Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ରୋକି ହେଉନି ରାଜସ୍ୱ ଦୁର୍ନୀତି, ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ

ଭଦ୍ରକ ଜିଲାରେ ରୋକି ହେଉନି ରାଜସ୍ୱ ଦୁର୍ନୀତି, ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ

17

ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ସୀମା ଲଂଘନ କରିଛି ରାଜସ୍ୱ ଦୁର୍ନିତୀ । ଜମି ଜମା ମାମଲା ଠାରୁ ଆରମ୍ଭ କରି ସୈରାତ ପର୍ଯ୍ୟନ୍ତ ସବୁଠି ବସା ବାନ୍ଧିଛି ଦୁର୍ନିତୀ । ଜମି ଦଲାଲ, ବାଲି ମାଫିଆ ଏବଂ ଚିଙ୍ଗୁଡି ମାଫିଆଙ୍କୁ ହାତବାରିସୀ କରି କୋଟି କୋଟି ଟଙ୍କା ଚଳୁ କରୁଛନ୍ତି ରାଜସ୍ୱ ବିଭାଗର କିଛି ଅସାଧୁ କର୍ମଚାରୀ । ରାଜନୈତିକ ଛତ୍ରଛାୟାତଳେ ଆଶ୍ରିତ ଏହି ଦୁର୍ନିତୀଗ୍ରସ୍ତ କର୍ମଚାରୀଙ୍କ ସକାସେ ବେକାର ସାବ୍ୟସ୍ତ ହୋଇଛି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ । ଏମାନଙ୍କ ପାଇଁ ସରକାରଙ୍କ ସମସ୍ତ ପ୍ରକାର ଚାକିରୀ ନିୟମ ଏବଂ ସର୍ତାବଳୀ ବେକାର ସାବ୍ୟସ୍ତ ହୋଇଛି । ନିର୍ଦ୍ଧିଷ୍ଟ ଅଭିଯୋଗ ମୁଳେ ମଝିରେ ମଝିରେ ପ୍ରଶାସନିକ ସ୍ତରରେ ସେମାନଙ୍କୁ ବଦଳୀ/ନିଲମ୍ଭନ କରାଯାଉଛି । ହେଲେ ରୋକି ହେଉନି ରାଜସ୍ୱ ଦୁର୍ନିତୀ । ରାଜସ୍ୱ ବିଭାଗରେ ବଢି ଚାଲିଥିବା ଏହି ଧରଣର ଦୁର୍ନିତୀ ରୋକିବା ସକାସେ ଗତ ୪ ବର୍ଷ ମଧ୍ୟରେ ଭଦ୍ରକ ଜିଲ୍ଲାପାଳଙ୍କ ପକ୍ଷରୁ ଅନ୍ୟୁନ ୫୦ ରୁ ଉର୍ଦ୍ଧ ଅସାଧୁ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ଭନ କରାଯାଇଛି ହେଲେ ରୋକି ହେଉନି ଦୁର୍ନିତୀ । ଭଦ୍ରକ ଜିଲାରେ ୭ ଗୋଟି ତହସିଲ ଅଧିନରେ ରହିଛି ୭୫ ଗୋଟି ରାଜସ୍ୱ ସର୍କଲ । ଏଥିରେ ନିୟୋଜିତ ହୋଇଛନ୍ତି ଶତାଧିକ ରାଜସ୍ୱ ବିଭାଗ କର୍ମଚାରୀ । ରାଜସ୍ୱ ସର୍କଲ ଗୁଡିକ ଦାୟିତ୍ୱରେ ରହିଛନ୍ତି ବିଭିନ୍ନ ରାଜସ୍ୱ ନୀରିକ୍ଷକ, ସହକାରୀ ରାଜସ୍ୱ ନୀରିକ୍ଷକ ଏବଂ କନିଷ୍ଟ କିରାଣୀ । ଯେଉଁମାନଙ୍କ ହାତରେ ଜିଲାର ରାଜସ୍ୱ ଆଦାୟ ଠାରୁ ଆରମ୍ଭ କରି ଯାବତୀୟ ଜମିଜମା ଏବଂ ରାଜସ୍ୱ ମାମଲା ସଂପାଦନ ହେଉଛି ।

କାର୍ଯ୍ୟର ସ୍ୱଛତା ଏବଂ ସରକାରୀ ନିୟମ ଅନୁଯାଇ ଏହି କର୍ମଚାରୀଙ୍କୁ ପ୍ରତି ୩ ବର୍ଷରେ ଥରେ ଅନ୍ୟତ୍ର ବଦଳୀ କରାଯିବାର ନିୟମ ରହିଛି । ହେଲେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ମାଫିଆ ମାନଙ୍କୁ ହାତ କରି ଏହି କର୍ମଚାରୀ ମାନେ ଗୋଟିଏ ଗୋଟିଏ ଯାଗାରେ ୮/୧୦ ବର୍ଷ ଧରି ପଡି ରହୁଥିଲେ ମଧ୍ୟ ସରକାର ଅଥବା ଜିଲ୍ଲା ପ୍ରଶାସନ ସେମାନଙ୍କ ବଦଳୀର ନାଁ ଧରୁ ନାହାନ୍ତି । ଫଳରେ ଜମି ଦଲାଲ,ବାଲି,ମାଟି ଏବଂ ଇଟା ମାଫିଆଙ୍କ ସହ ସାମିଲ ହୋଇ ଲୁଟ କରୁଛନ୍ତି ସରକାରୀ ରାଜସ୍ୱ । କୁହାଯାଇଛି ଏହି ବାବଦରେ ସରକାର ଯେତିକି ରାଜସ୍ୱ ପାଉଛନ୍ତି ତାହାର ଶହେଭାଗ ଅର୍ଥ ଅସାଧୁ ରାଜସ୍ୱ କର୍ମଚାରୀଙ୍କ ହାତରେ ଚଳୁ ହୋଇ ଯାଉଛି । ସବୁୁଠାରୁ ବଡ କଥା ହେଲା ଲାଂଚ ଘୋଷ ଖାଇ ମଧ୍ୟ ଲୋକଙ୍କ କାମ ହେଉନାହିଁ । ଯାହାର ନଜିର ଏବେ ତହସିଠାରୁ ଆରମ୍ଭ କରି ବିଭିନ୍ନ ରାଜସ୍ୱ ସର୍କଲ ଅଧିନରେ ପଡି ରହିଥିବା ହଜାର ହଜାର ରାଜସ୍ୱ ମାମଲା । ସରକାର କାର୍ଯ୍ୟର ସ୍ୱଛତା ସକାସେ ଅନଲାଇନରେ ଜମିଜମା ମାମଲାର ସମାଧାନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ହେଲେ ଜମି ଜମା ନାମଜାରି ଠାରୁ ଆରମ୍ଭ କରି କିଶମ ପରିବର୍ତ୍ତନ ପର୍ଯ୍ୟନ୍ତ ବିଭିନ୍ନ ତହସିଲରେ ପଡି ରହିଛି ହଜାର ହଜାର ମାମଲା । ଭଦ୍ରକ ଜିଲାର ସମୁଦ୍ର ଉପକୂଳବର୍ତି ବାସୁଦେବପୁର,ଚାନ୍ଦବାଲି ଏବଂ ତିହିଡି ତହସିଲ ପ୍ରତି ସରକାରଙ୍କ ନିଘା ନାହିଁ । ଏହି ଅଂଚଳରେ ବେଆଇନ ଚିଙ୍ଗୁଡିଚାଷ ଏବଂ ନଦୀ-ନାଳ ସୈରାତରେ କୋଟି କୋଟି ଟଙ୍କା କାରବାର ହେଉଥିଲେ ମଧ୍ୟ କିଛି ଅସାଧୁ ରାଜସ୍ୱ କର୍ମଚାରୀଙ୍କ ର ମାଫିଆଙ୍କ ସହ ସଂପୃକ୍ତି ଯୋଗୁ ସରକାରଙ୍କୁ ଏହି ବାବଦକୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଇବାକୁ ପଡୁଥିବା ଜଣାପଡିଛି । ସେହିଭଳି ଭଦ୍ରକ,ଭଣ୍ଡାରିପୋଖରୀ,ଧାମନଗର ଏବଂ ବନ୍ତ ତହସିଲ ଅଧିନରେ ପ୍ରବାହିତ ସାଳନ୍ଦୀ ଏବଂ ବୈତରଣୀ ନଦୀ ପଠାରୁ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ବେଆଇନ ବାଲି ଏବଂ ମାଟି ଉଠାଣ ଚାଲିଛି ।

ସୈରାତ ନାମରେ ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ୱ ଲୁଟ ହେଉଛି । ଏଥିରେ ତଳ ଠାରୁ ଉପର ପର୍ଯ୍ୟନ୍ତ ସମିଲ ହୋଇଛନ୍ତି ବହୁ ରାଜସ୍ୱ କର୍ମଚାରୀ । କୁହାଯାଇଛି ଏହି ବାବଦକୁ ସରକାର ଯେତିକି ରାଜସ୍ୱ ପାଉଛନ୍ତି ତାହାର ୯୦ ପ୍ରତିଶତ ବିଭାଗର ଏହି ଅସାଧୁ କର୍ମଚାରୀ୍‌ଙ୍କ ପକେଟ କୁ ଯାଉଛି । ି ଭଦ୍ରକ ତହସିଲ ଅଧିନରେ ରହିଥିବା ୧୩ ଗୋଟି ରାଜସ୍ୱ ସର୍କଲ ମଧ୍ୟରୁ ୮ ଗୋଟି ରାଜସ୍ୱ ସର୍କଲରେ ରହିଥିବା ରାଜସ୍ୱ କର୍ମଚାରୀଙ୍କର ବର୍ଷ ବର୍ଷ ଧରି ବଦଳୀ କରାଯାଉନାହିଁ । ସେହିଭଳି ଧାମନଗର ତହସିଲ ଅଧିନରେ ୧୧ ଗୋଟି ସର୍କଲ ରହିଥିବା ବେଳେ ୬ ଗୋଟି ସର୍କଲରେ ଏଆରଆଇଙ୍କ ଦ୍ୱାରା ରାଜସ୍ୱ କାର୍ଯ୍ୟ ସଂପାଦନ କରାଯାଉଛି । ଫଳରେ ଏହି ଅଂଚଳରେ ବେଆଇନ ବାଲି,ମାଟି ଉଠାଣ ସାଙ୍ଗକୁ ବେଆଇନ ଇଟାଭାଟି ଜରିଆରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ରାଜସ୍ୱ ହଡପ କରାଯାଉଥିବା ଅଭିଯୋଗ ହୋଇଛି ।,ଭଣ୍ଡାରିପୋଖରୀ ତହସିଲ ଅଧିନରେ ଥିବା ୯ ଗୋଟି ସର୍କଲ ମଧ୍ୟରୁ ଜଗନ୍ନାଥ ପ୍ରସାଦ,ରହଣିଆ, ବିରୁଳି ଏବଂ ମଞ୍ଜୁରୀ ରୋଡ ପ୍ରଭୁତି ସର୍କଲରେ ଆରଆଇ ନଥିବା ବେଳେ ଏଆରଆଇ ମାନଙ୍କ ଦ୍ୱାରା ସର୍କଲ ପରିଚାଳିତ ହେଉଛି । ବନ୍ତ ତହସିଲ ଅଧିନରେ ରହିଥିବା ଆଗରପଡା,ଅଣିଜୋ,ଆପଣ୍ଡା,ଛୟାଳସିଂ,ଟିଲୋ ଏବଂ କେନ୍ଦୁଆପଦା ଆଦି ଅଂଚଳରେ ବେଆଇନ ବାଲି ମାଟି ଉଠାଣ ଯୋଗୁ ନଦୀକୂଳିଆ ଗ୍ରାମ ଗୁଡିକ ନଦୀ ଗର୍ଭରେ ଲିନ ହେବାକୁ ବସିଛି । କୁହାଯାଇଛି ଏହି ଅଂଚଳରେ ସୈରାତ ନାମରେ ଲୁଟ ହେଉଛି କୋଟି କୋଟି ଟଙ୍କାର ଦୁର୍ଲଭ ଲଘୁ ଖଣିଜ ସମ୍ପଦ । ଏଥିନେଇ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବାରମ୍ଭାର ପ୍ରଶାସନ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଲଘୁ ଖଣିଜସମ୍ପଦ ମାଫିଆଙ୍କ ବିରୁଦ୍ଧରେ ହେଉନାହିଁ କାର୍ଯ୍ୟାନୁଷ୍ଟାନ । ରାଜ୍ୟ ସରକାରଙ୍କ ସହିତ ଜିଲ୍ଳା ପ୍ରଶାସନ ସର୍ବୋପରୀ ୫-ଟି ସଚିବ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ମହଲରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.