Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀ ବିପଦ ସଂକେତ ଉର୍ଦ୍ଧ୍ୱରେ, ମୁତୟନ ହେଲେ ଓଡ୍ରାଫ୍ ଓ ଏନ୍‌ଡିଆର୍‌ଏଫ୍ ଟିମ୍

ବୈତରଣୀ ନଦୀ ବିପଦ ସଂକେତ ଉର୍ଦ୍ଧ୍ୱରେ, ମୁତୟନ ହେଲେ ଓଡ୍ରାଫ୍ ଓ ଏନ୍‌ଡିଆର୍‌ଏଫ୍ ଟିମ୍

106

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀର ଜଳପତ୍ତନ ବୃଦ୍ଧି ପାଇ ବିପଦ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଆଖୁଆପଦା ଠାରେ ବୈତରଣୀ ନଦୀର ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏଠାରେ ନଦୀ ସନ୍ଧ୍ୟା ୬ଟା ସମୟରେ ୧୮ ମିଟର ଉପରେ ପ୍ରବାହିତ ହେଉଛି । ଜଳପତ୍ତନରେ ଆହୁରି ବୃଦ୍ଧି ହୋଇ ଏହି ୧୯ କିମ୍ବା ଏହାଠାରୁ ଅଧିକ ହୋଇ ପାରେ ବୋଲି ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଯାହା ଫଳରେ ଭଣ୍ଡାରିପେଖରୀ, ଧାମନଗର ଏବଂ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଇଛି । ଜିଲ୍ଲାପାଳ ଡ. ଦାସ ଆଖୁଆପଦା ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଭଣ୍ଡାରିପୋଖରୀ ବ୍ଲକ ବନ୍ୟା ପରିଚାଳନା ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ବନ୍ୟା ମୁକାବିଲା ତଥା ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ଜିଲ୍ଳାରେ ପହଞ୍ଚିଥିବା ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ଭଣ୍ଡାରିପୋଖରୀ ଏବଂ ଓଡ୍ରାଫ୍ ଟିମ୍‌କୁ ଧାମନଗର ବ୍ଳକକୁ ପଠା ଯାଇଛି । ଏହା ସହିତ ଧାମନଗର ଓ ଭଣ୍ଡାରିପୋଖରୀର ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରଖା ଯାଇଛି । ଆବଶ୍ୟକ ସମୟରେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ପାରେ ।

ଅନ୍ୟପକ୍ଷରେ ବନ୍ୟା ସ୍ଥିତି ମୁକାବିଲା ଓ ପରିଚାଳନା କରିବା ପାଇଁ ଧାମନଗର ବ୍ଲକ ଦାୟିତ୍ୱରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ଓ ଚାନ୍ଦବାଲି ତଳିଆ ଅଞ୍ଚଳ ପଞ୍ଚାୟତ ଦାୟିତ୍ୱରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର ନିଜ ନିଜ ଅଞ୍ଚଳରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଭଦ୍ରକରେ ୧୦୦.୨ ମିଲିମିଟିର ବର୍ଷା ହୋଇଥିବା ବେଳେ ବାସୁଦେବପୁରର ୧୫୮ ମିମି, ଭଣ୍ଡାରିପୋଖରୀରେ ୧୩୮, ବନ୍ତରେ ୧୦୬, ଚାନ୍ଦବାଲିରେ ୧୧୧.୬, ଧାମନଗରରେ ୮୦, ତିହିଡିରେ ୧୨୦.୪ ମିମି ବର୍ଷା ହୋଇଛି । ଏହିପରି ଜିଲ୍ଳାରେ ମୋଟ ୮୧୯.୨ ମିଲିମିଟର ବର୍ଷା ହୋଇଥିବା ବେଳେ ଜିଲ୍ଲାର ହାରାହାରି ବର୍ଷା ୧୧୭.୦୨ ମିମି ବୋଲି ରେକର୍ଡ କରାଯାଇଛି । ସନ୍ଧ୍ୟା ସୁଦ୍ଧା ତୁହାକୁ ତୁହା ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.