ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ ନିଶା ନିବାରଣ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସାତଭଉଣୀ ଉଚ୍ଚ ବିଦ୍ୟାପୀଠର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାମାମଣି ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ଅବକାରୀ ଅଧୀକ୍ଷକ ନରୋତମ ମିଶ୍ର, ଶିଶୁ ମଙ୍ଗଳ କମିଟିର ସଦସ୍ୟ ପ୍ରଦୀପ୍ତ କର, ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ସାମାଜିକ ଶିଶୁ ଆଇନ ଅଧିକାରୀ ସୁବ୍ରତ କୁମାର ଦାସ ଓ ନିରୀକ୍ଷଣ ଅଧିକାରିଣୀ ମମତା ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବକ୍ତାମାନେ ନିଶାର ଭୟାବହତା କିପରି ସୁସ୍ଥ ସମାଜକୁ ଗ୍ରାସ କରୁଛି ଏବଂ ଏହାର କବଳରେ ଶିଶୁ ଓ ଯୁବଗୋଷ୍ଠୀ କିପରି ଆକ୍ରାନ୍ତ ହେଉଛନ୍ତି, ସେ ସମ୍ପର୍କରେ ଆଲୋକପାତ କରିଥିଲେ। ନିଶା ମଣିଷର ଜୀବନକୁ ଅନ୍ଧକାର ଆଡ଼କୁ ଟାଣିନେବା ସହ ତା’ର ପରିବାର ଓ ସାମାଜିକ ଜୀବନକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ରଥ ନିଜ ଅଭିଭାଷଣରେ ନିଶାଠାରୁ ଦୂରେଇ ରହିବା ସହ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ଦିଗରେ ସମସ୍ତେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ସେହିପରି ସାମାଜିକ ଶିଶୁ ଆଇନ ଅଧିକାରୀ ଶ୍ରୀ ଦାସ ନିଶା କେବଳ ଜଣେ ବ୍ୟକ୍ତିକୁ ନୁହେଁ, ବରଂ ସମଗ୍ର ପରିବାର ଓ ସମାଜକୁ ପ୍ରଭାବିତ କରିଥାଏ ବୋଲି ମତ ଦେଇଥିଲେ। ଅବକାରୀ ଅଧୀକ୍ଷକ ଓ ଶିଶୁ ମଙ୍ଗଳ କମିଟିର ସଦସ୍ୟ ନିଶା ନିବାରଣ ପାଇଁ ପ୍ରତ୍ୟେକ ପରିବାରରୁ ସଚେତନତା ସୃଷ୍ଟି ହେବା ଆବଶ୍ୟକ ବୋଲି ମତ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ନୃତ୍ୟ ଓ ନିଶାର କୁପ୍ରଭାବ ଉପରେ ଏକ ସୁନ୍ଦର ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମୀ ଶିବାନୀ ତ୍ରିପାଠୀ ଓ ସରୋଜ ସେଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ସହଶିକ୍ଷୟିତ୍ରୀ ଜୟନ୍ତୀରାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।








