Home ଆମ ସଂସ୍କୃତି, କଳା ଓ ଐତିହ୍ୟ “ବନ୍ଦେ ଉତ୍କଳ ଜନନୀ”: ଭଦ୍ରକ ମାଟିର ଏକ ଅମୂଲ୍ୟ ଅବଦାନ ..

“ବନ୍ଦେ ଉତ୍କଳ ଜନନୀ”: ଭଦ୍ରକ ମାଟିର ଏକ ଅମୂଲ୍ୟ ଅବଦାନ ..

211

ଭୁବନେଶ୍ୱର: ଓଡ଼ିଶାର ଗୌରବର ଗାଥା ବର୍ଣ୍ଣନା କରୁଥିବା ଓଡ଼ିଶାର ପ୍ରାଦେଶିକ ଗାନ (ସଙ୍ଗୀତ) ‘ବନ୍ଦେ ଉତ୍କଳ ଜନନୀ’ ଓଡ଼ିଶା ପାଇଁ ଭଦ୍ରକ ମାଟିର ଏକ ଅମୂଲ୍ୟ ଦାନ। ଭଦ୍ରକ ମାଟିର ପୁଅ କାନ୍ତକବି ଲକ୍ଷ୍ମୀଧର ମହାପାତ୍ର ଏହାର ରଚୟିତା।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖରେ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକର ତାଳପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେଦିନ ଥିଲା ଲକ୍ଷ୍ମୀ ପୂଜା। ଲକ୍ଷ୍ମୀ ପୂଜା ଦିନ ଜନ୍ମଗ୍ରହଣ କରିଥିବାରୁ ତାଙ୍କ ନାମ ଲକ୍ଷ୍ମୀକାନ୍ତ ରଖାଯାଇଥିଲା। ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ଓ ମାତା ରାଧାମଣୀ। ଭାଗବତ ପ୍ରସାଦ ସାମନ୍ତରାୟ ବିହାର- ଓଡ଼ିଶା ବିଧାନ ସଭାରେ ୪ ଥର ପ୍ରତିନିଧିତ୍ୱ କରିଥିଲେ ଓ ସେଥି ମଧ୍ୟରୁ ଦୁଇଥର ଉପ- ବାଚସ୍ପତି ଦାୟିତ୍ୱ ନିର୍ବାହ କରିଥିଲେ। ଲକ୍ଷ୍ମୀକାନ୍ତ ହାଇସ୍କୁଲ ଶିକ୍ଷା ଛାଡ଼ି ସେତେବେଳେ ଇଂରେଜମାନଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ ଏବଂ ଇଂରେଜ ସୈନ୍ୟମାନଙ୍କ ଦ୍ୱାରା ବନ୍ଦି ହୋଇ ଜେଲ ମଧ୍ୟ ଯାଇଥିଲେ। ଲକ୍ଷ୍ମୀକାନ୍ତ ଜମିଦାର ଲାଲମୋହନ ଦାସଙ୍କ କନ୍ୟାଙ୍କୁ ବିବାହ କରିଥିଲେ। ୧୯୧୩ ମସିହାରେ ରେଭେନ୍ସା କଲେଜରୁ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଲକ୍ଷ୍ମୀକାନ୍ତଙ୍କ ରଚିତ ସ୍ୱାଧୀନତା ପ୍ରେମୀ କବିତା ଗୁଡ଼ିକ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକଜୁଟ କରାଇବାରେ ସାହାଯ୍ୟ କରିଥିଲା। ୧୯୩୩ ମସିହାରେ ତାଙ୍କୁ ଭଦ୍ରକ ହାଇସ୍କୁଲ ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ଦିଆଗଲା। ଏହି ସଭାରେ ତାଙ୍କୁ କାନ୍ତକବି ଉପାଧି ଦିଆଯାଇଥିଲା।

ଏବେ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଆଜି ଅର୍ଥାତ୍ ୩୦, ମଇ, ୨୦୨୦, ସନ୍ଧ୍ଯା ୫ଟା ୩୦ ସମୟରେ ସମସ୍ତେ ସାମାଜିକ ଦୂରତ୍ଵକୁ ଧ୍ୟାନ ଦେଇ ବନ୍ଦେ ଉତ୍କଳ ଜନନୀ ଗାନ କରିବା, ଯାହା ଦ୍ୱାରା ବର୍ତ୍ତମାନ ସମୟରେ ଏହାର ଗାନ ଓଡ଼ିଆ ଜାତିକୁ, ଆମ ସମସ୍ତଙ୍କୁ ଅଭୂତପୂର୍ବ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ଗ୍ରହଣ କରି ଅନେକ ସ୍ତରରେ ଅନେକ ଓଡ଼ିଆ ‘ବନ୍ଦେ ଉତ୍କଳ ଜନନୀ’ ଗାନ ମଧ୍ୟ କରିଛନ୍ତି।

କିନ୍ତୁ, ଏହା ମଧ୍ୟ ଜାଣିବା ଉଚିତ୍ ଯେ, ଏହି ‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ସଙ୍ଗୀତର (ଷ୍ଟେଟ୍ ଆନ୍ଥମ୍) ମାନ୍ୟତା ପାଇବା ପାଇଁ କେତେ ସଂଘର୍ଷ ଦେଇ ଗତି କରିଛି। ଓଡ଼ିଶା ମାଟିର କୃତିତ୍ୱ ତଥା ଯଶ ଗାନ କରୁଥିବା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରଚନା କରିଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ହେଲେ ଦୀର୍ଘ ଦିନ ପରେ, ୧୯୯୪ ମସିହାରେ ‘ବନ୍ଦେ ଉତ୍କଳ ଜନନୀ’କୁ ବିଧାନସଭା ଅଧିବେଶନ ଶେଷ ଦିନରେ ଗାଇ ସମ୍ମାନ ଦେବା ପାଇଁ ନିଷ୍ପତି ହୋଇଥିଲା। ଏହାପରେ କେତେଥର ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ନେଇ ବାରମ୍ବାର ବୈଠକ ବସିଲେ ମଧ୍ୟ କୌଣସି ସିଦ୍ଧାନ୍ତ ହୋଇ ପାରିଲା ନାହିଁ। ଏହାପରେ ‘ବନ୍ଦେ ଉତ୍କଳ ଜନନୀ’କୁ କିଭଳି ବୋଲାଯିବ ସେ ସମ୍ପର୍କରେ ୪ଟି ନିଷ୍ପତି ହେଲା। ପ୍ରଥମରେ ଏହି ଗୀତର ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦ ରାଜ୍ୟ ସଂଗୀତ ଭାବେ ବୋଲାଯିବ, ଦୂତୀୟରେ ଆକାଶବାଣୀରେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଏହାକୁ ଗାଇଥିବା ମୂଳ କଣ୍ଠସ୍ୱର ଏହାର ସ୍ୱର ହେବ, ତୃତୀୟରେ ୯୦ ସେକେଣ୍ଡ ମଧ୍ୟରେ ଏହାକୁ ଗାନ କରାଯିବ ଏବଂ ଚତୁର୍ଥରେ ଏହାକୁ ଗାଇବା ସମୟରେ ସମସ୍ତେ ଦଣ୍ଡାୟମାନ ହେବେ ବୋଲି ସ୍ଥିର ହୋଇଥିଲା। ଏହି ଗୀତକୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱର କରାଯିବା ପରେ ସଂସ୍କୃତି ବିଭାଗ ଏହାକୁ ଗୃହୀତ କରିବା ପାଇଁ ଗୃହ ବିଭାଗକୁ ପଠାଇଥିଲା। କିନ୍ତୁ, ପରିତାପର ବିଷୟ ‘ବନ୍ଦେ ଉତ୍କଳ ଜନନୀ’ ଏ’ ପର୍ଯ୍ୟନ୍ତ ବିଧିବଦ୍ଧ ଭାବରେ ରାଜ୍ୟ ସଙ୍ଗୀତର (ଷ୍ଟେଟ୍ ଆନ୍ଥମ୍) ମାନ୍ୟତା ପାଇ ପାରିନାହିଁ। /-ଦେବଦତ୍ତ ରଥ

‘ବନ୍ଦେ ଉତ୍କଳ ଜନନୀ’

“ବନ୍ଦେ ଉତ୍କଳଜନନୀ,
ଚାରୁ- ହାସମୟୀ ଚାରୁ- ଭାଷମୟୀ,
ଜନନୀ, ଜନନୀ, ଜନନୀ।

ପୂତ- ପୟୋଧି- ବିଧୌତ ଶରୀରା,
ତାଳ- ତମାଳ ସୁଶୋଭିତ ତୀରା,
ଶୁଭ୍ର- ତଟିନୀ- କୂଳ ଶୀକର- ସମୀରା,
ଜନନୀ, ଜନନୀ, ଜନନୀ।

ଘନ- ଘନ- ବନଭୂମି ରାଜିତ ଅଙ୍ଗେ,
ନୀଳ- ଭୂଧର-ମାଳା ସାଜି ତରଙ୍ଗେ,
କଳକଳ- ମୁଖରିତ ଚାରୁ- ବିହଙ୍ଗେ,
ଜନନୀ, ଜନନୀ, ଜନନୀ।

ସୁନ୍ଦରଶାଳୀ ସୁଶୋଭିତ କ୍ଷେତ୍ରା,
ଜ୍ଞାନ-ବିଜ୍ଞାନ ପ୍ରଦର୍ଶିତ ନେତ୍ରା,
ଯୋଗୀ ଋଷିଗଣ ଊଟଜ ପବିତ୍ରା,
ଜନନୀ, ଜନନୀ, ଜନନୀ।

ସୁନ୍ଦର ମନ୍ଦିର ମଣ୍ଡିତ ଦେଶା,
ଚାରୁକଳାବଳୀ ଶୋଭିତ ବେଶା,
ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା
ଜନନୀ, ଜନନୀ, ଜନନୀ।

ଉତ୍କଳ- ସୁରବର- ଦର୍ପିତ- ଗେହେ,
ଅରିକୁଳ- ଶୋଣିତ- ଚର୍ଚ୍ଚିତ ଦେହେ,
ବିଶ୍ୱଭୁମଣ୍ଡଳ- କୃତବର ସ୍ନେହେ,
ଜନନୀ, ଜନନୀ, ଜନନୀ।

କବିକୁଳ ମୌଳି- ସୁନନ୍ଦନ- ବନ୍ଦ୍ୟେ,
ଭୁବନ- ବିଘୋଷିତ- କୀର୍ତ୍ତିଅନିନ୍ଦ୍ୟେ,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ,
ଜନନୀ, ଜନନୀ, ଜନନୀ।।
– କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.