ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦର କର୍ତୁପକ୍ଷ ନିଜ ମନମାନୀରେ ଚାଲୁଥିବା ବେଳେ ଦୀର୍ଘ ୪ବର୍ଷ ହେବ ଦେଇଥିବା କଥାକୁ ରକ୍ଷା କରୁନାହାନ୍ତି ଫଳରେ ଆଜି ଭଳି ଦିନରେ ଦୋସିଙ୍ଗା ପଂଚାୟତର ରବିନ୍ଦ୍ର ନଗର ଏବଂ ଅମର ନଗର ର ୫ଶହ ଏକର ପାଚିଲା ଧାନ କ୍ଷେତରୁ ପାଣି ନିଷ୍କାସନ ହୋଇ ପାରୁ ନାହିଁ। ପ୍ରାପ୍ତ ଖବର ଅନୁଯାଇ ଚନ୍ଦନୀପାଳ ଠାରୁ ରବିନ୍ଦ୍ର ନଗର ପର୍ଯ୍ୟନ୍ତ ସମୁଦ୍ର ନିକଟରେ ଏକ ପାଣି ନିଷ୍କାସନ ନାଳ ଥିଲା। ବନ୍ଦର କର୍ତୁପକ୍ଷ ଏହି ନାଳକୁ ନିଜ ଅକ୍ତିଆର ନେବା ଠାରୁ ଏହା ଦିନକୁ ଦିନ ସଙ୍କୁଚିତ ହେବା ସହ ଏହି ନାଳ ଦେଇ ପାଣି ନିଷ୍କାସନ ହୋଇ ପାରୁନାହିଁ। ୨୦୨୨ ମସିହାରେ ଧାମରା ବନ୍ଦର କର୍ତୁପକ୍ଷ, ଚାନ୍ଦବାଲି ତହସିଲଦାର, ଜଳ ନିଷ୍କାସନ ବିଭାଗୀୟ ଅଧିକାରୀ, ଜଳସମ୍ପଦ ବିଭାଗୀୟ ଅଧିକାରୀ ଏବଂ ଦୋସିଙ୍ଗା ପଂଚାୟତର ସରପଂଚ ଏବଂ ଗ୍ରାମବାସୀ ମାନଙ୍କ ଉପସ୍ଥିତିରେ ଏକ ଲିଖିତ ରାଜିନାମା ହୋଇଥିଲା। ଏହି ରାଜିନାମା ଆଧାରରେ ଧାମରା ବନ୍ଦର କର୍ତୁପକ୍ଷ ରବିନ୍ଦ୍ର ନଗର ଏବଂ ଅମର ନଗର କୁ ସଂଯୋଗୀ କରଣ କରୁଥିବା ପାଣି ନିଷ୍କାସନ ନାଳକୁ ବନ୍ଦର କର୍ତୁପକ୍ଷ ଖୋଳିବା ସହ ୨ଟି କଲଭର୍ଟ ଏବଂ ଏହି ନାଳ ର ଦୁଇ ପାଶ୍ୱର୍ରେ ପଥର ବିଛାଇ ନାଳକୁ ମଜବୁତ କରିବା ସହ ଏହି ନାଳ ପାଶ୍ୱର୍ଦେଇ ଯାଇଥିବା ରାସ୍ତାକୁ ମଧ୍ୟ ନିର୍ମାଣ କରିବେ ବୋଲି ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା। ଇତି ମଧ୍ୟରେ ଦୀର୍ଘ ୪ବର୍ଷ ବିତିଯାଇଥିଲେ ମଧ୍ୟ ଧାମରା ବନ୍ଦର କର୍ତୁପକ୍ଷ ନିଜ ମନମାନୀରେ ଏହି କାର୍ଯ୍ୟ କରୁନାହାନ୍ତି ଫଳରେ ରବିନ୍ଦ୍ର ନଗର ଏବଂ ଅମର ନାଗର ରେ ଥିବା ୫ଶହ ଏକର ପାଚିଳା ଧାନ କ୍ଷେତରୁ ପାଣି ନିଷ୍କାସନ ହୋଇ ପାରୁନାହିଁ କି ଧାନ ଅମଳ ମଧ୍ୟ କରିବା ଅସମ୍ଭବ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ଏହି କାର୍ଯ୍ୟ ହୋଇ ନଥିବା ବେଳେ ଜଳ ନିଷ୍କାସନ ବିଭାଗ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଧାମରା ବନ୍ଦର କର୍ତୁପକ୍ଷଙ୍କ ଏକ ଚିଠି କରି ଏହି ନାଳକୁ ଖୋଳିବା ପାଇଁ ଦାବୀ କରିଥିଲେ। ମାତ୍ର ଏହି ଚିଠି ପଠାଇବାର ଦୀର୍ଘ ୧ ମାସ ବିତିଯାଇଥିଲେ ବନ୍ଦର କର୍ତୁପକ୍ଷ କୌଣସି ଉତର ମଧ୍ୟ ରଖିନାହାନ୍ତି। ଫଳରେ ଅନ୍ୟଉପାୟ ନପାଇ ଜଳ ନିଷ୍କାସନ ବିଭାଗ ପୁନଶ୍ଚ ଏହି କଥାକୁ ନେଇ ଭଦ୍ରକ ଜିଲ୍ଲାପାଳ ଏବଂ ଆର ଡି ସି ଙ୍କୁ ଏହି ବିଷୟରେ ଅବଗତ କରିଛନ୍ତି ବୋଲି ସଂପୃକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଥିବା ବେଳେ ଧାମରା ବନ୍ଦର କର୍ତୁପକ୍ଷ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ତୁରନ୍ତ ଏହି ନାଳ ଖୋଳା ନ ଗଲେ ଦୋସିଙ୍ଗା ପଂଚାୟତବାସୀ ଆଇନକୁ ହାତକୁ ନେବା ସହ ରାଜରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦ କରିବେ ବୋଲି ଅମର ଜାନା, ଆଲୋକ ଜାନା, ଗଣେଷ ଜାନା, ଅଜୟ ଜାନା, ସପନ ସାହୁ, ଦୀପକ ପଣ୍ଡା, ଅଜୟ ସାହୁ ପ୍ରମୁଖ ଦାବୀ କରିଛନ୍ତି।
Home ଜିଲ୍ଲା ପରିକ୍ରମା ୪ବର୍ଷ ପୂରିବା ପରେ ମଧ୍ୟ କଥା ରଖିଲାନି ଆଦାନୀ କର୍ତୁପକ୍ଷ,ପାଣି ନିଷ୍କାସନ ନାଳକୁ ନେଇ ତେଜୁଛି...








