Home ଜିଲ୍ଲା ପରିକ୍ରମା ଆଜି ଜଣେ ନୂତନ କୋବିଡ଼ ଆକ୍ରାନ୍ତ ଚିହ୍ନଟ, ମୋଟ ସକ୍ରିୟ ୨୦, ଗାଇଡ଼ ଲାଇନ ଜାରି...

ଆଜି ଜଣେ ନୂତନ କୋବିଡ଼ ଆକ୍ରାନ୍ତ ଚିହ୍ନଟ, ମୋଟ ସକ୍ରିୟ ୨୦, ଗାଇଡ଼ ଲାଇନ ଜାରି କଲେ ଜିଲ୍ଲାପାଳ, ବିବାହ, ବ୍ରତ, ସଭା ସମିତି ପାଇଁ ପୁଲିସ ଅନୁମତି ବାଧ୍ୟତାମୂଳକ

90

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଦୈନିକ ହେଉଥିବା କରୋନା ଆଣ୍ଟିଜେନ୍ ଟେଷ୍ଟରେ ଆଜି ଜଣେ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ଭଦ୍ରକ ଜିଲ୍ଲାର ହୋଇ ନ ଥିବା ବେଳେ ସେ ବାଲେଶ୍ୱର ଜିଲ୍ଲାର ବୋଲି ଜଣା ପଡ଼ିଛି । କରୋନାର ଦ୍ୱିତୀୟ ଲହର ପୁଣି ଆସୁଥିବାରୁ ଏହି ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ କଟକଣାକୁ କଡ଼ାକଡ଼ି କରିଛି । ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୨ଲକ୍ଷ ୮୦ ହଜାର ୪୦୯ଜଣଙ୍କର ନମୁନା ପରୀକ୍ଷା ସରିଥିବା ବେଳେ ଜିଲ୍ଲାରୁ ମୋଟ ୭ହଜାର ୪୯୪ଜଣ ପଜିଟିଭ୍ ଚିହ୍ନଟ େହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ହଜାର ୪୪୯ଜଣ ସୁସ୍ଥ ହୋଇଥିବା ବେଳେ ୨୦ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଆଉ ୨୫ଜଣଙ୍କର କୋବିଡ଼ରେ ମୃତ୍ୟୁ ହୋଇସାରିଛି । କରୋନା ଦ୍ୱିତୀୟ ଲହରକୁ ନେଇ ଆଜି ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ କରୋନା ମୁକାବିଲା ଓ ସଚେତନତା ସମ୍ପର୍କୀତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲଶ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶିବାଶିଷ ମହାରଣା ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟକର୍ମୀ, ଆଶାସାଥୀଙ୍କୁ କୋବିଡ଼ ଗାଇଡ ଲାଇନର ପରିଚାଳନା ସଂକ୍ରାନ୍ତରେ ସୂଚନା ଦେଇଥିଲେ । ଆଶାସାଥୀାମନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବା ସହିତ ବାହାର ଅଞ୍ଚଳରୁ ଗ୍ରାମକୁ ଆସୁଥିବା ଲୋକମାନଙ୍କ ଉପରେ କଡ଼ା ନଜର ରଖିବେ ଏବଂ ସେଭଳି ସନ୍ଦେହ ଉପୁଜିଲେ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବାକୁ କୁହାଯାଇଛି । ଆଜି ଜିଲ୍ଲାପାଳ ଡ. ଦାସ ଗାଇଡ଼ ଲାଇନ ଜାରି କରି ସ୍ପଷ୍ଟ କରିଛନ୍ତି ଯେ ବିବାହ, ବ୍ରତ, ସଂସ୍କାର କର୍ମ, ସଭା, ସମିତି ଭଳି ଜନସମାଗମ ହେଉଥିବା କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ପୁଲିସଠାରୁ ଅନୁମତି ନେବା ବାଧ୍ୟତା ମୂଳକ । ଅନୁମତି ସମୟରେ ମୋଟ କେତେ ଲୋକ ଏକତ୍ର ହେବେ ତାହା ଉଲ୍ଲେଖ କରାଯିବ । ଆବଦ୍ଧ କୋଠରୀ, ମଣ୍ଡପ, ହଲ୍ ଆଦିରେ କରାଯାଉଥିବା କାର୍ଯ୍ୟକ୍ରମରେ ମୋଟ ରହିଥିବା ସିଟ୍ ସଂଖ୍ୟାର ୫୦ ପ୍ରତିଶତ ଉପସ୍ଥିତି ରହି ପାରିବ । ଖୋଲା ସ୍ଥାନରେ କାର୍ଯ୍ୟକ୍ରମ ହେଉଥିଲେ ଆୟୋଜିତ ସ୍ଥାନର ଆକାର ଦେଖି ଲୋକ ସଂଖ୍ୟା ସ୍ଥିର କରାଯିବ । ଏହାର ବ୍ୟତିକ୍ରମ ହେଲେ ମଣ୍ଡପ ମାଲିକ, ବରକନ୍ୟାଙ୍କ ପିତାମାତା, ଆୟୋଜକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ଉପସ୍ଥିତ ଲୋକମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ସାନିଟାଇଜର ବ୍ୟବହାରକୁ କଡ଼ାକଡ଼ି କରାଯାଇଛି । ଏହା ବ୍ୟତୀତ କାଶ, କଫ, ଜ୍ୱର ଆଦିର ଲକ୍ଷଣ ଥିବା ଲୋକଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବା ମନା । ପୁଣି ବିବାହରେ ଅନୁଷ୍ଠିତ ହେଉଥିବା ଶୋଭାଯାତ୍ରା ରାତି ୧୦ଟା ପରେ ହୋଇ ପାରିବ ନାହିଁ ବୋଲି ମଧ୍ୟ କଡ଼ାକଡ଼ି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.