Home ଓଡ଼ିଶା ନୟାଗଡ଼ରେ କାନ୍ଥ କହୁଛି କଥା

ନୟାଗଡ଼ରେ କାନ୍ଥ କହୁଛି କଥା

228

ନୟାଗଡ଼, ୨୬ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର କଳା, ସଂସ୍କୃତି ଓ ଇତିହାସକୁ ମନେପକେଇ ଦେଇଛି କାନ୍ଥରେ ଅଙ୍କା ଯାଇଥିବା ଚିତ୍ରପଟ୍ଟର କଥା। ଜାତୀୟ ରାଜପଥର କାନ୍ଥ ବାଡ଼ରେ ବିଭିନ୍ନ ପୋଷ୍ଟର, ବେସରକାରୀ ଲେଖା ଓ ବିଭିନ୍ନ ପ୍ରକାର ବିଜ୍ଞାପନ ଲେଖାରେ କାନ୍ଥବା୍‌ଡ଼ ବିବର୍ଣ୍ଣ କଦାକାର ହୋଇପଡ଼ିଥିବାବେଳେ ଜନମନକୁ ଆକର୍ଷିତ କରିବା ପାଇଁ ଏବେ ପ୍ରଶାସନ ଅଭିନବ ପ୍ରୟାସ ଆପଣେଇଛି। କାନ୍ଥବାଡ଼ରୁ ଜଣେ ଯେପରି ନୟାଗଡ଼ର ଇତିହାସ, ସଂସ୍କୃତିକୁ ଦେଖିପାରିବ, ଜାଣିପାରିବ ସେଥିପ୍ରତି ଚିତ୍ରପଟ୍ଟରେ ଅଧିକ ଗୁରୁତ୍ୱ ଦିଆଯାଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଠାରୁ ଆରମ୍ଭ କରି ଉତ୍କଳଘଂଟ ଯଦୁମଣି, ପଠାଣି ସାମନ୍ତ ଏବଂ ବିଭିନ୍ନ ମହା ମନୀଷିମାନଙ୍କର ଚିତ୍ର ସହ ସେମାନଙ୍କର ବାଣୀ ଅନେକଙ୍କ ପାଇଁ ଶିକ୍ଷଣୀୟ ହୋଇପାରିଛି। ନୟାଗଡ଼ ଜିଲାର କଳା, ସଂସ୍କୃତି ଓ ଇତିହାସର ଚିତ୍ରକଳାକୁ ନେଇ କାନ୍ଥ ବାଡ଼ରେ ଚିତ୍ରିତ ହୋଇଛି ଯେକେହି ନୟାଗଡ଼ର ପରିବେଶ ଠାରୁ ଆରମ୍ଭ କରି ନୟାଗଡ଼ର ଗରିମାକୁ ପ୍ରଶଂସା କରିବ ଏଥିରେ ଦ୍ୱିମତ ନାହିଁ। ଯେଉଁପରି ଭାବରେ ଲୋକକଳା ସହ ମହାମନୀଷିମାନଙ୍କ ଚିତ୍ର ଅଙ୍କାଯାଇ ସେମାନଙ୍କ ବିଷୟରେ ଦ୍ୱିପଦ ଲେଖାଯାଇ ଆକର୍ଷିତ କରାଯାଇଛି ରାସ୍ତାରେ ଯାଉଥିବା ଯାତ୍ରୀଟିକୁ ନିଶ୍ଚୟ ଟିକେ ଅଟକି ଯାଇ ଆନମନା ହେଉଥିବା ପରିଲକ୍ଷିତ ହୋଇଛି। ନୟାଗଡ଼ ବିଷୟରେ କାନ୍ଥ ଯେମିତି ଯାତ୍ରୀ ମାନଙ୍କୁ ଅଟକେଇ ତା’ବିଷୟରେ କିଛି କଥା କହୁଥିବା ଚିତ୍ରପଟ୍ଟରୁ ଜଣାପଡ଼ିଛି। କାନ୍ଥ ବାଡ଼ରେ ଏପରି ଚିତ୍ରପଟ୍ଟକୁ ଦେଖି ସମସ୍ତେ ବିମୋହିତ ହେଉଥିବାବେଳେ ଏହା ସତେଯେମିତି ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.