Home Coronavirus Outbreak ଆର୍ଥିକ କାର୍ଯ୍ୟଦକ୍ଷତା ଓ ମାନବିକ ସାମର୍ଥ୍ୟ ବୃଦ୍ଧିର ମୂଳପିଣ୍ଡ ହେଉଛି ସ୍ୱାସ୍ଥ୍ୟ – ବିଶ୍ଵ ସ୍ୱାସ୍ଥ୍ୟ...

ଆର୍ଥିକ କାର୍ଯ୍ୟଦକ୍ଷତା ଓ ମାନବିକ ସାମର୍ଥ୍ୟ ବୃଦ୍ଧିର ମୂଳପିଣ୍ଡ ହେଉଛି ସ୍ୱାସ୍ଥ୍ୟ – ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଅଧ୍ୟକ୍ଷ ଡଃ ହର୍ଷ ବର୍ଦ୍ଧନ

294

ଜନସ୍ୱାସ୍ଥ୍ୟ ଦାୟିତ୍ଵ ବହନ କରିବା ପାଇଁ ଅଙ୍ଗୀକାରବଦ୍ଧ, କହିଲେ ଡଃ ହର୍ଷ ବର୍ଦ୍ଧନ

ନୂଆ ଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) ୨୦୨୦-୨୧ ବର୍ଷ ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କାର୍ଯ୍ୟକାରୀ ବୋର୍ଡର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ବୋର୍ଡର ୧୪୭ତମ ଅଧିବେଶନରେ ଜାପାନର ଡଃ ହିରୋକି ନାକାତାନିଙ୍କ ସ୍ଥାନରେ ଡଃ ହର୍ଷ ବର୍ଦ୍ଧନ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଅଧ୍ୟକ୍ଷ ଆସନ ଅଳଙ୍କୃତ କରିବା ପରେ କୋଭିଡ-୧୯ ବୈଶ୍ଵିକ ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲକ୍ଷ ଲକ୍ଷ ବିଶ୍ଵବାସୀଙ୍କ ପ୍ରତି ଡଃ ହର୍ଷ ବର୍ଦ୍ଧନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥିଙ୍କ ଗହଣରେ କୋଭିଡ ଯୋଦ୍ଧାମାନଙ୍କ ଅସିମ ତ୍ୟାଗ ଓ ସଂକଳ୍ପ ପ୍ରତି ସାଧୁବାଦ ଜଣାଇଛନ୍ତି।

ଏହି ଗୁରୁ ଦାୟିତ୍ଵ ମୋତେ ଅର୍ପଣ କରାଯାଇଥିବାରୁ ମୁଁ ନିଜକୁ ଗୌରବାନ୍ଵିତ ମନେ କରିବା ସହ ମୋର ଦେଶବାସୀଙ୍କ ପ୍ରତି କୃତଜ୍ଞତା ଜଣାଉଛି। କୋଭିଡ-୧୯ ପରି ବୈଶ୍ଵିକ ମହାମାରୀ ସମଗ୍ର ମାନବ ଜାତି ପାଇଁ ଏକ ମୁକାବିଲା ଭାବେ ସ୍ଵୀକାର କରି ଆଗାମୀ ଦୁଇ ଦଶନ୍ଧି ଖୁବ ଆହ୍ଵାନମୂଳକ ହେବ ବୋଲି ସେ କହିଛନ୍ତି। ସମନ୍ଵିତ ଦାୟିତ୍ଵ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସମସ୍ତ ସଦସ୍ୟ ଦେଶମାନଙ୍କ ପାଇଁ ଏକ ଆଦର୍ଶ ହୋଇଥିବା ବେଳେ ସମସ୍ୟାର ମୁକାବିଲା ପାଇଁ ସମନ୍ଵିତ ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏହି ବୈଶ୍ଵିକ ମହାମାରୀ ସମଗ୍ର ମାନବ ଜାତିକୁ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ଦିଗ ପ୍ରତି ସଚେତନ କରାଇଛି। ବୈଶ୍ଵିକ ଜନସ୍ୱାସ୍ଥ୍ୟ ପଦ୍ଧତି ପାଇଁ ଅଧିକ ପୁଞ୍ଜି ଆବଶ୍ୟକ ସହ ଏହାକୁ ସୁଦୃଢ କରିବାକୁ ପଡିବ ବୋଲି ସେ କହିଛନ୍ତି।

ଡଃ ହର୍ଷ ବର୍ଦ୍ଧନ କୋଭିଡ-୧୯ ମୁକାବିଲା ଦିଗରେ ଭାରତୀୟ ଅଭିଜ୍ଞତାର ମଧ୍ୟ ଅବତାରଣା କରିଛନ୍ତି। ସେ କହିଛନ୍ତି ଯେ, ଆମ ଦେଶରେ କରୋନା ମୃତ୍ୟୁ ହାର ମାତ୍ର ଶତକଡା ୩ ଭାଗ ରହିଛି। ୧୩୫ କୋଟି ବିଶିଷ୍ଟ ଜନସଂଖ୍ୟା ଦେଶରେ କୋଭିଡ -୧୯ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ହୋଇଥିବା ବେଳେ ଶତକଡା ୪୦ ଭାଗ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇପାରିଛନ୍ତି।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କାର୍ଯ୍ୟକାରୀ ବୋର୍ଡର ନୂତନ ଅଧ୍ୟକ୍ଷ ଭାବେ ବିଭିନ୍ନ ରୋଗର ନିରାକରଣ ପାଇଁ ନିଜର ସଂକଳ୍ପବଦ୍ଧତାକୁ ସେ ଦୋହରାଇଛନ୍ତି। ପାରସ୍ପାରିକ ସହଯୋଗ ଓ ସଂକଳ୍ପବଦ୍ଧ ପ୍ରୟାସ ଦ୍ଵାରା ବିଶ୍ୱରୁ ଅନେକ ରୋଗର ମୂଳୋତ୍ପାଟନ କରାଯିବା ସହ ବିଶ୍ଵବ୍ୟାପୀ ଔଷଧପତ୍ର ଓ ଟୀକାର ଆବଶ୍ୟକତାକୁ ଅଗ୍ରାଧିକାର ଭିତ୍ତିରେ ଦୂର କରିବାକୁ ହେବ। ସଂଗଠନର ସଦସ୍ୟ ରାଷ୍ଟ୍ର ଓ ଏଥିରେ ସିଂହ ଭାଗ ଥିବା ରାଷ୍ଟ୍ରଗୁଡିକ ସମ୍ମିଳିତ ଉଦ୍ୟମ କରି ସମନ୍ଵିତ ବିକାଶର ଲକ୍ଷ ହାସଲ କରିପାରିବେ। ସଂଗଠନର ସମନ୍ଵିତ ବିକାଶ ଓ ନେତୃତ୍ଵ ବଳରେ ଏହି ସ୍ଵପ୍ନକୁ ସାକାର କରିବା ପାଇଁ ସବୁପ୍ରକାରର ଚେଷ୍ଟା ସେ କରିବେ ବୋଲି କହିଛନ୍ତି।

ଡଃ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଜାତି, ଧର୍ମ, ବର୍ଣ୍ଣ, ସାମାଜିକ ଓ ଆର୍ଥିକ ଅବସ୍ଥା ଓ ରାଜନୈତିକ ଚିନ୍ତାଧାରାରୁ ଊର୍ଦ୍ଧ୍ଵରେ ରହି ବିଶ୍ଵବ୍ୟାପୀ ସ୍ଵାସ୍ଥ୍ୟସେବା ମାନବୃଦ୍ଧି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମୂଳ ଲକ୍ଷ୍ୟ। ସେଦୃଷ୍ଟିରୁ ଆମ୍ଭେମାନେ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସହ ମିଶି ସୁଦୃଢ ବୈଶ୍ଵିକ ସ୍ଵାସ୍ଥ୍ୟସେବା ଲକ୍ଷ୍ୟକୁ ହାସଲ କରିପାରିବା ବୋଲି ସେ କହିଛନ୍ତି। ଡଃ ହର୍ଷ ବର୍ଦ୍ଧନ କାର୍ଯ୍ୟକାରୀ ବୋର୍ଡର ଅଧ୍ୟକ୍ଷ ପଦ ସମ୍ଭାଳିବା ସହ ବିଶ୍ଵର ଭବିଷ୍ୟତ ସ୍ୱାସ୍ଥ୍ୟ ଦୃଶ୍ୟପଟ ନେଇ ମଧ୍ୟ ନିଜର ଚିନ୍ତାଧାରା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ମାନବିକ ସାମର୍ଥ୍ୟ ଓ ଆର୍ଥିକ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ସ୍ୱାସ୍ଥ୍ୟ ହେଉଛି ମୂଳ ଉପାଦାନ। ତେବେ ପ୍ରକୃତି ସହ ଉତ୍ତମ ବୁଝାମଣା ଉପରେ ଜନସ୍ୱାସ୍ଥ୍ୟ ନୀତି ପର୍ଯ୍ୟବସିତ ହେବା ଆବଶ୍ୟକ। ଏହାମଧ୍ୟ ଭାରତୀୟ ପାରମ୍ପାରିକ ଭେଷଜ ପଦ୍ଧତି ଓ ଜନସ୍ୱାସ୍ଥ୍ୟ ଉପରେ ପର୍ଯ୍ୟବସିତ ବୋଲି ତାଙ୍କର ନିଜର ଅଭିଜ୍ଞତା ରହିଛି। ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାସ୍ଥ୍ୟ ସଚେତନତା ଆହ୍ଵାନ ଭାରତର ସାର୍ବଜନୀନ ସ୍ୱାସ୍ଥ୍ୟ ନୀତିକୁ ପରିପୃଷ୍ଟ କରିଛି।

ଭାରତରୁ ପୋଲିଓ ଦୂର କରିବା ଦିଗରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଦୃଢ ସମର୍ଥନ ପ୍ରତି ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ନୈତିକ ସମର୍ଥନ ବିନା ଏହା ସେ କରିପାରି ନଥାନ୍ତେ ଓ ଆଜି ଭାରତରୁ ପୋଲିଓ ଦୂର ହୋଇ ନଥାନ୍ତା ବୋଲି ସେ କହିଛନ୍ତି।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ପୋଲିଓ ଉନ୍ମଳନ ସହ ବିଭିନ୍ନ ସମ୍ମାନସ୍ପଦ କମିଟିରେ ସଦସ୍ୟ ଭାବେ କାର୍ଯ୍ୟ କରିବା ସହ ସେ ସଂଗଠନର ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ବିଶ୍ଵ ସ୍ଵାଷ୍ଠ ସଂଗଠନର କାର୍ଯ୍ୟକାରୀ ବୋର୍ଡରେ ୩୪ଜଣ ବୈଷୟିକ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତି ୩ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି। ବିଶ୍ଵ ସ୍ୱାସ୍ଥ୍ୟ ପରିଷଦର ବିଭିନ୍ନ ନିଷ୍ପତ୍ତି ଓ ନୀତିକୁ କାର୍ଯ୍ୟ କରିବାର ଦାୟିତ୍ଵ ଏହି ବୋର୍ଡ ଉପରେ ନ୍ୟସ୍ତ ହୋଇଛି। ଡଃ ହର୍ଷ ବର୍ଦ୍ଧନଙ୍କ ଦୀର୍ଘ ଦିନର କ୍ୟାରିୟରରେ ଏହା ଏକ ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ୧୯୭୯ରେ କାନପୁରସ୍ଥିତ ଜିଏସଭିଏମ ଭେଷଜ ମହାବିଦ୍ୟାଳୟରୁ ସ୍ନାତକ ଓ ୧୯୮୩ରେ ଭେଷଜ ଶାସ୍ତ୍ରରେ ଅଧିସ୍ନାତକ ଉପାଧି ଲାଭ କରିଥିଲେ। ୧୯୯୩ରେ ଦିଲ୍ଲୀ ବିଧାନସଭାକୁ ନିର୍ବାଚିତ ହେବା ପର୍ଯ୍ୟନ୍ତ ସେ ସରକାରୀ ଚାକିରିରେ କାର୍ଯ୍ୟ କରୁଥିଲେ। ୨୦୧୪ରେ ଚାନ୍ଦିନୀଚୌକରୁ ଲୋକସଭାକୁ ନିର୍ବାଚିତ ହେବା ପର୍ଯ୍ୟନ୍ତ ସେ ପାଞ୍ଚ ଥର ପାଇଁ ବିଧାନସଭା ସଦସ୍ୟ ଥିଲେ। ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସେ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଆଇନ ଓ ନ୍ୟାୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୪ରେ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବାବେଳେ ସେ ଦିଲ୍ଲୀରେ ୩ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମକୁ ସଫଳ କରାଇପାରିଥିଲେ। ଏହାହିଁ ଦେଶକୁ ପୋଲିଓ ମୁକ୍ତ କରିବାର ମୂଳଦୁଆ ପକାଇଥିଲା। ସେ Delhi Prohibition of Smoking and Non-Smokers Health Protection Act, ୧୯୯୭କୁ ତ୍ୱରାନ୍ୱିତ କରିବା ପରେ ଦେଶର ଅନ୍ୟାନ୍ୟ ରାଜ୍ୟ ଏହାକୁ ଆପଣାଇଥିଲେ।

ଡଃ ହର୍ଷ ବର୍ଦ୍ଧନ ୨୦୧୪ରେ କେନ୍ଦ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ପରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଭୂ-ବିଜ୍ଞାନର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ମଧ୍ୟ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୧୯ରେ ସେ ସପ୍ତଦଶ ଲୋକସଭାକୁ ପୁନଃନିର୍ବାଚିତ ହୋଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଭୂ-ବିଜ୍ଞାନ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇ ଆସୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.