ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଇନର ରକ୍ଷକ ଙ୍କୁ ଆକ୍ରମଣ। ଗଣ୍ଡଗୋଳ ରୋକିବାକୁ ଯାଇଥିବା ପୁଲିସ ଟିମ୍କୁ ଟାର୍ଗେଟ କରିବା ସହ ପୁଲିସ ଗାଡ଼ି ଭଙ୍ଗାରୁଜା ଓ କର୍ମଚାରୀଙ୍କୁ ଲାଠି, ଲୁହାରଡ୍ରେ ଆକ୍ରମଣ କରାଯାଇଥିବା ସଙ୍ଗିନ ଅଭିଯୋଗ ହୋଇଛି। ଖୋଦ୍ ପୁଲିସ କର୍ମଚାରୀ ଆକ୍ରମଣର ଶିକାର ହେବା ଘଟଣା ଧୂଷୁରୀ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏପରିକି ପୁଲିସ କର୍ମଚାରୀଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ ହୋଇଥିବା ଏତଲାରେ ଉଲ୍ଲେଖ ରହିଛି। ଅଭିଯୋଗ ଅନୁଯାୟୀ, ଗତ ୧୫ ତାରିଖ ଅପରାହ୍ନ ପ୍ରାୟ ୩ ଟାରେ ଧୂଷୁରୀ ଥାନା ଅନ୍ତର୍ଗତ ମିର୍ଗାହଟକୁଳ ଗ୍ରାମରେ ଗଣ୍ଡଗୋଳ ହେଉଥିବା ଖବର ପାଇ ଆଇଆଇସି ଙ୍କ ନିର୍ଦ୍ଦେଶରେ ପୁଲିସ ଟିମ ଘଟଣାସ୍ଥଳରେ ପହଂଚିଥିଲା। ସେଠାରେ ଘଟଣା ସମ୍ପର୍କରେ ପଚରାଉଚରା କରୁଥିବା ସମୟରେ କିଛି ବ୍ୟକ୍ତି ପୁଲିସ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପୁଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏଥିରେ ଅଟକି ନ ରହି ଲାଠି ଓ ଲୁହାରଡ ରେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଏତଲାରେ ଦର୍ଶାଯାଇଛି।ଏଭଳି ଘଟଣାକୁ ନେଇ ଧୂଷୁରୀ ଥାନାର କର୍ମଚାରୀ ପ୍ରଭାତ କୁମାର ବେହେରାଙ୍କ ଅଭିଯୋଗ ଆଧାରରେ ଥାନା କେସ ନଂ ୫୦୧/୨୦୨୬ ରୁଜୁ ହୋଇଛି। ମାମଲାରେ ରବୀନ୍ଦ୍ର ମଲିକ, ମିତିକା ମଲିକ, ଗୌରାଙ୍ଗ ମଲିକ, ରିନା ମଲିକ, ଶ୍ରୀଧର ମଲିକ, ଲିପୁନ ମଲିକ, ମମାଲି ମଲିକ, ବିଟୁନ ମଲିକ, ସନ୍ଧ୍ୟାରାଣୀ ମଲିକ, ଶାନ୍ତି ମଲିକ, ଶଶୀକାନ୍ତ ମଲିକ, ଗୁଣୀ ମଲିକ ଓ ଭବାନୀ ମଲିକ ଙ୍କ ସମେତ ଅନ୍ୟମାନଙ୍କ ନାମରେ ବିଏନ୍ଏସ ର ୧୧୫(୨), ୧୧୭(୨), ୧୨୬(୨), ୧୩୨, ୨୨୧, ୨୯୬ ଓ ୩(୫) ଧାରାରେ ମାମଲା ରୁଜୁ ହୋଇଛି । ଆଇନଶୃଙ୍ଖଳା ରକ୍ଷା କରିବାକୁ ଯାଇଥିବା ପୁଲିସ ଟିମ ଉପରେ ଆକ୍ରମଣ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପୁଲିସ ତଦନ୍ତ ଜାରି ରଖିଛି।
Home ଜିଲ୍ଲା ପରିକ୍ରମା ଖାକି ବର୍ଦ୍ଦିକୁ ଚ୍ୟାଲେଞ୍ଜ, ଗଣ୍ଡଗୋଳ ରୋକିବାକୁ ଯାଇ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ ଅଭିଯୋଗ,ପୁଲିସ ଗାଡ଼ି...






