ad
ଓଡ଼ିଶା

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟରେ ୨୨ଟି ବାଉଁଶ କ୍ଲଷ୍ଟରର କଲେ ଶୁଭାରମ୍ଭ

– ଜାତୀୟ ବାଉଁଶ ମିଶନର ଲୋଗୋ ହେଲା ଜାରି
– ବାଉଁଶରୁ ଉତ୍ପାଦିତ ଦ୍ରବ୍ୟ ବିଦେଶକୁ ରପ୍ତାନୀ କରିବା ଦିଗରେ ଭାରତ ଆଗକୁ ଅଗ୍ରସର ହେଉଛି
– ଜାତୀୟ ବାଉଁଶ ମିଶନ ଦ୍ୱାରା ପ୍ରଦାନ କରାଯାଉଥିବା ସହାୟତା ସ୍ଥାନୀୟ ବାଉଁଶ କାରିଗରମାନଙ୍କୁ ବିଶେଷ ଭାବେ ସହାୟକ ହେଉଛି
– ଏହାଦ୍ୱାରା ସ୍ଥାନୀୟ ଶିଳ୍ପର ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ବାସ୍ତବ ରୂପ ଗ୍ରହଣ କରିବ : ନରେନ୍ଦ୍ର ସିଂହ ତୋମର

ନୂଆ ଦିଲ୍ଲୀ ୯-୯ (ଓଡ଼ିଆ ପୁଅ) କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତି ରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ମଙ୍ଗଳବାରଦିନ ଓଡିଶା ସମେତ ଦେଶର ୯ଟି ରାଜ୍ୟ (ଗୁରଜାଟ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆସାମ, ନାଗାଲାଣ୍ଡ, ତ୍ରିପୁରା, ଉତ୍ତରାଖଣ୍ଡ ଓ କର୍ଣ୍ଣାଟକ)ରେ ୨୨ଟି ବାଉଁଶ କ୍ଲଷ୍ଟରର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ତୋମର ଜାତୀୟ ବାଉଁଶ ମିଶନର ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି। ଭର୍ଚୁଆଲ ମୋଡ଼ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖି ସେ କହିଲେଯେ ଦେଶ ଏବେ ବାଉଁଶରୁ ନିର୍ମିତ ବିଭିନ୍ନ ସୌଖିନ ସାମଗ୍ରୀକୁ ବିଦେଶକୁ ପ୍ରଚୁର ପରିମାଣରେ ରପ୍ତାନୀ ବୃଦ୍ଧି କରିବା ଦିଗରେ ନିଜକୁ ପ୍ରସ୍ତୁତ କରୁଛି।

ଏହି ଭିଡ଼ିଓ କନଫରେନ୍ସରେ ଉଦବୋଧନ ଦେଇ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମର କହିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଦାବେଳେ ସ୍ଥାନୀୟ ଶିଳ୍ପମାନଙ୍କର ସୁରକ୍ଷା ଏବଂ ସେଗୁଡ଼ିକୁ ପ୍ରଗତିଶୀଳ କରିବା ଉପରେ ଗୁରୁତ୍ୱ ଆରୋପ କରିଆସିଛନ୍ତି। ଏହାଦ୍ୱାରା ସ୍ଥାନୀୟ ଶିଳ୍ପୀ ଓ କାରିଗରମାନଙ୍କର ଜୀବନ ଜୀବିକା ବୃଦ୍ଧି ପାଇବ ଏବଂ ସେମାନେ ଅଧିକ ରୋଜଗାରକ୍ଷମ ହୋଇପାରିବେ ବୋଲି ସେ ମତ ପୋଷଣ କରନ୍ତି। ବାଉଁଶ କ୍ଷେତ୍ରରେ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ତାହା ହାସଲ ହୋଇଛି ଏବଂ ଏଥିରେ ବାଉଁଶ ମିଶନରେ ସାମିଲ ସମସ୍ତ ହିତଧାରକଙ୍କର ନିଷ୍ଠାପର ସହଯୋଗ ରହିଛି। ବାଉଁଶର ଗୁରୁତ୍ୱକୁ ଉପଲବ୍ଧି କରି ଭାରତ ସରକାର ଭାରତୀୟ ଜଙ୍ଗଲ ଆଇନ ୧୯୨୭ରେ ୨୦୧୭ ମସିହାରେ ସଂଶୋଧନ କରିଥିଲେ ଏବଂ ବାଉଁଶକୁ ବୃକ୍ଷ ବର୍ଗରୁ ବାଦ୍ ଦେଇଥିଲେ। ଫଳ ସ୍ୱରୂପ ଏବେ ଯେକୌଣସି ବ୍ୟକ୍ତିବିଶେଷ ବାଉଁଶ ଚାଷ କରିପାରିବେ ଏବଂ ଏହାର ଅବାଧ ବ୍ୟବସାୟ ମଧ୍ୟ ସଂପାଦନ କରିପାରିବେ। ବାଉଁଶରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ମଧ୍ୟ ଏହାର ବିପଣନ କରିପାରିବେ। ସେହିଭଳି ଦେଶର ଆବଦାନୀ ନୀତିରେ ମଧ୍ୟ ପରିବର୍ତ୍ତନ ଘଟାଯାଇଛି ଏବଂ ତାହା ଦ୍ୱାରା ଦେଶର ବାଉଁଶ ଶିଳ୍ପ କ୍ଷେତ୍ରର ଯଥେଷ୍ଟ ପ୍ରଗତି ସମ୍ଭବପର ହୋଇପାରିବ ବୋଲି ସେ ଆଶା ପୋଷଣ କରିଥିଲେ। ଶ୍ରୀ ତୋମର କହିଲେ ଯେ ବାଉଁଶର ବ୍ୟବହାର ଭାରତରେ ଏକ ପ୍ରାଚୀନ ପରମ୍ପରା ହୋଇ ରହିଆସିଛି ଏବଂ ଆଧୁନିକ ପ୍ରଯୁକ୍ତି ଏବେ ଏହାକୁ ଆବଶ୍ୟକ ସହଯୋଗ ଯୋଗାଉଛି। ବାଉଁଶ ଶିଳ୍ପ କ୍ଷେତ୍ରରେ ଦେଶର ଯୁବକଯୁବତୀମାନଙ୍କୁ ଆବଶ୍ୟକ ତାଲିମ ଯୋଗାଇ ଦିଆଯାଉଛି ବୋଲି ସେ ସୂଚନା ଦେଇଥିଲେ।

ଏହି ମର୍ମରେ ମନ୍ତ୍ରୀ ଶ୍ରୀ ତୋମର ରାଜ୍ୟମାନଙ୍କୁ ଆହ୍ୱାନ ଜଣାଇ କହିଲେ ଯେ ସେମାନେ ବାଉଁଶ ମିଶନର ଲକ୍ଷ୍ୟକୁ ଆହୁରି ଆଗକୁ ଆଗେଇ ନେଇଯିବା ସକାଶେ ପ୍ରୟାସ ଜାରି ରଖିବା ଉଚିତ। ଏହାଦ୍ୱାରା ମିଶନର ଉଦ୍ଦେଶ୍ୟ ସଫଳ ହୋଇପାରିବ। ଏହା ଆତ୍ମନିର୍ଭର କୃଷି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିପାରିବ। ବାଉଁଶ ମିଶନ ମାଧ୍ୟମରେ ସରକାର ସ୍ଥାନୀୟ ଶିଳ୍ପୀମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି। ସ୍ଥାନୀୟ ଭାବେ ଉତ୍ପାଦନ କରାଯାଉଥିବା ବାଉଁଶ କିଷମ ମାଧ୍ୟମରେ ସେମାନେ ‘ଭୋକାଲ ଫର୍ ଲୋକାଲ’ ଲକ୍ଷ୍ୟ ହାସଲ କରିପାରିବେ। ଏହାଦ୍ୱାରା ସ୍ଥାନୀୟ ବାଉଁଶ କୃଷକମାନଙ୍କର ଉପାର୍ଜନ ବୃଦ୍ଧି ପାଇବ ଏବଂ ଏଥିସହ ସେମାନେ ବିଦେଶରୁ ଅନେକ କଞ୍ଚାମାଲ ଆମଦାନୀ ଉପରେ ମଧ୍ୟ ନିର୍ଭରଶୀଳ ହେବେନାହିଁ। ଭାରତରେ ଥିବା ବାଉଁଶ ସଂପଦ ଏବଂ ବର୍ଦ୍ଧିଷ୍ଣୁ ଶିଳ୍ପର ଉପଯୋଗ କରି ଭାରତ ବିଶ୍ୱ ବଜାରରେ ନିଜର ପ୍ରଯୁକ୍ତିଯୁକ୍ତ ତଥା ହସ୍ତଶିଳ୍ପ ଉତ୍ପାଦର ପ୍ରଭାବ ବିସ୍ତାର କରିବା ସକାଶେ ସେ ଆହ୍ୱାନ ଜଣାଇଥିଲେ।

୨୦୧୮-୧୯ରେ ପୁନର୍ଗଠିତ ଜାତୀୟ ବାଉଁଶ ମିଶନର ଶୁଭାରମ୍ଭ କରାଯାଇଥିଲା ଏବଂ ଏଥିରେ ଏହି ସେକ୍ଟରରେ ଥିବା ସଂପୂର୍ଣ୍ଣ ଭାଲ୍ୟୁ ଚେନର ସାମଗ୍ରିକ ବିକାଶ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ମିଶନକୁ ଏକ ହବ୍ (ଶିଳ୍ପ) ଏବଂ ସ୍ପୋକ୍ ମଡ଼େଲ ଭାବେ ରୂପାନ୍ୱିତ କରାଯାଉଛି। ଏହାର ମୂଳ ଉଦ୍ଦେଶ୍ୟ ହେଲା କୃଷକମାନଙ୍କୁ ବଜାର ସହିତ ପ୍ରତ୍ୟକ୍ଷ ଭାବେ ସଂଯୋଗ କରିବା ଯଦ୍ୱାରା ବାଉଁଶ କୃଷିକାରୀ ଉତ୍ପାଦନକାରୀମାନେ ବଜାରରେ ପ୍ରତ୍ୟକ୍ଷ ଭାବେ ପହଞ୍ଚିପାରିବେ। ଏହାଦ୍ୱାରା ଘରୋଇ ଶିଳ୍ପ ପାଇଁ ବାଉଁଶ ସଂପର୍କୀତ ଯାହାକିଛି କଞ୍ଚାମାଲ ଆବଶ୍ୟକ ହେଉଥିବ ତାହା ସ୍ଥାନୀୟ ଭାବେ ଉପଲବ୍ଧ ହୋଇପାରିବ। ଘରୋଇ ଚାହିଦା ମେଣ୍ଟି ପାରିବ। ଏହି ମିଶନକୁ ଏକ ପ୍ରାକୃତିକ ପରିଣାମ ଭାବେ ଆରମ୍ଭ କରାଯାଇଥିଲା ଯେଉଁଥିପାଇଁ ଐତିହାସିକ ଭାରତୀୟ ଜଙ୍ଗଲ ଆଇନକୁ ୨୦୧୭ ମସିହାରେ ସଂଶୋଧନ କରାଯାଇଥିଲା। ଏହା ଫଳରେ ବାଉଁଶକୁ ବୃକ୍ଷ ବୋଲି ପୂର୍ବରୁ ଯେଉଁଭଳି ଭାବେ ସଂଜ୍ଞା ନିରୂପଣ କରାଯାଉଥିଲା ତାହାକୁ ହଟାଯାଇ ଘାସ ବର୍ଗରେ ସ୍ଥାନୀତ କରାଯାଇଥିଲା। ଏହାଦ୍ୱାରା ଏବେ ଜଙ୍ଗଲ ବାହାରେ ଚାଷ କରାଯାଉଥିବା ବାଉଁଶ କାଟିବା ଏବଂ ଏହାର ଅନ୍ୟତ୍ର ସ୍ଥାନାନ୍ତରଣ ନିମନ୍ତେ ଆଉ ସରକାରଙ୍କ ଅନୁମତି ଆବଶ୍ୟକ ପଡ଼ିବନାହିଁ।

ବାଉଁଶ ଚାଷ ଦେଶର ପ୍ରାୟ ୨୩ଟି ରାଜ୍ୟରେ ପରିଲକ୍ଷିତ ହୋଇଥାଏ ଏବଂ ସେଥି ମଧ୍ୟରେ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ୮ଟି ରାଜ୍ୟ ରହିଛି। ଶିଳ୍ପ ସଂସ୍ଥା ପାଇଁ ଯେଉଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରଜାତିର ବୃକ୍ଷ ଆବଶ୍ୟକ ପଡ଼େ ସେଥି ମଧ୍ୟରୁ ବାଉଁଶ ଅନ୍ୟତମ। ବାଉଁଶ ଚାଷ ନିମନ୍ତେ ଗୁଣାତ୍ମକ ରୋପଣ ସାଧନ ଏବଂ ଚାରା କୃଷକମାନଙ୍କ ପାଇଁ ଉପଲବ୍ଧ। ଆସାମ ବାଉଁଶ ଚାଷ ପାଇଁ ଏଫପିଓମାନଙ୍କୁ ନିୟୋଜିତ କରିସାରିଛି। ନୂଆ ନୂଆ ଏଫପିଓମାନଙ୍କୁ ସଦ୍ୟ ସ୍ୱୀକୃତିପ୍ରାପ୍ତ ଡିଏସିଏଫଡବ୍ଲୁ ଯୋଜନା ମାଧ୍ୟମରେ ସାମିଲ କରାଯିବ। ଆଗାମୀ ୫ ବର୍ଷ ମଧ୍ୟରେ ଏଭଳି ୧୦, ୦୦୦ ଏଫପିଓ ଗଠନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଅଧିକନ୍ତୁ ପ୍ରାଥମିକ ପ୍ରକ୍ରିୟାକରଣ ପାଇଁ ସିଏଫସିମାନ ବାଉଁଶ ଚାଷ ହେଉଥିବା ସ୍ଥାନ ନିକଟରେ ସ୍ଥାପନ କରାଯାଉଛି। ଏହାଦ୍ୱାରା ବାଉଁଶ ପରିବହନ ସକାଶେ ମୂଲ୍ୟ ହ୍ରାସ ଘଟିବ। ସ୍ଥାନୀୟ ଉଦ୍ୟୋଗୀମାନେ ସୃଷ୍ଟି ହୋଇପାରିବେ ଏବଂ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ଓ ଏହାଦ୍ୱାରା କୌଣସି ପ୍ରକାର ବର୍ଜ୍ୟ ସୃଷ୍ଟି ନହେବା ଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇପାରିବ।

ଏହିସବୁ ସଂସ୍ଥାମାନେ ନର୍ସରୀ ଠାରୁ ବାଉଁଶ ଚାରା ରୋପଣ ଏବଂ/ କିମ୍ବା ଉତ୍ପାଦ ବିକାଶ ଯଥା ବିଭିନ୍ନ ପ୍ରକାର ଉପକରଣ, ଅଗରବତୀ, ଭେନିସିଆନ ବ୍ଲାଇଣ୍ଡ୍, ଚୋପଷ୍ଟିକ୍, ଟୁଥବ୍ରଶ୍, ଲାଇଫ୍ ଷ୍ଟାଇଲ୍ ସାମଗ୍ରୀ, ଅଳଙ୍କାର, ବୋତଲ, ଯୋଗାସନ, ଅଙ୍ଗାର ଇତ୍ୟାଦି ଉତ୍ପାଦନ କରିପାରିବେ। ଏଭଳି ଶୈଳ୍ପିକ ଉତ୍ପାଦ ସହିତ, ଜାତୀୟ ବାଉଁଶ ମିଶନ ମଧ୍ୟ ପାରମ୍ପରିକ ବାଉଁଶ କାରିଗରମାନଙ୍କ କଳା କୌଶଳର ଉନ୍ନତି ସାଧନ କରିବା ନିମନ୍ତେ ତଥା ବର୍ତ୍ତମାନର ବଜାର ଚାହିଦାକୁ ଚାହିଁ ସେମାନଙ୍କୁ କୁଶଳୀ କରିବା ଲାଗି ପ୍ରୟାସ କରିବେ। ସେମାନଙ୍କୁ ବିଭିନ୍ନ ଉଦେ୍ଦ୍ୟାଗୀ ତଥା ପ୍ରମୁଖ ପ୍ରତିଷ୍ଠାନମାନଙ୍କ ସହିତ ଅନୁବନ୍ଧିତ କରାଯିବ ଯଦ୍ୱାରା ଆମର ସାଂସ୍କୃତିକ ଐତିହ୍ୟ ମଧ୍ୟ ଏହା ମାଧ୍ୟମରେ ବଜାୟ ରଖାଯାଇପାରିବ। ଜାତୀୟ କୌଶଳ ବିକାଶ ଏଜେନ୍ସି ଅଧୀନରେ ପ୍ରତିଷ୍ଠିତ ସେକ୍ଟର କୌଶଳ ପରିଷଦଗୁଡ଼ିକ କୌଶଳ ଆମଦାନୀ କରିବେ ଏବଂ ପାରମ୍ପରିକ ଶିଳ୍ପୀ ଓ କାରିଗରମାନଙ୍କ ଠାରୁ ପ୍ରାକ୍ ତାଲିମ ପାଇପାରିବ ଓ ଏହାକୁ ସ୍ୱୀକୃତି ପ୍ରଦାନ କରାଯିବ। ଏହା ଦ୍ୱାରା ଯୁବକଯୁବତୀମାନେ ସେମାନଙ୍କର ପରିବାରର କୌଳିକ ବୃତ୍ତିକୁ ଆଗକୁ ଆଗେଇ ନେବା ସକାଶେ ଅଧିକ ପ୍ରୟାସୀ ହେବେ।

ଏଥି ପାଇଁ ଆୟୋଜିତ ଲୋଗୋ ପ୍ରତିଯୋଗିତାରେ ତେଲଙ୍ଗାନାର ଶ୍ରୀ ସାଇ ରାମ ଗୌଡ଼ି ଇଡ଼ିଗି ବିଜୟୀ ହୋଇଛନ୍ତି। ଏଥିପାଇଁ ସାରା ଦେଶରୁ ସର୍ବମୋଟ ୨୦୩୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନେ ନିଜ ନିଜର ଏଣ୍ଟ୍ରି ମାଇଁଗଭ୍ ପ୍ଲାଟଫର୍ମରୁ ହାସଲ କରିଥିଲେ। ବିଜୟୀ ଲୋଗୋରେ ଏକ ବାଉଁଶ କରଡ଼ି ଗୋଟିଏ ବୃତ୍ତର ମଝିରେ ଅଙ୍କାଯାଇଛି। ଏହି ବୃତ୍ତଟିର ଅର୍ଦ୍ଧେକ ଏକ ଶିଳ୍ପ ଚକ୍ର ଭାବେ ଅଙ୍କା ଯାଇଥିବା ବେଳେ ଅନ୍ୟ ଅର୍ଦ୍ଧେକରେ କୃଷକମାନେ ରହିଛନ୍ତି ଯାହାକି ଏନବିଏମର ଉଦ୍ଦେଶ୍ୟକୁ ଉପଯୁକ୍ତ ଭାବେ ପ୍ରତିଫଳିତ କରୁଛି। ଲୋଗୋରେ ବ୍ୟବହୃତ ସବୁଜ ଓ ହଳଦିଆ ରଙ୍ଗ ବାଉଁଶକୁ ସୂଚାଉଛି ଯାହାକୁ କି ସବୁଜ ସୁନା ବୋଲି ଲୋକେ କହିଥାନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top