Home ଜିଲ୍ଲା ପରିକ୍ରମା ବେଆଇନ ଚିଙ୍ଗୁଡ଼ି ଚାଷ ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା

ବେଆଇନ ଚିଙ୍ଗୁଡ଼ି ଚାଷ ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା

45

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ତହସିଲ ଅଞ୍ଚଳରେ ହଜାର ହଜାର ଏକ ଚାଷ ଜମିକୁ ବେଆଇନ ଚିଙ୍ଗୁଡ଼ି ଚାଷ କରି ପରିବେଶ ନଷ୍ଟ ହେବା ସହିତ ଜମିରୁ ବାହାର କରାଯାଉଥିବା ଉଦ୍‌ବୃତ୍ତ ଜଳ ପାଶ୍ୱର୍ବର୍ତ୍ତୀ ଜମିକୁ ଯାଇ ଉକ୍ତ ଜମିର ଉତ୍ପାଦକ କ୍ଷମତାକୁ ନଷ୍ଟ କରୁଛି । ଯାହାକୁ ବିରୋଧ କରି ଆଜି ଆରଡ଼ି, ନୂଆଗାଁ, ଯଶିପୁର ଗ୍ରାମ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । ଚିଙ୍ଗୁଡ଼ି ଘେରି ପାଇଁ ଚାଷ ଜମି ନଷ୍ଟ ହେଉଥିବାରୁ ଗତ ଫେବୃଆରୀ ୨୮ ତାରିଖରେ ଚାନ୍ଦବାଲିରୁ ଶତାଧିକ ଚାଷୀ ଚାଲିଚାଲି ଦୀର୍ଘ ୫୫ କିଲୋମିଟର ଆସି ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଆଜି ଆରଡ଼ି ପଞ୍ଚାୟତର ମୁଆଁ, ପହଣା,ଯଶିପୁର ପଞ୍ଚାୟତର ଶୁଭଦିଆ, ବଳସାହି, ନୂଆଗାଁ ପଞ୍ଚାୟତର ଜନ୍ତୁଆଳି, ସଦାନନ୍ଦପୁର, ବିଶ୍ୱନାଥପୁର ଆଦି ଗ୍ରାମର ମହିଳାମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଚିଙ୍ଗୁଡ଼ି ଚାଷ ପାଇଁ କୌଣସି ସରକାରୀ ଅନୁମତି ନଥିବା ବେଳେ ରାଜନୈତିକ ବାହୁଛାୟା ତଳେ ଥିବା ତଥା ବିତ୍ତଶାଳୀ ଲୋକମାନେ ବେନିୟମ ଭାବେ ଚିଙ୍ଗୁଡ଼ି ଚାଷ କରୁଛନ୍ତି । ଆରଡ଼ି ପଞ୍ଚାୟତର ପହଣା ଅଞ୍ଚଳରେ ଚିଙ୍ଗୁଡ଼ି ଘେରିର ବିଷାକ୍ତ ପାଣି ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୋଖରୀ ପାଣିକୁ ମଧ୍ୟ ବିଷାକ୍ତ କରୁଛି । ବହୁ ସ୍ଥାନରେ ଚିଙ୍ଗୁଡ଼ି ଘେରି ଲାଗି ବାଡ଼ ଘେରବନ୍ଦୀ କରି ରଖାଯାଇଥିବାରୁ ଗୃହପାଳିତ ପଶୁମାନେ ଚରାବୁଲା କରି ପାରୁ ନାହାନ୍ତି । ସ୍ଥାନୀୟ ଅଧିକାରୀ ତହସିଲାରଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ ତହସିଲଦାର କୌଣସି ପଦକ୍ଷେପ ନେଉ ନ ଥିବାରୁ ବାଧ୍ୟ ହୋଇ ଆଜି ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ । ଆସନ୍ତା ୭ଦିନ ମଧ୍ୟରେ ଏକ ଜିଲା୍ଳସ୍ତରୀୟ ସ୍କ୍ୱାଡ ଗଠନ କରାଯାଇ ଚିଙ୍ଗୁଡ଼ି ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ । ଅତିରିକ୍ତ ଜିଲ୍ଳାପାଳ ଅରୁଣ କୁମାର ମହାପାତ୍ର ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତିି ଦେଇଛନ୍ତି । ଏହି ବିକ୍ଷୋଭ ଓ ଧାରଣାରେ ଓଡ଼ିଶା କୃଷକ ସଭା ଯୁଗ୍ମ ସମ୍ପାଦକ ବିକାଶ ନାଥ, ମହିଳା ଚାଷୀ ମାନିନୀ ଦାସ, ପୂଜା ଦାସ, ସଂଯୁକ୍ତା ଦାସ, ସୁମିତ୍ରା ଦାସ, ଚାଷୀ ନେତା ନିରଞ୍ଜନ ଯେନା ପ୍ରମୁଖ ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.