Home ଜିଲ୍ଲା ପରିକ୍ରମା ଦୂରହେବ ଟ୍ରାଫିକ ସମସ୍ୟା, ଚିନ୍ତାରେ ବ୍ୟବସାୟୀ!

ଦୂରହେବ ଟ୍ରାଫିକ ସମସ୍ୟା, ଚିନ୍ତାରେ ବ୍ୟବସାୟୀ!

166

ରାଉରକେଲା ୬-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଜାତୀୟ ରାଜପଥ-୧୪୩ ସଂପ୍ରସାରଣ ହେଲାପରେ ରାସ୍ତା କଡ଼ରେ ଥିବା ବହୁ ଠେଲା ଓ ଅନ୍ୟ ଛୋଟ ଦୋକାନ ଗୁଡ଼ିକ ନିଜ ଅସ୍ତିତ୍ୱ ହରାଇବା ଆଶଙ୍କା ଏବେଠାରୁ ଦେଖିବା ସ୍ପଷ୍ଟଭାବେ ପ୍ରତୀୟମାନ ହେଉଛି। ଯାହାକୁ ନେଇ ଚିନ୍ତାରେ କାଳ କାଟୁଛନ୍ତି ଠେଲା ବ୍ୟବସାୟୀ ମାନେ। ରଙ୍ଗୋଲି ଛକରେ ଚା ବ୍ୟବସାୟ କରୁଥିବା ଅନ୍ୟ ଦୋକାନୀ, ସେଲୁନ, ତଥା ଅନ୍ୟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ ମାନଙ୍କୁ ଏବେଠୁ ଜାତୀୟ ରାଜପଥ ସଂପ୍ରସାରଣ ଚିନ୍ତା ଘାରିବାରେ ଲାଗିଲାଣି। ଗୋଟିଏ ପକ୍ଷେ ଏନ୍ ଏଚ୍ ସଂପ୍ରସାରଣ ଦ୍ୱାରା ଟ୍ରାଫିକ ସମସ୍ୟା ଲାଘବ ହେବାରେ ସହାୟକ ହେବ, ମାତ୍ର ଏହା ଦେବକୀଙ୍କ ଭଳି ବହୁ ବ୍ୟବସାୟୀକୁ ନିଶ୍ଚିତ ଭାବେ ପ୍ରଭାବିତ କରିବ ଏଥିରେ ଦ୍ୱିମତ ନାହିଁ। ଏପରି ଜଣେ ବୟସ୍କ ଚା ଦୋକାନୀଙ୍କ ସହ ଏନ୍ ଏଚ୍ -୧୪୩ ସଂପ୍ରସାରଣ ପ୍ରସଙ୍ଗକୁ ନେଇ କଟିଥିଲା କିଛି ମୂହୁର୍ତ।

ଦକ୍ଷିଣ ରାଉରକେଲା ସଂଲଗ୍ନ ଜାତୀୟ ରାଜପଥ(ଏନଏଚ)-୧୪୩ରେ ରାସ୍ତା କଡ଼ରେ ପ୍ରତିଦିନ ଭୋରରୁ ଦେଖିବାକୁ ମିଳେ ଜଣେ କର୍ମଠ ମଣିଷଙ୍କୁ। ମୁହଁରେ ସ୍ମିତ ହସ ନେଇ ଏହି ବ୍ୟକ୍ତି ଜଣଙ୍କ ଚା ଭର୍ତି ଗିଲାସ ବଢାଇଦିଅନ୍ତି ଆଗନ୍ତୁକ ମାନଙ୍କୁ। ପ୍ରତି ବଦଳରେ ଚା କପ ପିଛା ମିଳେ ମାତ୍ର ୫ ଟଙ୍କା। ମାତ୍ର ଏହି ବେପାରରେ ଚାଲେ ତାଙ୍କ ତେଲ ଲୁଣର ସଂସାର। ସେ ହେଉଛନ୍ତି ଦକ୍ଷିଣ ରାଉରକେଲାର ସ୍ଥାନୀୟ ରଙ୍ଗୋଲି ଛକ ନିକଟରେ ରହୁଥିବା ଦେବକୀ ଲାଲ। ବୟସ ପାଖାପାଖି ୬୫ ଛୁଇଁଲାଣି। କର୍ମକୁ ଭଗବାନ ବୋଲି ଆଦରି ଆଜକୁ ପ୍ରାୟ ୧୦ରୁ ଉର୍ଦ୍ଧ ବର୍ଷ ହେଲା ସେ ଏନଏଚ୍ -୧୪୩ ରାସ୍ତା କଡ଼ରେ ଚା ଠେଲା ପକାଇ ନିଜର ଗୁଜୁରାଣ ମେଂଟାଇ ଆସୁଛନ୍ତି। ପ୍ରତିଦିନ ଭୋର ୪ଟାରୁ ୫ଟା ମଧ୍ୟରେ ରଙ୍ଗୋଲି ଛକରେ ଭୁବନେଶ୍ୱର, କଟକ, ପୁରୀ ତଥା ଅନ୍ୟ ଅଂଚଳରୁ ଯାତ୍ରୀବାହୀ ବସ୍ ଗୁଡ଼ିକ ରଙ୍ଗୋଲି ଛକ ନିକଟରେ ଯାତ୍ରୀ ଓହ୍ଲାଇବା ପ୍ରତୀୟମାନ ହୁଏ। ବସରୁ ବାହାରି ଯାତ୍ରୀ ଦେବକୀ ଲାଲଙ୍କ ଠେଲାରୁ ଚା କପେ ପିଇ ନିଜର ଅଳସ ଭାଙ୍ଗନ୍ତି। କେବଳ ଯେ, ବସଯାତ୍ରୀ ନୁହେଁ, ବସର ହେଲପର ହାତରେ ଏକ ଛୋଟ ଷ୍ଟିଲ ଗ୍ଲାସ ଧରି ଦୌଡ଼ି ଆସେ ଚା ଠେଲା ପାଖକୁ। ସଙ୍ଗେ ସଙ୍ଗେ ଚା ଗ୍ଲାସରେ ଭର୍ତି କରି ହେଲପର ଜଣଙ୍କ ବସରେ ଚଢିବା ପରେ ପୁଣି ବସର ଚକା ଆଗକୁ ଗଡ଼ିଥାଏ। ସେହିପରି ଏନଏଚ୍ କଡ଼ରେ ରାତ୍ରୀ ସମୟରୁ ପାର୍କିଂ କରିଥିବା ଟ୍ରକ, ଡମ୍ପର, ଟ୍ରଲର ଚାଳକ, ଖଲାସୀ ମାନଙ୍କ ଭିଡ଼ ଚା ଠେଲା ସାମନାରେ ଦେଖିବାକୁ ମିଳେ। ସାରନଗରୀ ଅଂଚଳରୁ ମଧ୍ୟ ଅନେକ ବ୍ୟକ୍ତି ପ୍ରାତଃ ଭ୍ରମଣ କରି ରଙ୍ଗୋଲି ଛକ ପଂହଚିବା ପରେ ଚା ଟିକେ ପିଇ ନିଜ କ୍ଲାନ୍ତ ଦୂର କରିଥାନ୍ତି। ଦେବକୀ ଲାଲଙ୍କ ଚା ଠେଲା ଆଗରେ ସବୁବର୍ଗଙ୍କ ଗହଳି ପ୍ରତିଦିନ ଦେଖିବାକୁ ମିଳିଥାଏ। ଦେବକୀଙ୍କୁ କେବଳ ଏତିକି ଭୟ ଓ ଆଶଙ୍କା ଘାରିଛି ଯେ, କିଛି ଦିନ ଅବା ମାସ ପରେ ଜାତୀୟ ରାଜପଥ ସଂପ୍ରସାରଣ ହେବ! ଫଳସ୍ୱରୂପ, ତାଙ୍କ ଚା ଠେଲାକୁ ସେ କେଉଁ ଜାଗାରେ ନେଇ ବେପାର ଚଳାଇ ପରିବାର ପ୍ରତିପୋଷଣ କରିବେ ବୋଲି କୋହଭରା କଣ୍ଠରେ ଗ୍ରାହକ ମାନଙ୍କ ସହ ଆଲୋଚନା କରନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.