Home କେନ୍ଦୁଝର ଅଁରା ହତ୍ୟାକାଣ୍ଡ ଘଟଣାରେ ଜଣକୁ ଗିରଫ କଲା ପୁଲିସ

ଅଁରା ହତ୍ୟାକାଣ୍ଡ ଘଟଣାରେ ଜଣକୁ ଗିରଫ କଲା ପୁଲିସ

19

ହାଟଡ଼ିହି, ୧୧ । ୧୨ :(ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଁରା ଗ୍ରାମରେ ଗତ ନଭେମ୍ବର ମାସ ୨୦ତାରିଖ ଦିନ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ନନ୍ଦିପଦା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଖବରରୁ ଜଣାଯାଇଛି ଯେ ଅଁରା ଗାଁର ଲକ୍ଷ୍ମୀଧର ମଲ୍ଲିକଙ୍କ କୁକୁଡା ଭୀମସେନ ଖଣ୍ଡେଇଙ୍କ ବାଡିରେ ପସିଯାଇଥିଲା । ବାଡିରେ ଲଗାଯାଇଥିବା ପନିପରିବାରେ ଭୀମସେନ କୀଟନାଶକ ପକାଇଥିବା କାରଣରୁ ଲକ୍ଷ୍ମୀଧରଙ୍କ କୁକୁଡାଟି ସେହି କୀଟନାଶକ ଖାଇ ମରିଯାଇଥିଲା । ଯାହାକୁ ନେଇ ଗତ ୨୦ତାରିଖ ରାତିରେ ଗ୍ରାମରେ ନିଶାପ କରାଯାଇଥିଲା । ଏଥିରେ ଭଦ୍ରଲୋକ ସାଜିଥିବା ଦୁଇପକ୍ଷଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା ହେବାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ହୋଇ ସଂଘର୍ଷ ଘଟିଥିଲା । ଏହି ସମୟରେ ଗାଁର ବାବନ ବେହେରାଙ୍କ ପୁଅ ବିଜନ ବେହେରା ଏକ ବ୍ୟାଟରେ ଆନନ୍ଦ ନାୟକଙ୍କୁ ପ୍ରହାର କରିବାରୁ ସେ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ । ପରେ ତାଙ୍କୁ ଶାଳଣିଆଁ, ଭଦ୍ରକ ଓ ସେଠାରୁ କଟକ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଆନନ୍ଦ ନାୟକଙ୍କ ପତ୍ନୀ ମଞ୍ଜୁଲତା ନାୟକ ଏନେଇ ନନ୍ଦିପଦା ଥାନାରେ ବିଜନ ବେହେରା, ବାମନ ବେହେରା, ବିକଳ ବେହେରା, ଉମାକାନ୍ତ ଖଣ୍ଡେଇ, ସୁକାନ୍ତ ନାୟକଙ୍କ ନାମରେ ଅଭିଯୋଗ କରିବାପରେ ପୁଲିସ ଥାନା କେସନଂ୧୫୧/୨୦ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାବେଳେ ଘଟଣାର ୧୫ଦିନ ପର୍ଯ୍ୟନ୍ତ କାହାରିକୁ ଗିରଫ କରିବାରେ ସଫଳ ହୋଇନଥିଲା । ଏନେଇ ପ୍ରଥମେ ଗାଁ ଲୋକ ରାସ୍ତାରୋକ କରିଥିବାବେଳେ ପରବର୍ତ୍ତୀ ସମୟରେ ମୃତକଙ୍କ ପତ୍ନୀ କିରୋସିନି ଜାରକିନ ଧରି ଥାନା ସମ୍ମୁଖରେ ଅନସନ କରିଥିବାବେଳେ ଗ୍ରାମବାସୀମାନେ ଥାନା ଘେରାଉ କରିଥିଲେ । ସେ ସମୟରେ ଅତିରିକ୍ତ ଏସପି, କେନ୍ଦୁଝର ଏସଡିପିଓ କ୍ରାଇମ, ଆନନ୍ଦପୁର ଏସଡିପିଓ ପ୍ରମୁଖ ପହଞ୍ଚି ୧୦ଦିନ ଭିତରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ପ୍ରତିଶୃତି ଦେଇଥିଲେ । ଏହା ଭିତରେ ପୁଲିସ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବାବେଳେ ଏକ ବିସ୍ୱସ୍ଥ ସୁତ୍ରରୁ ଖବର ପାଇ ଗତକାଲି ରାତିରେ ଯାଜପୁର ଜିଲ୍ଲାର ଦାନଗଦି ଅଞ୍ଚଳରୁ ଅଭିଯୁକ୍ତ ବାବନ ବେହେରାକୁ ଗିରଫ କରିବାରେ ସଫଳ ହୋଇଥିବା ଜଣାଯାଇଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାପାଇଁ ପୁଲିସ ଏବେ ମଧ୍ୟ ପ୍ରୟାସ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.