ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଞ୍ଚଳରେ ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ଓ ବିଭିନ୍ନ ଦୁର୍ଘଟଣା ସମୟରେ ତୁରନ୍ତ ଜରୁରୀକାଳୀନ ସେବା ଯୋଗାଇ ଆସୁଥିବା ଧାମନଗର ଦମକଳ କେନ୍ଦ୍ର ଏବେ ଘୋର କର୍ମଚାରୀ ଓ ଅଧିକାରୀ ଅଭାବ ଦେଇ ଗତି କରୁଛି। ଫଳରେ ଜରୁରୀ ସମୟରେ ଅନେକ କ୍ଷେତ୍ରରେ ଘଟଣାସ୍ଥଳରେ ପହଞ୍ଚିବା ସମ୍ଭବ ହେଉନଥିବା ବେଳେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରକାଶ ଥାଉକି ୧୯୮୭ ମସିହାରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ଦ୍ୱାରା ଧାମନଗର ଠାରେ ଏହି ଦମକଳ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ପ୍ରତିଷ୍ଠା ପରଠାରୁ ଅଞ୍ଚଳର ବିପତ୍ତି ଓ ଦୁର୍ଘଟଣା ସମୟରେ ଦମକଳ ବାହିନୀର କର୍ମଚାରୀମାନେ ନିଷ୍ଠାର ସହ ସେବା ଯୋଗାଇ ଆସୁଛନ୍ତି ଏବଂ ବାର୍ଷିକ ପ୍ରାୟ ୩୦୦ରୁ ୪୦୦ଟି ଜରୁରୀକାଳୀନ କଲ୍କୁ ସଫଳତାର ସହ ଆଟେଣ୍ଡ କରୁଛନ୍ତି। ମାତ୍ର ବର୍ତ୍ତମାନ ଏହି ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ପୂର୍ବରୁ ଯେଉଁଠାରେ ୧୦ ଜଣ ଫାୟାରମ୍ୟାନ୍ କାର୍ଯ୍ୟରତ ଥିଲେ, ଏବେ ସେଠାରେ ମାତ୍ର ୫ ଜଣ ଫାୟାରମ୍ୟାନ୍ ରହିଛନ୍ତି।ଅନ୍ୟପକ୍ଷରେ, ଗତ ଜୁନ୍ ମାସରୁ ଏଠାରେ ଭାରପ୍ରାପ୍ତ ଅଧିକାରୀ ପଦବୀ ଖାଲି ପଡ଼ିଛି ଏବଂ ଜଣେ ହାବିଲଦାର ଦାୟିତ୍ୱରେ ରହି କେନ୍ଦ୍ର ପରିଚାଳନା କରୁଛନ୍ତି। କର୍ମଚାରୀ ଓ ଅଧିକାରୀଙ୍କ ଅଭାବ ଯୋଗୁଁ ଦୈନନ୍ଦିନ କାର୍ଯ୍ୟ ପରିଚାଳନା ବାଧାପ୍ରାପ୍ତ ହେଉଛି। ଅନେକ ସମୟରେ ଲୋକମାନଙ୍କର ବିଭିନ୍ନ ଆବଶ୍ୟକତା ଓ ପ୍ରଶାସନିକ କାର୍ଯ୍ୟ ପାଇଁ ଭଦ୍ରକ କିମ୍ବା ଭଣ୍ଡାରୀପୋଖରୀ ଦମକଳ କେନ୍ଦ୍ର କାର୍ଯ୍ୟାଳୟ ଉପରେ ନିର୍ଭର କରିବାକୁ ପଡ଼ୁଛି, ଯାହାଫଳରେ ସମୟ ଓ ଅର୍ଥ ଅପଚୟ ସହିତ ଲୋକେ ହଇରାଣ ହେଉଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ଏହା ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ନିଜ ନିର୍ବାଚନ ମଣ୍ଡଳୀ ହୋଇଥିବା ସତ୍ତ୍ୱେ ଦମକଳ କେନ୍ଦ୍ରର ଏଭଳି ଅବ୍ୟବସ୍ଥା ଓ କର୍ମଚାରୀ ସଙ୍କଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଅଞ୍ଚଳବାସୀଙ୍କ ସୁରକ୍ଷା ଓ ଜରୁରୀକାଳୀନ ସେବାକୁ ସୁଦୃଢ଼ କରିବା ପାଇଁ ସରକାର ତୁରନ୍ତ ଧାମନଗର ଦମକଳ କେନ୍ଦ୍ରରେ ଖାଲି ପଡ଼ିଥିବା ଅଧିକାରୀ ଓ ଫାୟାରମ୍ୟାନ୍ ପଦବୀ ପୂରଣ କରିବାକୁ ବିଭିନ୍ନ ମହଲରୁ ଦୃଢ଼ ଦାବି ହେଉଛି।
Home ଜିଲ୍ଲା ପରିକ୍ରମା ଧାମନଗର ଦମକଳ କେନ୍ଦ୍ରରେ କର୍ମଚାରୀ ଓ ଅଧିକାରୀ ସଙ୍କଟ: ଭଦ୍ରକ ଓ ଭଣ୍ଡାରୀପୋଖରୀ ଭରସାରେ ଅଞ୍ଚଳବାସୀ








