Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଅବହେଳିତ ଅବସ୍ଥାରେ ଗରିମା ହରାଉଛି ନୟାଗଡ଼ର ପ୍ରାଚୀନ ମନ୍ଦିର

ଅବହେଳିତ ଅବସ୍ଥାରେ ଗରିମା ହରାଉଛି ନୟାଗଡ଼ର ପ୍ରାଚୀନ ମନ୍ଦିର

242

ନୟାଗଡ଼, ୧୭ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ସରକାର ବିଭିନ୍ନ ପ୍ରାଚୀନ ମନ୍ଦିରର ରକ୍ଷଣାବେକ୍ଷଣ ତଥା ପୁନରୁଦ୍ଧାର ପାଇଁ ପ୍ରୟାସ ଜାରି ରଖିଥିଲାବେଳେ ନୟାଗଡ଼ ଜିଲାରେ ଏମିତି ଅନେକ ମନ୍ଦିର ଅଛି ଯାହାକି ରକ୍ଷଣା ବେକ୍ଷଣ ଅଭାବରୁ ଭୁଷୁଡ଼ି ଯିବାକୁ ବସିଛି। ଏମିତି କି ପ୍ରାଚୀନ କଳା, ନୈପୁଣ୍ୟ, କାରୁକାର୍ଯ୍ୟ, କିମ୍ବଦନ୍ତିୀ ତଥା ଏøତିହାସିକ ପୃଷ୍ଠଭୂମୀ ଉପରେ ଠିଆ ହୋଇଥିବା ପ୍ରାଚୀନ ମନ୍ଦିର ଲୋକଲୋଚନକୁ ଆସିନପାରି ନିଜର ଗରିମା, ମର୍ଯ୍ୟାଦା ହରାଉଛି। ଯାହାକି ଅନେକ ଧର୍ମାବଲମ୍ବୀ ପର୍ଯ୍ୟଟନପ୍ରେମୀକୁ ବ୍ୟଥିତ କରିଛି। ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଢେଙ୍କେଣା ଠାରେ କାହିଁ କେଉଁ ଯୁଗରୁ ଥିବା ରଘୁନାଥ ମନ୍ଦିର ଏବେ ଅବକ୍ଷୟମୂଖୀ। ଏହା ବହୁ ପ୍ରାଚୀନ ମନ୍ଦିର ହୋଇଥିବାବେଳେ ଏଠାରେ ଯୁଗପୁରୁଷ ରାମଚନ୍ଦ୍ର, ଭ୍ରାତା ଲକ୍ଷ୍ମଣ, ଓ ପତ୍ନୀ ସୀତାଙ୍କ ସହ ପୂଜା ପାଉଛନ୍ତି। ଏଠାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସିଦ୍ଧି ଓ ସାଧନା ଲାଭ କରି ରାମତାରକା ମନ୍ତ୍ର ଜପ କରି କବିତ୍ୱ ଲାଭ କରିଥିବାବେଳେ ନିକଟ ମାଳିସାହିର ବଉଦ ରାଜା ରଣଭଞ୍ଜଙ୍କ ଦ୍ୱାରା ନବମ ଶତାଦ୍ଦୀରେ ନିର୍ମିତି ଗତୀଶ୍ୱର ମନ୍ଦିରଠାରେ ଅବସ୍ଥାନ କରି ମହାନ କାବ୍ୟ କୋଟି ଲାବଣ୍ୟବତୀ ଓ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଭଳି ଅନେକ କାବ୍ୟ ରଚନା କରି ମହାନ କବିତ୍ୱର ପାଣ୍ଡିତ୍ୟ ଅର୍ଜନ କରିଥିଲେ। ହେଲେ ଏପର୍ଯ୍ୟନ୍ତ ଢେଙ୍କେଣାର ରଘୁନାଥ ମନ୍ଦିର ଓ ମାଳିସାହିର ଗତୀଶ୍ୱର ମନ୍ଦିର ଉପରେ ଅନେକ ଗବେଷକ ଗବେଷଣା କରୁଥିବାବେଳେ ସରକାର ଏ ଦିଗରେ ଟିକେ ଆଡ଼ଆଖି ପକାଉନାହାନ୍ତି। ଏହି ମନ୍ଦିର ଦୁଇଟି ବିଷୟରେ ଅନେକ କିମ୍ବଦନ୍ତୀପୂର୍ଣ୍ଣ ରୋଚକ ତଥ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ଉତ୍କୃଷ୍ଟ କ୍ଷେତ୍ର ଥିଲାବେଳେ ତାହା ଦିନକୁ ଦିନ ଗରିମା ହରାଇବାରେ ଲାଗିଛି। ସେହିଭଳି ନୟାଗଡ଼ ପୁରୁଣା ସହର ଦକ୍ଷୀଣକାଳୀ ମନ୍ଦିର ସାମନାରେ ଥିବା କାହିଁ କେଉଁ ରାଜା ରାଜୁଡ଼ା ଅମଳର ଗୋପୀନାଥ ମନ୍ଦିର। ଏହା ଅଷ୍ଟାଦଶ ଶତାଦ୍ଦୀରେ ନିର୍ମାଣ ହୋଇଥିଲାବେଳେ ଏହାର ନିର୍ମାଣ ପରିପାଟି ଖୁବ୍ ଆକର୍ଷଣୀୟ। ଏହାକୁ ରାଜା ମୃତ୍ୟୁଞ୍ଜୟ ସିଂହ ମାନ୍‌ଧାତା ନିର୍ମାଣ କରିଥିଲେ। ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଜରାଜୀର୍ଣ୍ଣ ଅବସ୍ଥା। ନୟାଗଡ଼ ବ୍ଳକ ଗଦାଧରପ୍ରସାଦ ପଂଚାୟତ ଶୁକଳଗାଡ଼ିଆ-ଗୋବିନ୍ଦପୁର କାଉଁରୀ କାମାକ୍ଷୀ ମନ୍ଦିର ଜିଲାର ଏକ ପ୍ରସିଦ୍ଧ ତନ୍ତ୍ର ଶକ୍ତିପୀଠ। ଦ୍ୱାଦଶ ଶତଦ୍ଦୀରେ ନିର୍ମିତ ଏଠାରେ ଏପରି ଏକ ଏøତିହ୍ୟ ସମ୍ପନ୍ନ ମନ୍ଦିର ଥିବା ଅନେକ ବୋଧେ ଜାଣିନଥିବେ। କୁହାଯାଏ ମା’କାଉଁଣୀ ଠାକୁରାଣୀକୁ ଡାକିଲେ ମା ‘ଓ’ କରନ୍ତି। ବହୁ ପ୍ରତ୍ୟକ୍ଷ ଠାକୁରାଣୀ ଭାବେ ଜିଲାରେ ବେଶ୍ ଜଣାଶୁଣା ଶୁକଳଗାଡ଼ିଆର ଏହି ମା’ କାମାକ୍ଷୀ ଠାକୁରାଣୀ। ଯେଉଁଠାରେ ନରବଳି ଓ ପଶୁବଳି ଦିଆଯାଉଥିବାର ଜନଶୃତି ରହିଛି। ସେହିପରି ଭାବରେ ଖଣ୍ଡପଡ଼ା ରେ କିମ୍ବଦନ୍ତ୍‌ୀ ସମ୍ପନ୍ନ ମହିମାମେରୁ ମନ୍ଦିର ଅବକ୍ଷୟ ଅବସ୍ଥାରେ ପଡ଼ି ରହିଛି। କଂଟିଲୋ ନିକଟ ଧାନଚାଙ୍ଗଡ଼ାର ନୀଳମାଧବଙ୍କ ଆଦିପୂଜକ ବିଶ୍ୱାବଶୁଙ୍କ ଲଳିତା ମାଧବଙ୍କ ପୀଠ ଉପରେ ଅନେକ ଗବେଷଣା କରିବାର ଆବଶ୍ୟକତା ରହିଛି। ରଣପୁର ବ୍ଳକ ବନ୍ଧମୁଣ୍ଡା ପଂଚାୟତ ଶରବିନ୍ଧା ଜଙ୍ଗଲରୁ ଏକ କାରୁକାର୍ଯ୍ୟପୂର୍ଣ୍ଣ ଭଗ୍ନ ମନ୍ଦିର ଉଦ୍ଧାର ହେବା, କଂଟିଲୋ ପଦ୍ମାବତୀ ଗ୍ରାମ ମହାନଦୀ ମଝିରେ ପାଣିରେ ବୁଡ଼ି ରହିଥିବା ଗୋପୀନାଥ ମନ୍ଦିର ଏବେ ଲୋକଲୋଚନକୁ ଆସିବା ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି। ତେବେ ଖାଲି ଏତିକି ନୁହେଁ ଜିଲାର ଏମିତି ଅନେକ ଐତିହ୍ୟ କାରୁକାର୍ଯ୍ୟ ସମ୍ପନ୍ନ ପ୍ରାଚୀନ ମନ୍ଦିର ଆଢୁଆଳରେ ରହିଯାଇଥିବାବେଳେ ତାହା ପୁନରୁଦ୍ଧାର ସହ ରକ୍ଷଣାବେକ୍ଷଣ କରାଗଲେ ଜିଲାର ଗୌରବ ବୃଦ୍ଧି ସହ ରାଜ୍ୟ ତଥା ବାହାରର ପର୍ଯ୍ୟଟକଙ୍କୁ ଅନେକାଂଶରେ ଆକୃଷ୍ଟ କରିପାରନ୍ତା ବୋଲି ବହୁ ପର୍ଯ୍ୟଟନ ପ୍ରେମୀ ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.