Home ଜିଲ୍ଲା ପରିକ୍ରମା କଣ୍ଟିଘାଇର ସ୍ଥାୟୀ ପ୍ରତିକାର ଓ ଚାଷୀ ସମସ୍ୟାର ସମାଧାନ ଦାବିରେ ଗଣ ସତ୍ୟାଗ୍ରହ

କଣ୍ଟିଘାଇର ସ୍ଥାୟୀ ପ୍ରତିକାର ଓ ଚାଷୀ ସମସ୍ୟାର ସମାଧାନ ଦାବିରେ ଗଣ ସତ୍ୟାଗ୍ରହ

47

ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଣ୍ଟିଘାଇର ସ୍ଥାୟୀ ପ୍ରତିକାର ଓ ଚାଷୀ ସମସ୍ୟା ଗୁଡିକର ସମାଧାନ ଦାବିରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅନଶନରେ ବସିବା ସହିତ ଗଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲା ସଂଯୋଜକ ତ୍ରିଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ବୈତରଣୀ ଓ ଏହାର ଶାଖା ନଦୀମାନଙ୍କରେ ଚଳିତବର୍ଷର ମନୁଷ୍ୟାକୃତ ବନ୍ୟାର ସ୍ଥାୟୀ ସମାଧାନ ନିମିତ୍ତ ଦକ୍ଷିଣ ପାଶ୍ୱର୍ ସଦୃଶ ବୈତରଣୀର ବାମପଟରେ ଏକ ସ୍ଥାୟୀ ନଦୀବନ୍ଧ ନିର୍ମାଣ କରାଯିବା ସହ କଣ୍ଟିଘାଇ ଓ ୭ଟି ନିୟନ୍ତ୍ରଣମୁକ୍ତ ଘାଇକୁ ତୁରନ୍ତ କଂକ୍ରିଟ୍ ବନ୍ଧରେ ପରିଣତ କରିବା ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ଗତ ସେପ୍ଟେମ୍ବର ୧୪ ତାରିଖରେ କଣ୍ଟିଘାଇ ନିକଟରେ ଏକ ସମ୍ମିଳନୀ ଅନୁଷ୍ଠିତ କରି ସରକାରଙ୍କୁ କଡା ଚେତାବନୀ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ନଭାଙ୍ଗିବାରୁ ଏଭଳି ଗଣ ସତ୍ୟାଗ୍ରହ ଜରିଆରେ ଆଉଥରେ ଚେତାଇ ଦିଆଗଲା ବୋଲି ଅକ୍ଷୟ କୁମାର କହିଥିଲେ । ଏହି ସମସ୍ୟାର ସମାଧାନ ଯଥାଶୀଘ୍ର ନହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଏହି ଗଣସତ୍ୟାଗ୍ରହରେ ରାଜ୍ୟ ସଂଯୋଜକ ଉମାକାନ୍ତ ଭାରତ ରିଲିଫ୍ କୋଡ୍ ସଂଶୋଧନ ପୂର୍ବକ ଗତବନ୍ୟାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଏକର ପିଛା ୧୫ ହଜାର ଟଙ୍କା ଓ ଭାଗଚାଷୀଙ୍କୁ ୭ ହଜାର ପାଞ୍ଚଶହ ଟଙ୍କା କ୍ଷତିପୂରଣ ଦେବାପାଇଁ ସରକାର ତୁରନ୍ତ ଘୋଷଣାନାମା ଜାରି କରିବା ନେଇ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ନବନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୋହର ଅଲ୍ଲୀ ନିଜ ବକ୍ତବ୍ୟରେ ଛାତ୍ର ଯୁବକମାନେ ଚାଷୀପାଇଁ କାନ୍ଧରେ କାନ୍ଧ ମିଳାଇ ଲଢିବାକୁ ଆହ୍ୱାନ ଦେଇଥିଲେ । ଜିଲା ସହ ସଂଯୋଜକ ସତ୍ୟରଂଜନ ନାୟକ ତାଙ୍କ ବକ୍ତବ୍ୟରେ ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍ ଓ ପେନସନ ଦେବାର ଦାବୀକୁ ସରକାର ଯଥାଶୀଘ୍ର ନମାନିଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଥିଲେ । ରାଜ୍ୟ କମିଟି ସଦସ୍ୟ ଡ. କୁଳମଣି ତାଙ୍କ ବକ୍ତବ୍ୟ ରଖିଥିଲେ । ଜିଲା ସଂଯୋଜକ ତଥା ଏହି ସତ୍ୟାଗ୍ରହର ସଭାପତିତ୍ୱ କରୁଥିବା ଶ୍ରୀ ପଣ୍ଡା ନିଜ ବକ୍ତବ୍ୟରେ ଦାବିଗୁଡିକ ପୂରଣ ନହେଲେ ଭବିଷ୍ୟତରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦେବା ସହିତ ପୂର୍ବରୁ ଦିଆଯାଇଥିବା ୮ ଦଫା ସମ୍ବଳିତ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ଏହି ସତ୍ୟାଗ୍ରହରେ ଭଦ୍ରକ ବ୍ଲକ୍ ସଂଯୋଜକ ସୀତାକାନ୍ତ ସାହୁ, ଧାମନଗରର ପୀତବାସ ମହାନ୍ତି, ବିବେକାନନ୍ଦ ଜେନା, ଗ୍‌ଗନ ବିହାରୀ ମହାନ୍ତି, କୃଷ୍ଣଚନ୍ଦ୍ର ବିଶ୍ୱାଳ, ବିଚିତ୍ର ପରିଡା, ବନ୍ତର ଅନାମ ପାଳ, ଆର୍ତ୍ତତ୍ରାଣ ତିୱାରୀ, ପ୍ରଭାତ ମହାଳିକ, ମାନସ ସାହୁ, ଭଗବାନ ମଲ୍ଲିକ, ନବନିର୍ମାଣ ଯୁବ ଛାତ୍ର ସଂଗଠନର ଜାହିର ଖାଁ, ସନ୍ତୋଷ ମଲ୍ଲିକ, ଏମ୍‌ଡି ରହେମାନ, ମିନାଜ ଖାଁ ପ୍ରମୁଖ ଯୋଗଦେଇ ନିଜର ମତାମତ ରଖିଥିଲେ । ଶେଷରେ ସହ ସଂଯୋଜକ ସତ୍ୟରଂଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.