Home କଳାହାଣ୍ଡି କଳାହାଣ୍ଡି ଧାନ ପରିବହନ ଖର୍ଚ୍ଚରେ ଠକେଇ ଅଭିଯୋଗ: ଅସୁଲି ପାଇଁ ଯୋଗାଣ ବିଭାଗର ତାଗିଦ

କଳାହାଣ୍ଡି ଧାନ ପରିବହନ ଖର୍ଚ୍ଚରେ ଠକେଇ ଅଭିଯୋଗ: ଅସୁଲି ପାଇଁ ଯୋଗାଣ ବିଭାଗର ତାଗିଦ

597

କଳାହାଣ୍ଡି – ୧୯.୦୫.୨୦୧୯ (ଓଡିଆ ପୁଅ) କଳାହାଣ୍ଡି ଜିଲ୍ଲାରେ ମଣ୍ଡିରୁ ଧାନ ପରିବହନ ବାବଦକୁ ଗତ ୨୦୧୨-୧୩ ଓ ୨୦୧୩-୧୪ ବର୍ଷରେ ମିଲର୍ସ ମାନେ ଅଧିକ ଏକକୋଟୀ ଚାଲିଶ ଲକ୍ଷ ଟଙ୍କା ନେଇଥିବା ଗତ୨୦୧୭ରେ ହୋଇଥିବା ଅଡିଟ ରିପୋର୍ଟରେ ଜଣାପଡିବା ପରେ ସଂପ୍ରତି ଯୋଗାଣ ବିଭାଗ ପକ୍ଷରୁ ସେହି ଟଙ୍କା ଫେରସ୍ତ କରିବାକୁ ସଂପୃକ୍ତ ମିଲର୍ସ ମାନଙ୍କୁ ନୋଟିସ ଜାରି କରାଯାଇଥିବା ଜଣାପଡିଛି। କଳାହାଣ୍ଡିରେ କେବଳ ହାତ ଗଣତି ୭୪ଟି ମିଲର୍ସ ଜିଲ୍ଲା ପ୍ରଶାସନ ଆଖିରେ ଧୂଳି ପକାଇ ଯୋଗାଣ ନିଗମ ଠାରୁ ଏଭଲି ଚଂଚକତା କରି ଠକିନେବା ନିଶ୍ଚିତ ଭାବେ ଯୋଗାଣ ନିଗମର ସ୍ୱଚ୍ଛତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କଳାହାଣ୍ଡିରେ ଅନ୍ୟୁନ ଷାଠିଏ ହଜାର ଚାଷୀ ଧାନ ଚାଷ କରି ବଳକା ଧାନକୁ ମଣ୍ଡିରେ ବିକ୍ରୀ କରିଥାନ୍ତି। ରାଜ୍ୟ ଯୋଗାଣ ନିଗମ ତରଫରୁ କମିଶନ ଏଜେଂଟ ଭାବେ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କିଣି ନିର୍ଦ୍ଧାରିତ କଷ୍ଟମ ମିଲର୍ସ ମାନଙ୍କୁ ଚାଉଲ କରିବା ପାଇଁ ଯୋଗାଇବାର ନିୟମ ରହିଛି। ହେଲେ ଏସବୁ କାରବାର କବେଳ କାଗଜ ପତ୍ରରେ ହିଁ ହେଉଥିବା ଅଭିଯୋଗ ହୋଇଥାଏ। ମଣ୍ଡିରେ ବାସ୍ତବ ପକ୍ଷେ ମିଲର୍ସ ହିଁ ଚାଷୀର ଧାନକୁ କିଣିଥାଏ ଏବଂ ପାକ୍ସ ପାଖରେ କାଗଜ ପତ୍ର କରିଥାଏ ବୋଲି ପ୍ରାୟ ସର୍ବଦା ଅଭିଯୋଗ ହୋଇଥାଏ। ମିଲର୍ସ ଯେଉଁ ଚାଷୀର ଧାନକୁ ନେବାକୁ ଚାହିଁବ ସେହି ଅନୁସାରେ ଟୋକନ ଇସୁ୍ୟ ବ୍ୟବସ୍ଥା ହେବା ସହିତ ମଣ୍ଡି ଏକ ପ୍ରକାର ମିଲର୍ସ କବଜାରେ ହିଁ ରହିଥାଏ ବୋଲି ସର୍ବଦା ଚାଷୀମାନେ ଅଭିଯୋଗ କଲେ ମଧ୍ୟ ଶୁଣିବାକୁ କେହିନଥାନ୍ତି। ଏପରିକି ଯେଉଁଦିନ ମଣ୍ଡିକୁ ମିଲର୍ସ ଆସିନଥାଏ ସେଦିନ ମଣ୍ଡି ବନ୍ଦ ରହିବାର ଉଦାହରଣ ମଧ୍ୟ ରହିଛି। ଚାଷୀ ପଂଜୀକରଣ ଠାରୁ ଆରମ୍ଭ କରି ମଣ୍ଡିରେ ସମସ୍ତ କାର୍ଯ୍ୟ ମିଲର୍ସ ଇସାରାରେ ହିଁ ହୋଇଥାଏ ବୋଲି ଚାଷୀ ମହଲରେ ଅଭିଯୋଗ ହୋଇଆସୁଛି।

ଅନ୍ୟପକ୍ଷରେ ଯୋଗାଣ ନିଗମର ତାଗିଦ ଅନୁସାରେ ଧାନ ପରିବହନ ଖର୍ଚ୍ଚ କମାଇବା ପାଇଁ ଦୃଷ୍ଟି ଦେଇ ସେହି ଅନୁସାରେ ମଣ୍ଡି ମାନଙ୍କରେ ମିଲର୍ସ ନିୟୋଜନ କରାଯାଉଥିବା ବେଳେ ଅଧିକାଂଶ ସମୟରେ ମଣ୍ଡି ମାନଙ୍କରେ ସ୍ଥାନୀୟ ମିଲର୍ସ ମାନେହିଁ ନିୟୋଜିତ ହେବାକୁ ଅଧିକ ପସନ୍ଦ କରି ଯୋଗାଣ ବିଭାଗରେ ଚାପ ପକାଇ ନିଜ ନିଜ ଅଂଚଳର ମଣ୍ଡିରେହିଁ ଟେଗିଂ ହୋଇଯାଉଥିବାର ଅଭିଯୋଗ ହେଉଛି। ପୂର୍ବରୁ ନିଜ ଅଂଚଳର ଚାଷୀଙ୍କୁ ଚଢାସୁଧରେ ଟଙ୍କା, ଚଢାଦରରେ ଧାନ ବିହନ, ଖତସାର, ଔଷଧ ଇତ୍ୟାଦି ଯୋଗାଇ ଦେଇ ସେହି ବାବଦକୁ ଚାଷୀଠାରୁ କମ ମୂଲ୍ୟରେ ଧାନ କିଣି ଉକ୍ତ ଧାନକୁ ମଣ୍ଡିରେ କାଗଜାତ କରିବାର ସୁବିଧା ହେଉଥିବା ହେତୁ କିଛି ଲାଭଖୋର ମିଲର୍ସ ନିଜ ଅଂଚଳର ମଣ୍ଡିରେହିଁ ଟେଗିଂ ହେବାକୁ ଅଧିକ ପସନ୍ଦ କରୁଥିବାର ଆଲୋଚନା ହେଉଛି। ସଂପ୍ରତି ଏସବୁ କାରବାର ପାଇଁ କଟକଣା ଲାଗିବା ପରେ ଏବେ ଚାଷୀ ପଂଜୀକରଣରେ ହେରାଫେରୀ କରାଯାଉଥିବାର ଅଭିଯୋଗମାନ ହେଉଛି। ସଂପୃକ୍ତ ଆରଆଇକୁ ହାତ କରି ଚାଷ ହେଉନଥିବା ଜମି, କୌଣସି କାଗଜାତ ନଥାଇ ମୃତ ବ୍ୟକ୍ତିର ଜମି, କୌଣସି ବ୍ୟବସାୟ ପ୍ରତିଷ୍ଠାନ କିମ୍ବା କୋଠାବାଡି ଥିବା ଜମି. ଏପରିକି କିଛି ମିଲର୍ସ ନିଜ ରାଇସ ମିଲ ପ୍ରତିଷ୍ଠା କରିଥିବା ଜମି ରେ ଚାଷ କରିଥିବା ଦର୍ଶାଇ ସେସବୁ ଜମି ମାନଙ୍କରେ ଭାଗ ଚାଷ କରାଯାଉଥିବା ଦର୍ଶାଇ ସେସବୁ ଜମିକୁ ନିଜ ସଂପର୍କୀୟ ତଥା ଅନୁଗତ ମାନଙ୍କ ନାମରେ ଭାଗଚାଷୀ ହିସାବରେ ଚାଷୀ ପଂଜୀକରଣ କରାଇ ନେଇ ତଦନୁସାରେ ଧାନ ବିକ୍ରୀ କରୁଥିବା ଅଭିଯୋଗ ହେଉଛି। ଏସବୁ ଭିତିରିଆ ଉଦ୍ଦେଶ୍ୟ ରଖି ମିଲର୍ସ ମାନେ ନିଜ ଅଂଚଳରେ ଥିବା ମଣ୍ଡିରେ ଟେଗିଂ ହେବାକୁ ମସୁଧା କରୁଥିବା ବେଳେ ଚାଷୀ ମହଲରେ ଲୋକାଲ ମିଲର୍ସଙ୍କୁ ବିରୋଧ କରୁଥିବା ସତ୍ୱେ ଯୋଗାଣ ବିଭାଗ ପରିବହନ ଖର୍ଚ୍ଚ କମାଇବା ଆଳ ଦେଖାଇ ଚାଷୀଙ୍କ ଦାବିକୁ ଅଣଦେଖାକରି ମଣ୍ଡି ମାନଙ୍କରେ ଲୋକାଲ ମିଲର୍ସଙ୍କୁ ହିଁ ଟେଗିଂ କରୁଛନ୍ତି। ବର୍ତମାନ ପରିବହନ ଖର୍ଚ୍ଚ ବାବଦକୁ ମିଲର୍ସମାନେ ଅଧିକ ଟଙ୍କା ନେଇଥିବା ଯୋଗାଣ ବିଭାଗ ଅଡିଟ ରିପୋର୍ଟରୁ ଜଣାପଡିବା ପରେ ମିଲର୍ସର ଠକାମୀ କ୍ରମଶଃ ପଦାକୁ ଆସିବାରେ ଲାଗିଥିବା ଚର୍ଚ୍ଚା ହେଉଛି।

ବିଗତ ବର୍ଷ ମାନଙ୍କର ତଥ୍ୟକୁ ଅନୁଧ୍ୟାନ କଲେ କେସିଙ୍ଗା ଅଂଚଳର ମିଲର୍ସ ମାନଙ୍କୁ ଜୟପାଟଣା ବ୍ଲକ ଅଂଚଳକର ମଣ୍ଡି ମାନଙ୍କରେ ଟେଗିଂ କରାଯାଉଥିବା ବେଳେ ଜୁନାଗଡ ଓ ଧର୍ମଗଡ ଅଂଚଳର ମିଲର୍ସ ମାନଙ୍କୁ ନିଜ ନିଜ ଅଂଚଳରେ ଥିବା ମଣ୍ଡିରେ ହିଁ ଟେଗିଂ କରାଯାଇଥିବା ଜଣାପଡିଛି। କେସିଙ୍ଗାରୁ ଜୟପାଟଣା ପ୍ରାୟ ୧୧୦ କି. ମି. ଦୂରତା ପଡୁଥିବା ବେଳେ ଜୁନାଗଡ, ଧର୍ମଗଡ ଅଂଚଳର ମିଲର୍ସମାନେ ସର୍ବନିମ୍ନ ଦୁଇ କି.ମି. ରୁ ପ୍ରାୟ ୧୫/୨୦ କି.ମି. ଦୂରତା ମଧ୍ୟରେ ଥିବା ମଣ୍ଡିରୁ ଧାନ ଉଠାଉଥିବା ଜଣାପଡିଛି। ଧାନ ପରିବହନ ବାବଦକୁ କ୍ୱିଂଟାଲ ପିଛା ୩୮ ଟଙ୍କା ମଧ୍ୟରେ ସୀମିତ ରଖାଯିବାକୁ ନିୟମ ଥିବା ବେଳେ ସେସବୁର ବ୍ୟତିକ୍ରମ ହେଉଥିବା ଅଭିଯୋଗ ହେଉଛି। କଳାହାଣ୍ଡିରେ ଧାନକିଣା ସଂକ୍ରାନ୍ତୀୟ କାରବାର ସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ସାମନାକୁ ଆସିପାରିବ ବୋଲି ଚାଷୀ ମହଲରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.