ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଜଳସମ୍ପଦ ବିଭାଗରେ ଥିବା ୮୦ଟନ ଲୁହା କୁ ଆଜି ଏହି ବିଭାଗର କନିଷ୍ଠଯନ୍ତ୍ରୀ ଚୋରା ଚାଲାଣ କରୁଥିବା ବେଳେ ଚାନ୍ଦବାଲି ପୁଲିସ ସଂପୃକ୍ତ ଲୁହାବୋଝେଇ ଟ୍ରକକୁ ଜବତ କରିଛନ୍ତି।ପ୍ରାପ୍ତ ଖବର ଅନୁଯାଇ ଏହି ବିଭାଗର କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକ ଚାନ୍ଦବାଲି ଠାରେ ଥିବା ଜଳସମ୍ପଦ ବିଭାଗର ଗୋଦାମ ଗୃହରେ ୮୦ଟନରୁ ଅଧିକ ଲୁହାକୁ ଚୋରାରେ ବିକ୍ରି କରିବା ପାଇଁ ଏକ କବାଡିଆ ମାଲିକ ମାନସ ସାମଲ ସହ ଯୋଗାଯୋଗ କରିଥିଲେ। ଆଜି ସଂପୃକ୍ତ ଟ୍ରକ ମାଲିକ ନିଜର ଏକ ଜେସିବି ଲଗାଇ ଏହି ଲୁହାକୁ ଏକ ଟ୍ରକ ରେ ଲୋଡ କରୁଥିବା ସମୟରେ ବିଭାଗୀୟ ଏସଡିଓଙ୍କ ନିକଟରୁ ଖବର ପାଇ ଚାନ୍ଦବାଲି ପୁଲିସ ସେଠାରେ ପହଂଚି ଜେସିବି ସହ ଲୁହା ବୋଝେଇ ଟ୍ରକକୁ ଜବତ କରି ଥାନାକୁ ଆଣିଛି। ଖବର ଅନୁଯାଇ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ଭଙ୍ଗା ଲୁହା /ସ୍କ୍ରାପ କୁ କମାରିଆ କୁ ନେଇ ଯାଉଛନ୍ତି ଏବଂ ପୁନଶ୍ଚ ଏହାକୁ ଚାନ୍ଦବାଲି ଗୋଦାମକୁ ଫେରାଇ ଅଣାଯିବ ମାତ୍ର କାହିଁକି ଏହି ଭଙ୍ଗା ଲୁହା ଏଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ ହେଉଛି ଏବଂ ପୁନଶ୍ଚ କାହିଁକି ଫେରାଯିବ ବୋଲି ପଚାରିବାରୁ ସେ କୌଣସି ଉତର ଦେବା ପରିବର୍ତେ ଏହି ଚୋରା ଚାଲାଣ ରେ ବିଭାଗୀୟ ଅଧିକାରୀ ଯଥା ଅଧୀକ୍ଷଣ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ ଏବଂ ଯନ୍ତ୍ରୀ ମୁଖ୍ୟ ଅବଗତ ବୋଲି କହିଥିଲେ। ମାତ୍ର ଏହି ବିଷୟରେ ସଂପୃକ୍ତ ଏସଡିଓ ସୁରଜ ମଲିକଙ୍କୁ ପଚାରିବାରୁ ସେ ଏହି ବିଷୟରେ କିଛି ଜାଣି ନାହାନ୍ତି, ସଂପୃକ୍ତ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକ ଏହି ଲୁହାକୁ ବିକ୍ରି କରିଦେଉଛନ୍ତି ବୋଲି କହିବା ସହ ସେ ଏହି ଲୁହାକୁ ଜବତ କରିବା କୁ ଚାନ୍ଦବାଲି ଥାନାଧିକାରୀଙ୍କୁ ଅବଗତ କରାଇଛନ୍ତି । ଆଜି ଛୁଟି ଦିନ ଥିବା ବେଳେ କିପରି ସଂପୃକ୍ତ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ଏସଡିଓଙ୍କ ବିନା ଆଦେଶ /ନିର୍ଦେଶ ରେ ଏହାକୁ ଚୋରାରେ ବିକ୍ରି କରିବାକୁ ସାହାସ କଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଏଥିସହ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଏହି ଚୋରା ଲୁହା ବେପାରରେ ଅନ୍ୟ ଯନ୍ତ୍ରୀ ଜଡିତ ବୋଲି କହିଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ ହୋଇ ପଡିଛି। ବିଗତ ଦିନରେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଏଫ-୨ କାର୍ଯ୍ୟ ହୋଇ ନଥିବା ବେଳେ ଏସଡିଓଙ୍କ ବିନା ଦସ୍ତଖତରେ ୨କୋଟି ଟଙ୍କା ସଂପୃକ୍ତ ଠିକାଦାରଙ୍କୁ ପ୍ରଦାନ କରିବା , ସରକାରୀ ସ୍ଥାନ ଯଥା ଗୋଚରରୁ ମାଟି ଉଠାଇ ସଂପୃକ୍ତ ଠିକାଦାରକୁ ରାତାରାତି ବିଲ କରାଇବା ଏବଂ ବହୁ କାର୍ଯ୍ୟ ହୋଇ ନଥିବା ବେଳେ ଏସଡିଓଙ୍କ ଦସ୍ତଖତ ବିନା ସଂପୃକ୍ତ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକ ଏବଂ ଆଖୁଆ ପଦା ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜିବ ସାମଲ ଏହି ସମସ୍ତ ବିଲ ପ୍ରଧାନ କଲେ ତାହା ର ତଦନ୍ତ ଚାଲିଥିବା ବେଳେ ଆଜି ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ବାଣିଶ୍ରୀ ନାୟକ ଙ୍କ ଏତାଦୃଶ କାର୍ଯ୍ୟ ର ବିଦ୍ଧିବଦ୍ଧ ତଦନ୍ତ କରିବା ସହ ଏହି ଚୋରିରେ ଜଡିତ ଥିବା ସଂପୃକ୍ତ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକଙ୍କୁ ଗିରଫ କରିବାକୁ ଚାନ୍ଦବାଲି ବାସୀ ଦାବୀ ଜଣାଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଏହି ବିଭାଗରୁ ଦୀର୍ଘ ୨ବର୍ଷ ହେବ ଅବସର ନେଇଥିବା ପିଅନ ଦେବକୀ ଦାସ କିପରି ଆସି ଏହି ଚୋରା ଚାଲାଣରେ ସଂପୃକ୍ତି ହେଲେ ଏବଂ ଏଥିପାଇଁ ସଂପୃକ୍ତ ଏସଡିଓ କୌଣସି ଅନୁମତି ଦେଇ ନଥିବା ବେଳେ କିପରି ସେ ଏହି ଚୋରା ଚାଲାଣ ବେଳେ ଉପସ୍ଥିତ ରହି ଚୋରା ବେପାରୀଙ୍କୁ ସାହାଯ୍ୟ କରୁଥିଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ ହୋଇ ପଡିଛି।
Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ଜଳସମ୍ପଦ ବିଭାଗର ୮୦ଟନ ଲୁହା ବିକ୍ରି ବେଳେ ଲୁହା ବୋଝେଇ ଟ୍ରକ ଜବତ, କନିଷ୍ଠଯନ୍ତ୍ରୀ...








