ୍ୟାଳୟରେ ସାହିତ୍ୟ ଚର୍ଚ୍ଚା, ଗବେଷଣା ଓ ଶୈକ୍ଷିକ ଆଦାନ ପ୍ରଦାନର ପରିବେଶ ଅଧିକ ସମୃଦ୍ଧ ହୋଇପାରିଛି।








