Home ଜିଲ୍ଲା ପରିକ୍ରମା ଗୋଚର ଜମିରେ ବେଆଇନ ଗୃହ ନିର୍ମାଣକୁ ବିରୋଧ, ତାହସିଲଦାରଙ୍କୁ ଭେଟି ଦାବି ଜଣାଇଲେ ଗ୍ରାମବାସୀ;ଧାରଣା ଚେତାବନୀ

ଗୋଚର ଜମିରେ ବେଆଇନ ଗୃହ ନିର୍ମାଣକୁ ବିରୋଧ, ତାହସିଲଦାରଙ୍କୁ ଭେଟି ଦାବି ଜଣାଇଲେ ଗ୍ରାମବାସୀ;ଧାରଣା ଚେତାବନୀ

46

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ତହସିଲ ଅଂଚଳରେ ଦିନକୁ ଦିନ ବିଭିନ୍ନ ସ୍ଥାନରେ ସରକାରୀ ଗୋଚର, ଅନାବାଦି ଜାଗାରୁ ଶହଶହ ଟ୍ରିପ ବାଲି ଓ ମାଟି ଚୋରା ଚାଲାଣ ହେଉଥିବା ବେଳେ ଏବେ ରାସ୍ତାକଡ ମାନଙ୍କରେ ବେଆଇନ ଭାବେ ବାଲି ମହଜୁତ ରଖି ଚଢାମୂଲ୍ୟରେ ବିକ୍ରି ଚାଲିଛି । ଏଦିଗରେ ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ବେଳେ ଏବେ ସେହି ଦଲାର ମାନେ ଗୋଚର ଓ ଅନାବାଦି ଜମିକୁ ନିଜ କବ୍ଚାକୁ ନେବାରେ ସକ୍ଷମ ହେଉଛନ୍ତି । ଢିଲା ପ୍ରଶାସନିକ ପଦକ୍ଷେପ ଯୋଗୁଁ ଏହି ଦଲାର ମାନେ ଏବେ ଧାମନଗର ଅଂଚଳରେ ସକ୍ରିୟ ହୋଇଛନ୍ତି । ସେମାନେ ସରକାରୀ ଜମିକୁ ଜବରଦଖଲ କରିବା ସହିତ ବିଭିନ୍ନ ସରକାରୀ ଜମିରୁ ବାଲି ଓ ମାଟି ଚୋରା ଚାଲାଣ କରି ମାଲେମାଲ ହେଉଛନ୍ତି । ତେବେ କାଁ ଭାଁ ପ୍ରଶାସନ ଚଢଉ କରୁଥିବା ବେଳେ ମୁଖ୍ୟ ଦଲାରକୁ ଧରିବାରେ ସକ୍ଷମ ହେଉନାହିଁ । ଏପରିକି କେତେକ ସରକାରୀ କର୍ମଚାରୀଙ୍କ ଇଙ୍ଗିତରେ ଏହି ଦଲାର ମାନେ ସକ୍ରିୟ ହୋଇ ଉଠିଛନ୍ତି । ଏପରି ଏକ ଅଭିଯୋଗ ଆସିଛି ଧାମନଗର ତହସିଲ ଅନ୍ତର୍ଗତ ନଦୀଗାଁ ଆରଆଇ ସର୍କଲର ଫଳପୁର ରାଜସ୍ୱ ଗ୍ରାମରେ । ଫଳପୁର ଠାରେ ଥିବା ସରକାରୀ ଗୋଚର ଜମିକୁ କେତେକ ବ୍ୟକ୍ତି ନିଜ ଅକ୍ତିଆରକୁ ନେଇ ସେଠାରେ ଏବେ ପକ୍କାଘର ନିର୍ମାଣ କରୁଥିବା ସ୍ଥାନୀୟ ଅଂଚଳବାସୀ ଅଭିଯୋଗ କରିଛନ୍ତି । ଆଜି ଅଂଚଳର ଶତାଧିକ ଲୋକ ଏକ ଦାବିପତ୍ର ଧାମନଗର ତହସିଲଦାରଙ୍କୁ ଭେଟି ପ୍ରଦାନ କରିଛନ୍ତି । ଏଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଉକ୍ତ ସରକାରୀ ଜମି ଫଳପୁର ଅଂଚଳର ମଧ୍ୟସ୍ଥଳିରେ ଥିବାରୁ ଏହି ଜମିରେ ସାଧାରଣ ଲୋକଙ୍କ ଚଳପ୍ରଚଳ, ଗୋରୁ ଗାଈ ଚରାଭୂମି ସହିତ ଏହା ଅପରପାଶ୍ୱର୍ରେ ଗ୍ରାମ୍ୟ ଜଙ୍ଗଲ ଥିବାରୁ ପରିବେଶ ବେଶ ଆକର୍ଷଣ ରହିଛି ।

ହେଲେ ପ୍ରାୟ କେତେକ ବ୍ୟକ୍ତି ଏହି ସରକାରୀ ଜମିକୁ ଜବରଦଖଲ କରି ଏବେ ସେଠାରେ ସ୍ଥାୟୀ ପକ୍କାଘର ନିର୍ମାଣ ଆରମ୍ଭ କରିବାରୁ ଲୋକଙ୍କ ବହୁବିଧ ସମସ୍ୟା ସୃଷ୍ଟି କରୁଛି । ତୁରନ୍ତ ଜବରଦଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଉଚ୍ଛେଦ କରିବାକୁ ଅଂଚଳବାସୀ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ପ୍ରଶାସନ ପଦକ୍ଷେପ ଗ୍ରହଣ ନକରେ ତେବେ ଆଗାମୀ ୧୫ ତାରିଖ ଦିନ ଅଂଚଳର ଶତାଧିକ ମହିଳା ଓ ପୁରୁଷ ଏକଜୁଟ ହୋଇ ଧାମନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ପ୍ରତିବାଦ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ଲିଖିତ ଦାବିପତ୍ରରେ ଫଳପୁର ଆଂଚଳିକ ସୁରକ୍ଷା କମିଟିର ସଭାପତି ସଂଜୟ କୁମାର ମହାପାତ୍ର, ଗୋଲେଖ ଚନ୍ଦ୍ର ମହାନ୍ତି, ବିଶ୍ୱଜିତ ସାହୁ, ନିରଂଜନ ବେହେରା, ମନୋଜ କୁମାର ମହାନ୍ତି, ଦୀପ୍ତିରଂଜନ ମହାପାତ୍ର, ନରେଶ ରାଉତ, ବିଦ୍ୟାଧର ବେହେରା, ପ୍ରଫୁଲ୍ଲ ମହାନ୍ତି, ଉପେନ୍ଦ୍ର ମହାପାତ୍ର, ସଂଜିତ କୁମାର ମହାନ୍ତି, ସଂଜିବ କୁମାର ସାହୁ, ସତ୍ୟରଂଜନ ମହାପାତ୍ର, ବିଷ୍ଣୁ ଚରଣ ଜେନା, ବାବୁଲି ଜେନା, ଶଶୀକାନ୍ତ ମହାପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି । ଏସଂପର୍କରେ ତହସିଲଦାର ରାଧାକାନ୍ତ ବାରିକ କହନ୍ତି ଅଭିଯୋଗ ପାଇଛି ଘଟଣା ସଂପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.