Home ଓଡ଼ିଶା ତୁଟିଲା ବନ୍ଧନ; ବିଜେପି ବନ୍ଧନରେ ବାନ୍ଧି ହେବେ ଆଦିତି ..

ତୁଟିଲା ବନ୍ଧନ; ବିଜେପି ବନ୍ଧନରେ ବାନ୍ଧି ହେବେ ଆଦିତି ..

754

ନୂଆଦିଲ୍ଲୀ: ଜାତୀୟ କଂଗ୍ରେସର ଯୁବା ମହିଳା ଚେହେରା ତଥା ‘ପ୍ରିୟଦର୍ଶିନୀ କଂଗ୍ରେସ’ ସାଧାରଣ ସମ୍ପାଦିକା ଦାୟିତ୍ୱରେ ଥିବା ଆଦିତି ସିଂଙ୍କର କଂଗ୍ରେସ ମୋହ ତୁଟି ଯାଇଛି। ଉତ୍ତରପ୍ରଦେଶ ରାଏ ବରେଲି ବିଧାନସଭା ଆସନରୁ କଂଗ୍ରେସ ବିଧାୟିକା ଆଦିତ୍ୟ ସିଂ ବସ ପ୍ରସଙ୍ଗରେ ବିଜେପି ପଦକ୍ଷେପକୁ ସମର୍ଥନ ଦେଇ ନିଜ ଦଳ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସଙ୍କଟ ସମୟରେ ନିମ୍ନ ସ୍ତରୀୟ ରାଜନୀତିର ଆବଶ୍ୟକତା କ’ଣ ପାଇଁ ବୋଲି ପ୍ରଶ୍ନ କରି ଆଦିତି ସିଧାସଳଖ ପ୍ରିୟଙ୍କା ଭଡ୍ରାଙ୍କୁ (ଗାନ୍ଧୀ) ସମାଲୋଚନା କରିଛନ୍ତି। ଏହାକୁ ଗୁରୁତର ସହ ନେଇ କଂଗ୍ରେସ ବିଧାୟିକା ଆଦିତ୍ୟ ସିଂଙ୍କୁ ଦଳର ମହିଳା ୱିଙ୍ଗ ‘ପ୍ରିୟଦର୍ଶିନୀ କଂଗ୍ରେସ’ ସାଧାରଣ ସମ୍ପାଦିକା ପଦରୁ ନିଲମ୍ବତ କରାଯାଇଛି, ଏବଂ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ନିଜ ଦଳକୁ ପ୍ରଶ୍ନ କରି ଏଭଳି ନିମ୍ନ ସ୍ତରର ରାଜନୀତିର ଆବଶ୍ୟକତା କ’ଣ ବୋଲି କଂଗ୍ରେସ ବିଧାୟକ ଆଦିତ୍ୟ ସିଂ କହିଥିଲେ। ଯେଉଁ ୧୦୦୦ ବସ୍ ତାଲିକା ଦିଆଗଲା ସେଥିରୁ ଅଧା ନକଲି କିମ୍ବା କବାଡ଼ିଆର। ଏପରି ନିଷ୍ଠୁର ପରିହାସ କାହିଁକି, ଯଦି ତୁମର ବସ୍ ଥିଲା, ତେବେ ତୁମେ ସେଗୁଡ଼ିକୁ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରକୁ ପଠାଇଲ ନାହିଁ କାହିଁକି ବୋଲି ଆଦିତି ପ୍ରଶ୍ନ ଉଠାଇଥିଲେ। ଏହାସହ ଆଦିତି ଟ୍ୱିଟ୍ କରି କହିଥିଲେ ଯେ, “ଯେତେବେଳେ କୋଟାରେ ହଜାର ହଜାର ଲୋକ ଫସି ରହିଥିଲେ, ରାଜସ୍ଥାନ ସରକାର ସେମାନଙ୍କୁ ଘରେ କ’ଣ ସୀମାରେ ମଧ୍ୟ ପହଞ୍ଚାଇ ପାରିନଥାନ୍ତେ। ଯେତେବେଳେ କି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେମାନଙ୍କୁ ଘରେ ପହଞ୍ଚିବା ପାଇଁ ସୁବିଧା କରିଥିଲେ।”

ପାର୍ଟି ଲାଇନ୍ ବିରୋଧରେ ଯାଇ ବିଜେପିକୁ ସମର୍ଥନ: ମୁଁ ଜଣେ ହିନ୍ଦୁସ୍ଥାନୀ – ଆଦିତି
ଆଦିତ୍ୟ ସିଂଙ୍କ ଟ୍ୱିଟକୁ ନେଇ କଂଗ୍ରେସ ସଚିବ ତଥା ରାଏ ବରେଲି ଦାୟିତ୍ୱରେ ଥିବା କେ.ଏଲ୍ ଶର୍ମା କହିଛନ୍ତି ଯେ ଗତ ବର୍ଷ ପାର୍ଟି ହ୍ୱିପ୍ ଉଲଘଂନ କରିଥିବା କାରଣରୁ ବିଧାନସଭାରେ ଆଦିତିଙ୍କ ବିରୋଧରେ ନୋଟିସ୍ ଜାରି କରାଯାଇଥିଲା। ଯାହା ଆଜି ପର୍ଯ୍ୟନ୍ତ ଲମ୍ବିତ ଅଛି। ସେ ଉତ୍ତର ଦେବାକୁ ଏଡ଼ାଉଛନ୍ତି। ବାଚସ୍ପତି ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ଆଦିତିଙ୍କୁ ବିଧାୟକ ପଦବୀରୁ ଅଯୋଗ୍ୟ ଘୋଷଣା କରିବାକୁ ମଧ୍ୟ ପାର୍ଟି ଅନୁରୋଧ କରିଛି। ସୂଚନାଯୋଗ୍ୟ, ଆଦିତି ସିଂଙ୍କୁ ରାଜନୀତିରେ ଆଣିବାରେ ସବୁଠାରୁ ବଡ଼ ହାତ ବୋଲି ପ୍ରିୟଙ୍କା ଭଡ୍ରା (ଗାନ୍ଧୀ)ଙ୍କର ବୋଲି ବିବେଚନା କରାଯାଏ। କିନ୍ତୁ, ଗତ ବର୍ଷ ଅକ୍ଟୋବର ୨, ଅର୍ଥାତ୍ ଗାନ୍ଧୀ ଜୟନ୍ତୀ ଅବସରରେ ଲକ୍ଷ୍ନୋୖରେ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଏକ ପଦଯାତ୍ରା ଆୟୋଜନ କରିଥିଲା। ଉତ୍ତରପ୍ରଦେଶ କଂଗ୍ରେସର ସମସ୍ତ ବିଧାୟକ ଏଥିରେ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ହ୍ୱିପ୍ ଜାରୀ ହୋଇଥିଲା। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ସରକାର ୩୬ ଘଣ୍ଟିଆ ବିଧାନସଭା ଅଧିବେଶନ ଡକାଇଥିଲେ। ଯାହାକୁ ସମଗ୍ର ବିରୋଧୀ ଦଳ ବିଧାୟକ ବର୍ଜନ କରିଥିଲେ। କିନ୍ତୁ, ଆଦିତି ସିଂ ତାଙ୍କ ଦଳର ହ୍ୱିପକୁ ଅଣଦେଖା କରି ବିଧାନସଭା ଅଧିବେଶନରେ ଯୋଗ ଦେଇଥିଲେ। ଯେତେବେଳେ ତାଙ୍କୁ ଏ’ ବିଷୟରେ ପଚରାଯାଇଥିଲା, ସିଧାସଳଖ ଉତ୍ତର ଦେବା ପରିବର୍ତ୍ତେ ଆଦିତି କହିଥିଲେ, ‘ ମତେ ଯାହା ଠିକ୍ ଲାଗିଲା, ମୁଁ ତାହା କଲି। ପାର୍ଟି ନିଷ୍ପତ୍ତି କ’ଣ ନେବ ମୁଁ ଜାଣେ ନାହିଁ। ମୁଁ ଜଣେ ଶିକ୍ଷିତା ଯୁବା ବିଧାୟିକା। ବିକାଶ ପ୍ରସଙ୍ଗ ଏକ ବଡ଼ ପ୍ରସଙ୍ଗ। ଗାନ୍ଧିଜୀଙ୍କ ପ୍ରତି ଏହା ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳୀ।’ ଏହା ସହ ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗରେ ମଧ୍ୟ ପାର୍ଟି ଲାଇନ୍ ବିରୋଧରେ ଯାଇ ବିଜେପିକୁ ସମର୍ଥନ ଦେଇଥିଲେ ଆଦିତି। ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ସମର୍ଥନ ଜଣାଇ ଆଦିତି ଟ୍ୱିଟ୍ କରି ଲେଖିଥିଲେ, ‘ୟୁନାଇଟେଡ୍ ୱି ଷ୍ଟାଣ୍ଡ। ଜୟ ହିନ୍ଦ୍ # ଆର୍ଟିକିଲ୍ ୩୭୦।” ଏହା ଉପରେ ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ତ’ ଜଣେ କଂଗ୍ରେସୀ। ଯାହାର ଉତ୍ତର ଦେଇ ଆଦିତି ଲେଖିଥିଲେ, ‘ମୁଁ ଜଣେ ହିନ୍ଦୁସ୍ଥାନୀ’।

ବିଜେପି ବନ୍ଧନରେ ବାନ୍ଧିହେବେ କି ଆଦିତି –
ତେବେ, ଏହା ସହିତ ବିଶେଷ ସୂତ୍ରରୁ ମିଳୁଥିବା ଖବର ଅନୁଯାୟୀ କଂଗ୍ରେସର ଗଡ଼ କୁହାଯାଉଥିବା ରାଏ ବରେଲି ସଂସଦୀୟ ଆସନ ପାଇଁ ଆଦିତ୍ୟ ସିଂଙ୍କୁ ପ୍ରୋଜେକ୍ଟ (ପୋଷଣ) କରୁଛି ବିଜେପି। ଆଦିତି ସିଂଙ୍କ ପିତା ସ୍ୱର୍ଗତ ଅଖିଳେଶ ପ୍ରତାପ ସିଂ ପାଞ୍ଚ ଥର ବିଧାୟକ ଥିଲେ ଏବଂ ଥରେ ଲୋକସଭା ନିର୍ବାଚନରେ ​​ସୋନିଆ ଗାନ୍ଧୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ, ପରେ ସେ କଂଗ୍ରେସକୁ ଫେରିଥିଲେ। ୨୦୦୪ ମସିହାରୁ ଆମେଥି ଲୋକସଭା ଆସନରୁ ସଦସ୍ୟ ରହି ଆସୁଥିବା ସୋନିଆ ଗାନ୍ଧୀ ରାଏ ବରେଲିକୁ ସ୍ଥାନାନ୍ତରୀତ ହୋଇ ଯାଇଥିଲେ। ମାତ୍ର ଆଦିତି ସିଂ ଦଳରେ ଯୋଗଦେବା ପରେ କଂଗ୍ରେସ ରାଏବରେଲି ସଦର ବିଧାନସଭା ଆସନ ଜିତିପାରିଲା। ଏହା ପୂର୍ବରୁ ଆଦିତିଙ୍କ ପିତା ଅଧିକାଂଶ ସମୟ ଏହି ଆସନରୁ ସ୍ୱାଧୀନ ବିଧାୟକ ଭାବରେ ନିର୍ବାଚିତ ହୋଇ ଆସୁଥିଲେ। ୨୦୧୯ ନିର୍ବାଚନରେ ସୋନିଆ ଗାନ୍ଧୀଙ୍କ ବିରୋଧରେ ବିଜେପି ଦୀନେଶ ପ୍ରତାପ ସିଂଙ୍କୁ ପାର୍ଥି କରିଥିଲା। କିନ୍ତୁ ଦୀନେଶ ଶୋଚନୀୟ ଭାବରେ ହାରି ଯାଇଥିଲେ। ସେତେବେଳେ ଆଦିତି ସିଂ ଏବଂ ତାଙ୍କ ପିତା କଂଗ୍ରେସ ସହିତ ଥିଲେ। ଅନ୍ୟ ପକ୍ଷରେ କଂଗ୍ରେସର ଦୂତୀୟ ଗଡ଼ କୁହାଯାଉଥିବା ଆମେଥିରେ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରି ବିଜେପି ପାର୍ଥି ସ୍ମୃତି ଇରାନୀ ଏହି ଆସନରୁ ଜିତିଥିଲେ। ଏହାସହ ଆମେଥୀର ସଞ୍ଜୟ ସିଂ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

୩୩ ବର୍ଷୀୟା ଆଦିତି ସିଂ ଅଖିଳେଶ ସିଂଙ୍କ ଝିଅ। ଯିଏ ଏହି ଅଞ୍ଚଳର ପାଞ୍ଚ ଥର ବିଧାୟକ ହୋଇ ସାରିଛନ୍ତି। ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ଆଦିତି ରାଜନୀତିରେ ପ୍ରବେଶ କରିଥିଲେ। ପ୍ରିୟଙ୍କା ଭଡ୍ରା (ଗାନ୍ଧୀ) ତାଙ୍କୁ ରାଜନୀତିକୁ ଆଣିଥିଲେ ଏବଂ ଆଦିତି, ପ୍ରିୟଙ୍କାଙ୍କର ନିକଟତର ବୋଲି ବିବେଚନା କରାଯାଏ। ଆମେରିକାର ଡ୍ୟୁକ୍ ୟୁନିଭରସିଟିରୁ ଆଦିତି ମ୍ୟାନେଜମେଣ୍ଟ ଷ୍ଟଡିଜରେ ମାଷ୍ଟର ଡିଗ୍ରୀ କରିଛନ୍ତି। ପଞ୍ଜାବ ବିଧାନସଭା କଂଗ୍ରେସ ବିଧାୟକ ଅଙ୍ଗଦ ସିଂ ସାଇନିଙ୍କୁ ଆଦିତି ସିଂ ବିବାହ କରିଛନ୍ତି। /-ଦେବଦତ୍ତ ରଥ

ଜିଲ୍ଲାପାଳ କ୍ଷମତା; ଅପରାଧୀ ମାନସିକତା: କରୋନା ଯୋଦ୍ଧାଙ୍କ ମଦ କାରବାର

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.