Home ଜିଲ୍ଲା ପରିକ୍ରମା ଆଧାର ପାଇଁ ଅଟକିଛି ଭିନ୍ନକ୍ଷମ ସଦାନନ୍ଦଙ୍କ ଅଧିକାର

ଆଧାର ପାଇଁ ଅଟକିଛି ଭିନ୍ନକ୍ଷମ ସଦାନନ୍ଦଙ୍କ ଅଧିକାର

32

ଭଦ୍ରକ, ୧୯ା୬ (ଓଡ଼ିଆପୁଅ / ସ୍ନିଗ୍ଧା ରାୟ) – ଆଧାର ପାଇଁ ଅଟକିଛି ଅଧିକାର । ଆଧାର ନାହିଁ ବୋଲି ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ମିଳୁନି ସରକାରୀ ସୁବିଧା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ଗ୍ରାମ ପଞ୍ଚାୟତର ରାଉତ ସାହି ଗ୍ରାମରେ । ସୂଚନା ମୁତାବକ ଉକ୍ତ ଗ୍ରାମର ସଦାନନ୍ଦ ରାଉତ ମାତ୍ର ପନ୍ଦର ବର୍ଷ ବୟସରେ ମେରୁଦଣ୍ଡ ଆଘାତ ଜନିତ ରୋଗ ଯୋଗୁଁ ଦୁଇହାତ ପାରାଲିସିସ୍ ଆଡ଼କୁ ଗତି କଲା । ଡାହାଣ ହାତର ଆଙ୍ଗୁଠି ଗୁଡ଼ିକ ପଚିବାକୁ ଲାଗିଲା । ପରିବାର ଲୋକେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କଲେ । ଡାକ୍ତର ପାଚି ଯାଇଥିବା ବାମ ହାତ କିଛି ଅଂଶ କାଟିଦେଲେ । ସେହିପରି ବାମ ହାତ ମଧ୍ୟ ଆଙ୍ଗୁଠି ଗୁଡ଼ିକ ପାପୁଲି ସହ ମିଶିଗଲା । ଦୁଇହାତ ଆଙ୍ଗୁଠି ବିହୀନ ହୋଇଯିବାରୁ ହୋଇପାରୁନି ଆଧାର କାର୍ଡ଼ । ଜଣେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ମିଳିପାରୁନି ଭିନ୍ନକ୍ଷମ ସାର୍ଟିଫିକେଟ୍ । ସରକାରୀ ବାବୁମାନଙ୍କ ପାଖରେ ଯେତେ ଗୁହାରୀ କଲେ ମଧ୍ୟ କିଛି ସୁଫଳ ମିଳୁନି । ଅବିବାହିତ ରହୁଥିବା ସଦାନନ୍ଦ ଏବେ ଗ୍ରାମବାସୀମାନଙ୍କ ସାହାଯ୍ୟରେ ବଂଚିଛନ୍ତି । ନା ଅଛି ଘର ଖଣ୍ଡେ ନା ଅଛି ଭିନ୍ନକ୍ଷମ ଭତ୍ତା ନା ଅଛି ରାସନ କାର୍ଡ଼ଟିଏ । ଆଧାର ଅଟକାଇ ଦେଇଛି ସବୁ ଅଧିକାର । କ୍ଷତ ଶୁଖୁ ନ ଥିବା ହାତରେ କରୁଛନ୍ତି ନିଜର ସବୁକାମ । ସଦାନନ୍ଦର ଅସହାୟତାକୁ ନଜରକୁ ଆଣି ତାକୁ ତୁରନ୍ତ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଏ ବିଷୟରେ ଆମେ ଚାନ୍ଦବାଲି ବିଡ଼ିଓଙ୍କ ସହ ଯୋଗାଯୋଗ କରିବାରୁ ଉକ୍ତ ଘଟଣାଟି ତାଙ୍କ ନଜରରେ ଅଛି ଏବଂ ମେଡ଼ିକାଲ ବୋର୍ଡ଼ ବସିଲେ ତାଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ଦିଆଯିବ ଏବଂ ସବୁ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.