Home Top News ଉପକୂଳ ଓଡିଶା ସମେତ କେନ୍ଦ୍ରାପଡାବାସୀଙ୍କ ଲାଇଫ୍‌ଲାଇନ୍ ହେବ କୋଷ୍ଟାଲ୍ ହାଇୱେ – ଧର୍ମେନ୍ଦ୍ର ପ୍ରଧାନ

ଉପକୂଳ ଓଡିଶା ସମେତ କେନ୍ଦ୍ରାପଡାବାସୀଙ୍କ ଲାଇଫ୍‌ଲାଇନ୍ ହେବ କୋଷ୍ଟାଲ୍ ହାଇୱେ – ଧର୍ମେନ୍ଦ୍ର ପ୍ରଧାନ

33

କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

– ଖୁବ ଶୀଘ୍ର ହରିଦାସପୁର-ପାରାଦୀପ ଯାତ୍ରୀବାହୀ ଏବଂ ମାଲବାହୀ ରେଳଲାଇନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
– କେନ୍ଦ୍ରାପଡା ମହାକାଳପଡାରେ ନଦୀଭିତିକ ବନ୍ଦର ପ୍ରତିଷ୍ଠା ପାଇଁ ଖୁବ ଶୀଘ୍ର ହେବ ଏମଓୟୁ
– ପାରାଦୀପ ବନ୍ଦରରେ ୱେଷ୍ଟନ୍ ଡକ୍ ନିର୍ମାଣର ବିକାଶ ଦ୍ୱାରା ଲାଭବାନ ହେବେ କେନ୍ଦ୍ରାପଡାବାସୀ
– କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜିଉଙ୍କୁ ଦର୍ଶନ କଲେ

କେନ୍ଦ୍ରାପଡ଼ା, ଜାନୁଆରୀ ୨୪ (ଓଡ଼ିଆ ପୁଅ) – ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳରେ ପ୍ରାୟ ୯ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ୪୫୧ କିମି ଲମ୍ବ ଦୀଘା-ଗୋପାଳପୁର ଉପକୂଳ ରାଜପଥ ପ୍ରକଳ୍ପ ତଥା କୋଷ୍ଟାଲ ହାଇୱେ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଉପକୂଳ ଓଡ଼ିଶାର ଲାଇଫଲାଇନ ହେବ ବୋଲି କେନ୍ଦ୍ରାପଡା ଜିଲ୍ଲାର ସମସ୍ତ କାର୍ଯ୍ୟକ୍ରମ ସାରିବା ପରେ ଏକ ପ୍ରେସମିଟ୍ ଜରିଆରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡାର ନଦୀମୁହାଁଣ ଠାରେ ହେବାକୁ ଥିବା ମହାନଦୀ ବନ୍ଦର ପ୍ରକଳ୍ପ ଓ ପାରାଦୀପ ବନ୍ଦରେର ୱେଷ୍ଟର୍ଣ୍ଣ ଡକ୍ ପ୍ରକଳ୍ପର ନିର୍ମାଣ ଦ୍ୱାରା କେନ୍ଦ୍ରାପଡ଼ାବାସୀ ଅଧିକ ଲାଭ ପାଇବେ। ଏହାସହ ଖୁବ ଶୀଘ୍ର କେନ୍ଦ୍ରାପଡାରେ ହରିଦାସପୁର-ପାରାଦୀପ ଯାତ୍ରୀବାହୀ ଏବଂ ମାଲବାହୀ ଉଭୟ ରେଳଲାଇନର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ କରାଯିବ ଓ ଏହି ଭବ୍ୟ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀ ମଧ୍ୟ ସାମିଲ ହେବେ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶା ସରକାର ଓ ଭାରତ ସରକାର ମିଳିତ ଭାବରେ ଦୀଘା-ଗୋପାଳପୁର ଉପକୂଳ ରାଜପଥ ପ୍ରକଳ୍ପକୁ ଆଗକୁ ନେବାର ଯୋଜନା କରୁଛନ୍ତି। ପୂର୍ବୋଦୟରେ ପୂର୍ବ ଭାରତର ବିକାଶକୁ ପ୍ରଧାନମନ୍ତ୍ରୀ ପ୍ରଧାନ୍ୟ ଦେଉଛନ୍ତି। ଏହି କୋଷ୍ଟାଲ ହାଇୱେ ହେଲେ ଉପକୂଳ ଓଡ଼ିଶାର ଶିଳ୍ପ, ପର୍ଯ୍ୟଟନ, କୃଷି ଓ ଆନୁସାଙ୍ଗିକ କ୍ଷେତ୍ରରେ ଏହା ଲାଇଫଲାଇନ ସଦୃଶ ହେବ ହେବ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବରକନ୍ଧା ପଂଚାୟତର ଆଖଡ଼ାଶାଳି ଠାରେ ମହାନଦୀର ଶାଖା ନଦୀରେ ଏକ ବନ୍ଦର ପ୍ରତିଷ୍ଠା ହେବ। ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଅଧିକ ଲୋକ ନିଯୁକ୍ତି ପାଇବାର ଆକଳନ କରାଯାଇଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ହରିଦାସପୁର ପାରାଦୀପ ରେଳ ଲାଇନ କେନ୍ଦ୍ରାପଡ଼ା ଜିଲ୍ଲାର ଆର୍ôଥକ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ। ଏହି ପ୍ରକଳ୍ପ ପାଇଁ ପାରାଦୀପ ବନ୍ଦର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ନୀତିଗତ ଅନୁମୋଦନ ହୋଇସାରିଥିବା ଖୁବ ଶୀଘ୍ର ଏମଓୟୁ ହେବ ବୋଲି ସେ ସୂଚନା ଦେଇଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପାରାଦୀପରେ ୱେଷ୍ଟନ୍ ଡକ୍ ନିର୍ମାଣର ବିକାଶ ସମେତ “ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ବନ୍ଦର ସୁବିଧା ବଢାଇବା” ସମ୍ପର୍କୀତ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ୩ ହଜାର ୪ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ସରକାରୀ ଓ ବେସରକାରୀ ସହଯୋଗ ତଥା ପିପିପି ମୋଡ଼ରେ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣରେ ମହତ୍ୱପୂର୍ଣ୍ଣ ଭୂମିକା ନେବ। ପାରାଦୀପ ବନ୍ଦରରେ ଏହି ବିକାଶର କାମ ଖୁବ ଶୀଘ୍ର ଆରମ୍ଭ ହେବ। ପାରାଦୀପ ବନ୍ଦରକୁ ବଡ଼ ବଡ଼ ଜାହାଜ ଆସିବା ନେଇ ଯେଉଁ ସମସ୍ୟା ହେଉଥିଲା, ଏହା ଏହା ଦୂର ହେବ ଓ ବନ୍ଦରରେ ଶିଳ୍ପ ଅର୍ଥନୀତିକୁ ବୃଦ୍ଧି କରିବା ସହ ଅଧିକ ରୋଜଗାର ସୃଷ୍ଟି ହେବ। ଏହାସହ ଖୁବ ଶୀଘ୍ର କେନ୍ଦ୍ରାପଡାରେ ଇସ୍ପାତ୍ କାରଖାନା ନିର୍ମାଣ ହେବାର ସମ୍ଭାବନା ତିଆରି ହୋଇପାରିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହି କେନ୍ଦ୍ରାପଡା ଗସ୍ତକାଳରେ ଶ୍ରୀ ପ୍ରଧାନ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜିଉ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ସହ ଜିଲ୍ଲାର ଶ୍ରୀବନ୍ତପୁର (ପାଳକଣା) ଠାରେ ଥିବା ମା’ ନିମ୍ବଦାରୁ ପୀଠରେ ପ୍ରତ୍ୟକ୍ଷ ଦେବୀ ଠାକୁରାଣୀଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.