Home କେନ୍ଦ୍ରାପଡ଼ା ଓଡିଶା କନଷ୍ଟ୍ରକସନ ୱାର୍କର୍ସ ୟୁନିଅନର ଜିଲ୍ଲା ସମ୍ମିଳନୀ

ଓଡିଶା କନଷ୍ଟ୍ରକସନ ୱାର୍କର୍ସ ୟୁନିଅନର ଜିଲ୍ଲା ସମ୍ମିଳନୀ

80

କେନ୍ଦ୍ରାପଡ଼ା ୨୦ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡିଶା କନଷ୍ଟ୍ରକସନ ୱାର୍କର୍ସ ୟୁନିଅନର କେନ୍ଦ୍ରାପଡା ଜିଲ୍ଲା ସମ୍ମିଳନୀ ସହରର ଖଡିଅଙ୍ଗସ୍ଥିତ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ସମ୍ମିଳନୀରେ ବରିଷ୍ଠ ନେତା ମାଧବ ଦାସ ପତକା ଉତ୍ତୋଳନ କରିଥିଲେ। ୯୫ହଜାରରୁ ଉର୍ଦ୍ଧ୍ୱ ନିର୍ମାଣ ଶ୍ରମିକମାନଙ୍କୁ କରୋନା ସହାୟତା ପ୍ରଦାନ ପାଇଁ ତାଲିକାଭୁକ୍ତ କରାଯାଇଥିବା ବେଳେ ଅଦ୍ୟାବଧି ୧୮ହଜାର ନିର୍ମାଣ ଶ୍ରମିକ ପ୍ରଥମ କିସ୍ତି ପାଇନଥିବା ବେଳେ ଏକଲକ୍ଷ ୧୧ହଜାର ନିର୍ମାଣ ଶ୍ରମିକଙ୍କୁ ଦ୍ୱିତୀୟ କିସ୍ତିରେ ସହାୟତା ଦେବାକୁ ଘୋଷଣା କରାଯାଇଥିବା ବେଳେ ସେଥି ମଧ୍ୟରୁ ୪୫ହଜାର ନିର୍ମାଣ ଶ୍ରମିକ ସହାୟତା ପାଇନାହାନ୍ତି। ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସ୍ଥାଣୁ ପାଲଟିଛି। ଚାରିଆଡେ ମାଳ ମାଳ ଜାଲ ଶ୍ରମିକ ପରିଚୟପତ୍ର ପ୍ରଦାନ କରି ଦଲାଲମାନେ ଲକ୍ଷପତି ହେଉଛନ୍ତି। ଦୀର୍ଘ ୨ବର୍ଷ ହେବ ୨ଶହରୁ ଅଧିକ ମୃତ୍ୟୁକାଳୀଣ ସହାୟତା ପାଇଁ ଆବେଦନ କରାଯାଇଥିଲେବି ଏପର୍ଯ୍ୟନ୍ତ ଟଙ୍କାଟିଏ ପ୍ରଦାନ କରାଯାଇନାହିଁ। କନ୍ୟା ବିବାହ ବାବଦ ସହାୟତା ପାଇଁ ୩ଶହ ଆବେଦନପତ୍ର ପଡିଛି। ଜିଲ୍ଲାରେ ନିର୍ମାଣ ଶ୍ରମିକ ସଂଗଠନମାନେ ପେଟ ପୋଷିବା ସଂସ୍ଥାରେ ପରିଣତ ହୋଇଛନ୍ତି। ଇ-ଶ୍ରମ କାର୍ଡ ନାମରେ କେନ୍ଦ୍ର ସରକାର ବ୍ୟାପକ ପ୍ରହସନ ଚଳାଇଛନ୍ତି। ୨୦୧୮ ମସିହାରୁ ତାଲିମ ପରେ କମ୍ପାନୀମାନେ ୨ଶହ କୋଟିରୁ ଅଧିକ ଅର୍ଥ ଶ୍ରମ ଆୟୁକ୍ତଙ୍କ ଠାରୁ ନେଇଥିଲେ ମଧ୍ୟ ତାଲିମ ପାଇଥିବା ଶ୍ରମିକମାନେ ତାଙ୍କ ମଜୁରୀ ବାବଦ ୩ହଜାର ଟଙ୍କା ଏପର୍ଯ୍ୟନ୍ତ ପାଇଲେନାହିଁ। ଏହିସବୁ ଦାବି ଉପରେ ଅନୁଷ୍ଠିତ ସମ୍ମିଳନୀକୁ ବରିଷ୍ଠ ବାମପନ୍ଥୀ ନେତା ତଥା କେନ୍ଦ୍ରାପଡା ଓକିଲ ସଙ୍ଘର ପୂର୍ବତନ ସଭାପତି ଉମେଶ ଚନ୍ଦ୍ର ସିଂହ ଉଦଘାଟନ କରିଥିଲେ। ସଂଗଠନର ସଭାପତି ଧନେଶ୍ୱର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ତଥା ନିର୍ମାଣ ଶ୍ରମିକ ସଂଗଠନର ସର୍ବ ଭାରତୀୟ ନେତା ସୁରେଶ ଚନ୍ଦ୍ର ରାଉତରାୟ ସଂଗଠନକୁ ଶକ୍ତିଶାଳି କରି ବ୍ୟାପକ ଗଣଆନ୍ଦୋଳନ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥି ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିଆଇଟିୟୁ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ପୂର୍ଣ୍ଣଚନ୍ଦ୍ର ପାଢୀ ଏବଂ ସୁଦର୍ଶନ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସମ୍ପାଦକ ଜଗତଜୀବନ ଦାଶ ସମ୍ପାଦକୀୟ ବିବରଣୀ ପାଠ କଲାପରେ ତାହା ଗୃହୀତ ହୋଇଥିଲା। ଏହି ସମ୍ମିଳନୀ ଆସନ୍ତା ୩ବର୍ଷ ପାଇଁ ରମେଶ ଚନ୍ଦ୍ର ମଲିକ ସଭାପତି, ସୁରେନ୍ଦ୍ର ରାଉତ କାର୍ଯ୍ୟକାରୀ ସଭାପତି, ଦୀପା ବେହେରା, ଧନେଶ୍ୱର ରାଉତ, ରବୀନ୍ଦ୍ର ମହାକୂଡ, ପରମେଶ୍ୱର ସୁତାର ଓ ଅସିତ ମିର୍ଦ୍ଧା ଉପସଭାପତି, ମାଧବ ଦାସ ସମ୍ପାଦକ, ଜଗତଜୀବନ ଦାଶ, ସୁଷମା ପଣ୍ଡା, ଅଶୋକ ନାଥ, ମଥୁରୀ ମଲିକ, ମାନଗୋବିନ୍ଦ ତ୍ରିପାଠୀ, ଶାରଦା ପ୍ରସାଦ ସାହୁ, ବିନୟ ମଲିକ ସହ ସମ୍ପାଦକ ଏବଂ ସ୍ନେହଲତା ଗାହାଣ କୋଷାଧ୍ୟକ୍ଷ ଥାଇ ଏକ ୩୫ଜଣିଆ କାର୍ଯ୍ୟକାରୀ କମିଟି ନିର୍ବାଚିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.