Home ଜିଲ୍ଲା ପରିକ୍ରମା ରଜ ବଜାରରେ ଅସମ୍ଭାଳ ଭିଡ଼ , ଧାମନଗରରେ ଦୁଇ ଘଂଟା ଧରି ଟ୍ରାଫିକ ଜାମ

ରଜ ବଜାରରେ ଅସମ୍ଭାଳ ଭିଡ଼ , ଧାମନଗରରେ ଦୁଇ ଘଂଟା ଧରି ଟ୍ରାଫିକ ଜାମ

15

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରଜ ପର୍ବ ଅବସରରେ ଶନିବାର ଧାମନଗର ବଜାରରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପର୍ବ ପାଳନ ପାଇଁ କିଣାକିଣି କରିବାକୁ ବହୁ ସଂଖ୍ୟକ ଲୋକ ବଜାରକୁ ଆସିଥିବାରୁ ସନ୍ଧ୍ୟା ସମୟରେ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଥିଲା। ଫଳରେ ସନ୍ଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ଧାମନଗର ବଜାର ଅଂଚଳରେ ଭୟଙ୍କର ଟ୍ରାଫିକ ଜାମ ସୃଷ୍ଟି ହୋଇଥିଲା। ଥାନା ଛକରୁ ଧାମନଗର ହାଇସ୍କୁଲ ପର୍ଯ୍ୟନ୍ତ ପ୍ରାୟ ଦୁଇ ଘଂଟା ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଜାମରେ ଶହ ଶହ ଦୁଇଚକିଆ, ଚାରିଚକିଆ ଯାନ ଏବଂ ଯାତ୍ରୀବାହୀ ଗାଡ଼ି ଅଟକି ରହିଥିବାରୁ ସାଧାରଣ ଲୋକ, ବ୍ୟବସାୟୀ ଓ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରଜ ପାଇଁ ଧାମନଗର ସାପ୍ତାହିକ ହାଟ ଓ ବଜାର ଅଂଚଳରେ ପୋଷାକ, ଫଳ, ମିଠା ଓ ବିଭିନ୍ନ ଘରୋଇ ସାମଗ୍ରୀ କିଣିବାକୁ ଲୋକଙ୍କ ଭିଡ଼ ଜମିଥିଲା। ସନ୍ଧ୍ୟା ବେଳକୁ ଭିଡ଼ ଆହୁରି ବଢ଼ିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଲମ୍ବା ଧାଡ଼ିରେ ଅଟକି ରହିଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଧାମନଗର ଥାନା ଅଧିକାରୀ ଓ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଟ୍ରାଫିକ ସୁଚାରୁ କରିବାରେ ଲାଗିପଡ଼ିଥିଲେ। ଥାନା ଅଧିକାରୀ ନିଜେ ରାସ୍ତାକୁ ଓହ୍ଲାଇ ଯାନବାହନ ଚଳାଚଳ ସ୍ୱାଭାବିକ କରିବା ପାଇଁ ଭିଡ଼ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଥିଲା। ବଜାର ମଧ୍ୟରେ ଅନିୟନ୍ତ୍ରିତ ପାର୍କିଂ, ରାସ୍ତା କଡ଼ରେ ଅସ୍ଥାୟୀ ଦୋକାନ ଏବଂ ଟ୍ରାଫିକ ପରିଚାଳନାର ଅଭାବ ଜାମର ପ୍ରମୁଖ କାରଣ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ପର୍ବପର୍ବାଣୀ ସମୟରେ ବଜାର ଅଂଚଳରେ ଅତିରିକ୍ତ ଟ୍ରାଫିକ କର୍ମଚାରୀ ମୁତୟନ ସହ ଯାତାୟାତ ବ୍ୟବସ୍ଥାକୁ ସୁଚାରୁ ଭାବେ ପରିଚାଳନା କରିବାକୁ ସାଧାରଣ ଲୋକ ଦାବି କରିଛନ୍ତି। ସେହିପରି ବଜାର ଅଂଚଳରେ ଜବରଦଖଲ କରି ଗଢ଼ିଉଠିଥିବା ଅସ୍ଥାୟୀ ଦୋକାନ ଓ ଅତିକ୍ରମଣ ଉଚ୍ଛେଦ କରାଗଲେ ଭବିଷ୍ୟତରେ ଏଭଳି ଜାମ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.