ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅଂଚଳରେ ଘରେ ପଶି ଲୁଟ୍ପାଟ ସହ ମହିଳାଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି।ଧାମନଗର ଥାନା ବିଷ୍ଣୁପୁର ଗ୍ରାମରେ ଘଟିଥିବା ଏହି ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର୍ ଧରିଛି। ଏନେଇ ଅନିତା ବେହେରାଙ୍କ ଅଭିଯୋଗ ଆଧାରରେ ଧାମନଗର ପୁଲିସ ମାମଲା ରୁଜୁ କରିଛି।ଅଭିଯୋଗ ଅନୁସାରେ, ଗତ ୯ ତାରିଖ ସକାଳ ପ୍ରାୟ ୭ ଟା ସମୟରେ ପିପ ବେହେରା ତାଙ୍କ ଘରେ ପଶି ଏକ ଭଙ୍ଗା ଟିଣ ବାକ୍ସରୁ ୨୦ ହଜାର ଟଙ୍କା ନେଇଯିବାକୁ ଉଦ୍ୟମ କରିଥିଲେ। ଏହାକୁ ଅନିତା ବିରୋଧ କରିବାରୁ ତାଙ୍କୁ ବାଉଁଶ ବାଡ଼ିରେ ଆକ୍ରମଣ କରିବା ସହ ପିନ୍ଧା ପୋଷାକ ଚିରି ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି। ଏଥିସହ ପ୍ରାୟ ୫୦ ହଜାର ଟଙ୍କା ମୂଲ୍ୟର ସୁନାଚେନ୍ ଛଡ଼ାଇ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆହୁରି ଗୁରୁତର ହୋଇଛି। ପରିବାରକୁ ଜୀବନରୁ ମାରିଦେବା ସହ ଘରେ ନିଆଁ ଲଗାଇଦେବାକୁ ଧମକ ଦିଆଯାଇଥିବା ଅନିତା ଦର୍ଶାଇଛନ୍ତି। ଏହି ଅଭିଯୋଗକୁ ଆଧାର କରି ଧାମନଗର ଥାନାରେ କେସ ନଂ୪୭୯/୨୬ ରେ ବିଏନ୍ଏସ୍ର ଧାରା ୩୨୯(୪), ୨୯୬, ୧୧୫(୨), ୧୧୭(୨), ୩୫୧(୨), ୩୦୩(୨) ଓ ୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ଏଏସ୍?ଆଇ ଶିବଶଙ୍କର ଖିଲାରଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଘରେ ପଶି ଲୁଟ୍ପାଟ, ମହିଳାଙ୍କୁ ଆକ୍ରମଣ ଓ ପରିବାରକୁ ହତ୍ୟା ଧମକ ଭଳି ଅଭିଯୋଗ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି। ପୁଲିସ ତଦନ୍ତରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ସହ ଅଭିଯୋଗର ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।








