ad
ଓଡ଼ିଶା

ଦେଶରେ କରୋନା ମହାମାରୀର ସ୍ଥିତି ଏବଂ ଏହାର ମୁକାବିଲା ପାଇଁ ଭାରତ ସରକାର ଗ୍ରହଣ କରୁଥିବା ପଦକ୍ଷେପ ସଂପର୍କରେ ଲୋକସଭା ଓ ରାଜ୍ୟସଭାରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନଙ୍କ ବିବୃତି

ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ଦେଶରେ କରୋନା ମହାମାରୀର ସ୍ଥିତି ଏବଂ ଏହାର ମୁକାବିଲା ପାଇଁ ଭାରତ ସରକାର ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସେପ୍‌ଟେମ୍ବର ୧୪ରେ ଲୋକସଭା ଏବଂ ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ସ୍ୱତଃପ୍ରବୃତ୍ତଭାବେ ଦେଇଥିବା ବିବୃତି ନିମ୍ନମତେ ପ୍ରଦାନ କରାଯାଇଛି।

୧- ପୂର୍ବରୁ ଦୁଇଥର ଏହି ପବିତ୍ର ଗୃହରେ ଗତ ଫେବୃୟାରୀ ଏବଂ ମାର୍ଚ୍ଚ ମାସରେ କରୋନା ମହାମାରୀ ସଂପର୍କରେ ସୂଚନା ଦେଇଥିଲି। ମୁଁ ପୁନର୍ବାର ମାନନୀୟ ସଦସ୍ୟମାନଙ୍କୁ ଏହି ମହାମାରୀର ସାଂପ୍ରତିକ ସ୍ଥିତି ଏବଂ ଭାରତ ସରକାର ଗ୍ରହଣ କରୁଥିବା ପଦକ୍ଷେପ ସଂପର୍କରେ ସୂଚୀତ କରିବାକୁ ଆଗ୍ରହୀ।

୨- ମୋର ଶେଷ ସୂଚନା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ୍‌୧୯କୁ ଏକ ମହାମାରୀଭାବେ ଘୋଷଣା କରିଥିଲା। ଏଭଳି ଏକ ସର୍ବସାଧାରଣ ସ୍ୱାସ୍ଥ୍ୟ ସଂକଟ ବିରୋଧରେ ଜରୁରୀ ଏବଂ ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ କରିବା ପାଇଁ ସବୁ ଦେଶର ସରକାରଙ୍କୁ ପରାମର୍ଶ ଦେଇଥିଲା।

୩- ୨୦୨୦ ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା ପୃଥିବୀରେ ୨୧୫ ଦେଶ/ଅଞ୍ଚଳ କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ବିଶ୍ୱରେ ଏଥିରେ ୨.୭୯ କୋଟି ଲୋକ ଆକ୍ରାନ୍ତ ହୋଇଥିବାବେଳେ ୯.୦୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ମୃତ୍ୟୁହାର ୩.୨ ଶତାଂଶ ରହିଛି।

୪- ୨୦୨୦ ସେପ୍ଟେମ୍ବର ୧୧ ସୁଦ୍ଧା ଭାରତରେ ମୋଟ ୪୫, ୬୨, ୪୧୪ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ସମୟରେ ୭୬୨୭୧ ଜଣଙ୍କ ମୃତ୍ୟୁ ଘଟିଛି। ଏ କ୍ଷେତ୍ରରେ ଆକ୍ରାନ୍ତଙ୍କ ମୃତ୍ୟୁହାର ୧.୬୭ ଶତାଂଶ ରହିଛି। ଭାରତରେ ଆକ୍ରାନ୍ତଙ୍କ ମଧ୍ୟରୁ ୩୫, ୪୨, ୬୬୩ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏବଂ ଏମାନଙ୍କ ଅନୁପାତ ୭୭.୬୫ ଶତାଂଶ। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ଦିଲ୍ଲୀ, ପଶ୍ଚିମବଂଗ, ବିହାର, ତେଲଙ୍ଗାନା, ଓଡ଼ିଶା, ଆସାମ, କେରଳ ଏବଂ ଗୁଜରାଟ ଆଦି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏସବୁ ରାଜ୍ୟରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍‌୧୯ର ପରିଚାଳନା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ। ଏଥିରେ ସମଗ୍ର ସରକାର ଓ ସମଗ୍ର ସମାଜ ନୀତି ଅବଲମ୍ବନ କରାଯାଉଛି। ଫଳରେ ଭାରତରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ଭାରତରେ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଲକ୍ଷରେ ୩୩୨୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଲୋକସଂଖ୍ୟା ହିସାବରେ ଏହି ହାର ନିୟୁତ ପିଛା ୫୫ ଜଣ ରହିଛି। ଏହି ହାର ଅନ୍ୟାନ୍ୟ ଆକ୍ରାନ୍ତ ଦେଶ ତୁଳନାରେ ଯଥେଷ୍ଟ କମ୍‌।

୫- ସଂକ୍ରମଣର ବିଭିନ୍ନ ପ୍ରକାର, ସବ୍‌କ୍ଲିନିକାଲ ସଂକ୍ରମଣ, ଭୂତାଣୁ ସଂକ୍ରମଣର ପ୍ରକୋପ ହ୍ରାସ ଏବଂ ରୋଗ ପ୍ରତିରୋଧକର ଭୂମିକା ଆଦି ବିଭିନ୍ନ ପ୍ରକାର ମହାମାରୀ ଜନିତ ମାନ ଉପରେ ସରକାର ଏବେ ମଧ୍ୟ ଗବେଷଣା ଚଳାଇଛନ୍ତି। ଥରେ ଜଣେ କେହି ବ୍ୟକ୍ତି ସଂକ୍ରମଣ ପ୍ରଭାବରେ ଆସିଲେ ୧ରୁ ୧୪ ଦିନ ମଧ୍ୟରେ ସେ କରୋନାରେ ଆକ୍ରାନ୍ତ ହେବା ସମ୍ଭାବନା ରହିଛି। ଜ୍ୱର, କାଶ, ଶ୍ୱାସପ୍ରଶ୍ୱାସରେ କଷ୍ଟ ଆଦି କରୋନା ପ୍ରମୁଖ ଲକ୍ଷଣ। ଆମ ଦେଶରେ ବ୍ୟାପିଥିବା କରୋନା ମହାମାରୀରେ ପ୍ରାୟ ୯୧ ଶତାଂଶ ଲୋକ ସ୍ୱଳ୍ପ ଆକ୍ରାନ୍ତ ହେଉଛନ୍ତି। କେବଳ ମାତ୍ର ୫.୮ ଶତାଂଶ ମାମଲାରେ ଅକ୍ସିଜେନ ଥେରାପିର ଆବଶ୍ୟକତା ପଡୁଛି। ଏହାଛଡା ମାତ୍ର ୧.୭ ଶତାଂଶ ମାମଲାରେ ଅତି ଗୁରୁତର ଆକ୍ରାନ୍ତ ରୋଗୀଙ୍କୁ ସଘନ ଚିକିତ୍ସା ବ୍ୟବସ୍ଥାର ଆବଶ୍ୟକତା ରହୁଛି।

୬- ଭାରତରେ ଏହି ବ୍ୟାଧି ବ୍ୟାପୁଥିବାରୁ ଏହାର ମୁକାବିଲା ପାଇଁ ପର୍ଯ୍ୟାୟକ୍ରମିକ ପ୍ରାକ୍‌ଏବଂ ସମର୍ପିତ ସ୍ୱାସ୍ଥ୍ୟଗତ ପଦକ୍ଷେପ ଗ୍ରହଣ କରାଯାଉଛି। ସଂକ୍ରମଣକୁ ରୋକିବା ସହିତ ଜୀବନ ରକ୍ଷାକରି ରୋଗର ପ୍ରଭାବକୁ ହ୍ରାସ କରିବା ନିମନ୍ତେ ସରକାର ଏକ ପୂର୍ଣ୍ଣାଙ୍ଗ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥିରେ ସମଗ୍ର ସରକାର ଓ ସମଗ୍ର ସମାଜ ସାମିଲ ହୋଇଛି।

୭- ଭାରତ ସରକାର ସର୍ବୋଚ୍ଚ ସ୍ତରର ରାଜନୈତିକ ଅଙ୍ଗୀକାର ପ୍ରଦର୍ଶନ କରି କରୋନା ମହାମାରୀର ମୁକାବିଲା କରୁଛନ୍ତି। ଏଥିପାଇଁ ସରକାରଙ୍କ ଦ୍ୱାରା ରାଷ୍ଟ୍ରବ୍ୟାପୀ ଜାରି କରାଯାଇଥିବା ଲକ୍‌ଡାଉନ ଏକ ଦୃଢ ପଦକ୍ଷେପ। ଏଥିରେ ଜନସମୁଦାୟ ଓ ସଂପ୍ରଦାୟଙ୍କୁ ଉପଯୁକ୍ତଭାବେ ସଂଶ୍ଲିଷ୍ଟ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଲୋକେ ଏହାକୁ ଏକ ଆତ୍ମଘୋଷିତ ଜନତା କଫୁ୍ର୍ୟଭାବେ ପାଳନ କରିଥିଲେ। ସମଗ୍ର ଭାରତ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନରେ ଏକଜୁଟ ହୋଇ କରୋନାର ମୁକାବିଲା ଏବଂ ଏହାର ଆକ୍ରମଣାତ୍ମକ ସଂପ୍ରସାରଣକୁ ରୋକିବାରେ ସଫଳ ହୋଇଥିଲେ। ଏକଥା ପ୍ରମାଣିତ ହୋଇଯାଇଛି ଯେ ଏକ ଆକଳନ ଅନୁସାରେ ଲକ୍‌ଡାଉନ ଲାଗୁ ଯୋଗୁଁ ଭାରତରେ ୧୪ରୁ ୨୯ ଲକ୍ଷ ସଂକ୍ରମଣ ଏବଂ ୩୭ରୁ ୭୮ ହଜାର କରୋନାଜନିତ ମୃତ୍ୟୁକୁ ରୋକାଯାଇପାରିଛି। ଲକ୍‌ଡାଉନର ଏହି ୪ ମାସ ମଧ୍ୟରେ ଅତିରିକ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରାଯାଇଛି। ଏହି ସମୟରେ ଆବଶ୍ୟକ ମାନବ ସମ୍ବଳ ପ୍ରସ୍ତୁତି ଏବଂ ଚିକିତ୍ସାରେ ବ୍ୟବହୃତ ହେଉଥିବା ସାମଗ୍ରୀ ଯଥା ପିପିଇ, ଏନ୍‌୯୫ ମାସ୍କ ଏବଂ ଭେଣ୍ଟିଲେଟର ଆଦି ତିଆରିର ବ୍ୟବସ୍ଥା ସଫଳତାର ସହ କରାଯାଇପାରିଛି। ଉଦାହରଣ ସ୍ୱରୂପ ୨୦୨୦ ମାର୍ଚ୍ଚରେ ଦେଶରେ ଆଇସିୟୁ ବେଡ୍‌ସଂଖ୍ୟା ଯେତିକି ଥିଲା ଏହି ୪ ମାସ ମଧ୍ୟରେ ତାହାକୁ ୨୪.୬ ଗୁଣ ଏବଂ ସମର୍ପିତ ଆଇସୋଲେସନ ବେଡ୍‌ସଂଖ୍ୟା ୩୬.୩ ଗୁଣ ବୃଦ୍ଧି କରାଯାଇଛି। ସେତେବେଳେ ଦେଶରେ ଆବଶ୍ୟକ ମାନର ପିପିଇ ଉତ୍ପାଦନ ନ ଥିଲା। ଏବେ ଆମେ ସେ କ୍ଷେତ୍ରରେ ଆତ୍ମନିର୍ଭରଶୀଳ। ଏପରିକି ଏହାକୁ ବିଦେଶକୁ ରପ୍ତାନୀ କରିବା ସ୍ଥିତିରେ ରହିଛୁ। ଦେଶବାସୀଙ୍କ ତରଫରୁ ମୁଁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ ଜଣାଉଛି। ସେ ବ୍ୟକ୍ତିଗତଭାବେ କରୋନା ମହାମାରୀ ସ୍ଥିତି ନିରୀକ୍ଷଣ କରୁଥିଲେ ଏବଂ ଏହାର ସଫଳ ମୁକାବିଲା କରିବା ପାଇଁ ନେତୃତ୍ୱ ପ୍ରଦାନ ଜାରି ରଖିଥିଲେ।

୮- ଭାରତ ସରକାର ଦେଶରେ କରୋନା ଭୂତାଣୁ ପ୍ରବେଶକୁ ରୋକିବା ଏବଂ ଏହାର ସଂକ୍ରମଣକୁ ନିୟନ୍ତ୍ରିତ କରିବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ମୁଁ ଦୈନିକ ପରିସ୍ଥିତିର ସମୀକ୍ଷା କରୁଛି। ମାନ୍ୟବର ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନ ତଥା ସମସ୍ତ ପକ୍ଷଙ୍କ ସହିତ ବ୍ୟକ୍ତିଗତଭାବେ କରୋନା ସ୍ଥିତି ନେଇ ଯୋଗସୂତ୍ର ରଖିଛନ୍ତି। ନିଜେ ସମସ୍ୟାକୁ ବୁଝି ରାଜ୍ୟମାନଙ୍କ ସହ ମିଳିମିଶି କରୋନା ମୁକାବିଲା ପାଇଁ ବ୍ୟକ୍ତିଗତଭାବେ ଉଦ୍ୟମ କରୁଛନ୍ତି। ମୋ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀସ୍ତରୀୟ ଗୋଷ୍ଠୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ, ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ, ଜାହାଜ ଚଳାଚଳ ବିଭାଗ ରାଷ୍ଟ୍ରମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ସଦସ୍ୟ ଅଛନ୍ତି। ଏହି କମିଟି ୨୦୨୦ ଫେବୃୟାରୀ ୩ ତାରିଖରେ ଗଠିତ ହୋଇଥିଲା। ଏହା ମଧ୍ୟରେ କମିଟିର ବୈଠକ ୨୦ଥର ବସିସାରିଲାଣି। ସେହିଭଳି କ୍ୟାବିନେଟ ସଚିବଙ୍କ ନେତୃତ୍ୱରେ ଏକ ସଚିବସ୍ତରୀୟ କମିଟି ଗଠିତ ହୋଇଛି। ଏହି କମିଟି ସ୍ୱାସ୍ଥ୍ୟ, ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ବେସାମରିକ ବିମାନ ଚଳାଚଳ, ସ୍ୱରାଷ୍ଟ୍ର, ବୟନ, ଫାର୍ମା, ବାଣିଜ୍ୟ ଓ ଅନ୍ୟାନ୍ୟ ମନ୍ତ୍ରଣାଳୟ ତଥା ରାଜ୍ୟର ମୁଖ୍ୟ ସଚିବମାନଙ୍କ ସହିତ ନିୟମିତ ବୈଠକ କରି କରୋନା ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ତଦନୁସାରେ ରୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସର୍ବୋଚ୍ଚସ୍ତରରେ ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଜରିଆରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୧୧ଟି କ୍ଷମତାପ୍ରାପ୍ତ ଗୋଷ୍ଠୀ ୨୦୨୦ ମାର୍ଚ୍ଚ ୩୧ରେ ଗଠନ କରାଯାଇଥିଲା। ପ୍ରତ୍ୟେକ ଗୋଷ୍ଠୀ କୋଭିଡ୍‌ପରିଚାଳନାର ନିର୍ଦ୍ଦିଷ୍ଟ ଦାୟିତ୍ୱ ନିର୍ବାହ କରିବାକୁ କ୍ଷମତାପ୍ରାପ୍ତ ହୋଇଥିଲା। ଏଥିରେ (୧) ମେଡିକାଲ ଏମର୍ଜେନ୍ସି ପ୍ଲାନିଂ (୨) ହସ୍ପପିଟାଲର ଉପଲବ୍ଧତା, ଆଇସୋଲେସନ ଓ କ୍ୱାରେଣ୍ଟାଇନ ସୁବିଧା, ବ୍ୟାଧି ତଦାରଖ ଏବଂ ଟେଷ୍ଟିଂ (୩) ଅତ୍ୟାବଶ୍ୟକ ଡାକ୍ତରୀ ଉପକରଣର ଉପଲବ୍ଧତାକୁ ନିଶ୍ଚିତ କରିବା (୪) ଚିକିତ୍ସା ପାଇଁ ଆବଶ୍ୟକ ମାନବସମ୍ବଳ ସଂଗ୍ରହ ଓ ଦକ୍ଷତା ବିକାଶ (୫) ଲଜିଷ୍ଟିକ ମ୍ୟାନେଜମେଣ୍ଟ ଓ ସପ୍ଲାଇଚେନ (୬) ଘରୋଇ ଉଦ୍ୟୋଗ ସହ ସମନ୍ୱୟ ରକ୍ଷା (୭) ଆର୍ଥିକ ଓ କଲ୍ୟାଣକର କାର୍ଯ୍ୟକ୍ରମ (୮) ସୂଚନା, ଯୋଗାଯୋଗ ଓ ଜନସଚେତନତା (୯) ଟେକ୍‌ନୋଲଜି ଓ ଡାଟା ମ୍ୟାନେଜମେଣ୍ଟ (୧୦) ଲୋକଙ୍କ ଆପତ୍ତି ଅଭିଯୋଗର ଶୁଣାଣି ଏବଂ (୧୧) ଲକ୍‌ଡାଉନ ଭଳି ଗୁରୁତ୍ୱପୂର୍ଣ୍ଣ ରଣକୌଶଳ ନିର୍ଦ୍ଧାରଣ ଆଦି କାମ ଏହି ଉଚ୍ଚକ୍ଷମତାସଂପନ୍ନ ଗୋଷ୍ଠୀ ଉପରେ ନ୍ୟସ୍ତ କରାଯାଇଥିଲା। ଗତ ସେପ୍ଟେମ୍ବର ୧୦ ତାରିଖରେ ଏହି ଗୋଷ୍ଠୀକୁ ପୁର୍ନଗଠିତ କରାଯାଇଛି। ପରିସ୍ଥିତିକୁ ଦେଖି ଏବଂ ନୂଆ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।

ମୋ ନିଜ ମନ୍ତ୍ରଣାଳୟ ପକ୍ଷରୁ ପରିବର୍ତ୍ତିତ ପରିସ୍ଥିତିକୁ ନିରନ୍ତର ତର୍ଜମା କରାଯାଉଛି। ରାଜ୍ୟ ସରକାରମାନଙ୍କ ସହ ନିୟମିତ ଭିଡିଓ କନ୍‌ଫରେନ୍ସରେ ସ୍ଥିତି ସଂପର୍କରେ ଆଲୋଚନା କରାଯାଉଛି। ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟକର୍ତ୍ତାଙ୍କ ସହ ଇତିମଧ୍ୟରେ ୬୩ଟି ଭିଡିଓ କନ୍‌ଫରେନ୍ସ କରାଯାଇଛି। ଏଥିରେ ଜିଲାସ୍ତରୀୟ ଅଧିକାରୀମାନଙ୍କ ମଧ୍ୟ ସାମିଲ କରାଯାଉଛି। ସ୍ୱାସ୍ଥ୍ୟସେବାର ମହାନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଯୁଗ୍ମ ତଦାରଖ ଗୋଷ୍ଠୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ବୈଷୟିକ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପରାମର୍ଶ ଦେଇଥାଏ। ଏହି ଗୋଷ୍ଠୀର ବୈଠକ ଏପର୍ଯ୍ୟନ୍ତ ୪୦ ଥର ବସିସାରିଲାଣି। ରୋଗର ଆକଳନ, ପ୍ରସ୍ତୁତିର ସମୀକ୍ଷା, ମୁକାବିଲା ବ୍ୟବସ୍ଥା ଏବଂ ଟେକ୍ନିକାଲ ଗାଇଡଲାଇନ ଚୂଡାନ୍ତ ଆଦି କ୍ଷେତ୍ରରେ ଏହି ଗୋଷ୍ଠୀ କାର୍ଯ୍ୟ କରୁଛି।

୯- ଭାରତ ସରକାର ଅତୀତରେ ମହାମାରୀ ଓ ମଡ଼କ ଆଦିର ସଫଳ ମୁକାବିଲାର ଯେଉଁ ଅଭିଜ୍ଞତା ହାସଲ କରିଥିଲେ ତାହାକୁ ଭିତ୍ତିକରି କରୋନା ମୁକାବିଲା ପାଇଁ ଆବଶ୍ୟକ ରଣନୀତି, ଯୋଜନା, ପଦ୍ଧତି ଓ ଉପାୟ ନିର୍ଦ୍ଧାରଣ କରାଯାଉଛି ଏବଂ ତାହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ପରାମର୍ଶ ଦିଆଯାଉଛି। ଏଥିରେ କଣ୍ଟେନମେଣ୍ଟ ପ୍ଲାନ ଓ ବିଭିନ୍ନ ବିଷୟକ ନିର୍ଦେଶାବଳୀ ରହିଛି। ସେଥିମଧ୍ୟରେ ଯାତ୍ରା ବା ଗମନାଗମନ କ୍ଷେତ୍ରରେ କଟକଣା, ବ୍ୟବହାର ଜନିତ ନିର୍ଦେଶାବଳୀ, ମନସ୍ତାତ୍ତ୍ୱିକ-ସାମାଜିକ ସ୍ୱାସ୍ଥ୍ୟ ତଦାରଖ, ଲାବରେଟୋରୀ ସହାୟତା, ହସପିଟାଲ ଭିତ୍ତିଭୂମି, କ୍ଲିନିକାଲ ମ୍ୟାନେଜମେଣ୍ଟ, ପିପିଇର ବ୍ୟବହାର ଏବଂ ସ୍ୱାସ୍ଥ୍ୟସେବା ଯୋଗାଣରେ ସହାୟତା କରୁଥିବା କର୍ମଚାରୀ ଏବଂ ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହନ ଯୋଗାଣ ଆଦି ଅନ୍ୟତମ।

୧୦- କୋଭିଡ ସଂକ୍ରମଣକୁ ରୋକିବା ଏବଂ ଏହାକୁ ଦମନ କରିବା ପାଇଁ ଭାରତ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିପାଇଁ ପ୍ରଥମକରି ୨୦୨୦ ଜାନୁୟାରୀ ୧୭ ତାରିଖରେ ପ୍ରଥମ ଟ୍ରାଭେଲ ଆଡଭାଇଜରି ଜାରି କରାଯାଇଥିଲା। ପରିସ୍ଥିତିକୁ ଦେଖି ଏହି ଆଡଭାଇଜରିକୁ ପର୍ଯ୍ୟାୟକ୍ରମେ ସଂଶୋଧିତ କରାଯାଇଥିଲା। ସବୁ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷାକୁ ୨୦୨୦ ମାର୍ଚ୍ଚ ୨୩ରେ ଆରମ୍ଭ କରାଯାଇଥିଲା। ଏହି ବ୍ୟବସ୍ଥା ସମସ୍ତ ପ୍ରକାର ବ୍ୟାବସାୟିକ ବିମାନ ଚଳାଚଳ ବନ୍ଦ ହେବା ପର୍ଯ୍ୟନ୍ତ ଚାଲୁ ରହିଥିଲା। ଏଥିରେ ୧୪୧୫୪ ବିମାନ ଏବଂ ୧୫, ୨୪, ୨୬୬ ଯାତ୍ରୀଙ୍କୁ ବିମାନ ବନ୍ଦରରେ ସ୍କ୍ରିନିଂ କରାଯାଇଥିଲା। ଦେଶରେ ସ୍ଥଳ ପ୍ରବେଶ ପଥରେ ୧୬.୩୧ ଲକ୍ଷ ଲୋକଙ୍କର ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯାଇଥିଲା। ସେହିଭଳି ଦେଶର ୧୨ଟି ପ୍ରମୁଖ ଓ ୬୫ଟି କ୍ଷୁଦ୍ର ବନ୍ଦରରେ ମୋଟ ୮୬୩୭୯ ଲୋକଙ୍କର ସ୍ୱାସ୍ଥ୍ୟ ସ୍କ୍ରିନିଂ ବ୍ୟବସ୍ଥା ହୋଇଥିଲା।

୧୧- ଭାରତ ସରକାର ବିମାନ ଉଡାଣ ନୀତିରେ ପରିବର୍ତ୍ତନ କରି ବିଶ୍ୱର ଯେକୌଣସି ସ୍ଥାନରୁ ଯେକୌଣସି ବ୍ୟାବସାୟିକ ପାସେଞ୍ଜର ବିମାନ ଭାରତକୁ ଆସିପାରିବ ନାହିଁ ବୋଲି ନିର୍ଦେଶନାମା ଜାରି କରିଥିଲେ। ମାର୍ଚ୍ଚ ୨୨, ୨୦୨୦ରେ ଏହା ଲାଗୁ ହୋଇଥିଲା। ତେବେ କେବଳ ବନ୍ଦେ ଭାରତ ମିଶନରେ ୨୦୨୦ ମେ ୭ରେ ବିଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ଚଳାଚଳର ବ୍ୟବସ୍ଥା କରାଯାଇଥିଲା। ଭାରତ ଏବଂ ୯ଟି ଦେଶ ମଧ୍ୟରେ ବିମାନ ଚଳାଚଳ ଯେଉଁ ବୁଝାମଣା ହୋଇଛି (ଟ୍ରାନ୍ସପୋର୍ଟ ବବ୍‌ଲ) ତଦନୁସାରେ ଏହିସବୁ ଦେଶ ମଧ୍ୟରେ ପୁନର୍ବାର ବ୍ୟାବସାୟିକ ଯାତ୍ରୀ ବିମାନ ଉଡାଣ ଆରମ୍ଭ ହୋଇଛି। ଏଥିରେ ସଂପୃକ୍ତ ସଭ୍ୟଦେଶର ବିମାନଗୁଡିକ ଭାରତକୁ ଆସିପାରୁଛି ଏବଂ ଭାରତୀୟ ବିମାନ ସେଠାକୁ ଯାଇପାରୁଛି। ଏହାଛଡା ଆନ୍ତର୍ଜାତିକ ବିମାନ ଅବତରଣ ପାଇଁ ଏକ ନୂଆ ନିର୍ଦେଶାବଳୀ ମେ ୨୪ରେ ଜାରି ହୋଇଥିଲା ଏବଂ ତାହାକୁ ଅଗଷ୍ଟ ୨ରେ ସଂଶୋଧିତ କରାଯାଇଛି।

ଲକ୍‌ଡାଉନ ୧.୦ ପୂର୍ବରୁ ଭାରତ ସରକାର ଚୀନର ଉହାନ୍‌, ଡାଇମଣ୍ଡ ପ୍ରିନସେସ୍‌କ୍ରୁଜସିପ୍‌, ଜାପାନ, ଇରାନ, ଇଟାଲୀ ଏବଂ ମାଲେସିଆରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଆଣିଥିଲେ। ବନ୍ଦେ ଭାରତ ମିଶନରେ ସେପ୍‌ଟେମ୍ବର ୧୧ ତାରିଖ ସୁଦ୍ଧା ମୋଟ ୧୨, ୬୯, ୧୭୨ ଯାତ୍ରୀଙ୍କୁ ଭାରତକୁ ଫେରାଇ ଅଣାଯାଇଛି।

୧୨- ଯାତ୍ରାଜନିତ ଘଟଣାରେ ଗୋଷ୍ଠୀ ତଦାରଖ ବ୍ୟବସ୍ଥା ପ୍ରାରମ୍ଭିକଭାବେ ଆରମ୍ଭ ହୋଇଥିଲା। ଆଇଡିଏସ୍ପି ବ୍ୟବସ୍ଥାରେ ଯେଉଁମାନେ ଆକ୍ରାନ୍ତ ହେଉଥିବା ସନ୍ଦେହ ହେଉଥିଲା ସେ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରାଯାଉଥିଲା। ସେପ୍‌ଟେମ୍ବର ୧୧ ତାରିଖ ସୁଦ୍ଧା ସମଗ୍ର ଦେଶରେ ପ୍ରାୟ ୪୦ ଲକ୍ଷ ଲୋକଙ୍କୁ ସର୍ଭେଲାନ୍ସ ବ୍ୟବସ୍ଥାରେ ରଖାଯାଇଛି। ସଂକ୍ରମିତଙ୍କ ସଂପର୍କରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ଠାବ କରିବା ପାଇଁ ଏହି ବ୍ୟବସ୍ଥାରେ କଣ୍ଟାକ୍ଟ ଟ୍ରେସିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମାର୍ଚ୍ଚ ୨ ଓ ୪ ତାରିଖରେ ସଂକ୍ରମଣ ରୋକିବାକୁ କଣ୍ଟେନମେଣ୍ଟ ପ୍ଲାନ ଓ କ୍ଲଷ୍ଟର ଯୋଜନା ଯଥାକ୍ରମେ ଆରମ୍ଭ କରାଯାଇଥିଲା। ଏହାକୁ ବିଭିନ୍ନ ସମୟରେ ପରିସ୍ଥିତିକୁ ଦେଖି ସଂଶୋଧିତ କରାଯାଉଛି। ସଂକ୍ରମଣ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କଣ୍ଟେନମେଣ୍ଟ ଜୋନ୍‌କାର୍ଯ୍ୟକାରୀ ହେଉଛି। ଏହାଛଡା ବଫର ଜୋନ୍‌ମଧ୍ୟ ନିର୍ଦ୍ଧାରଣ କରାଯାଉଛି। କଣ୍ଟେନମେଣ୍ଟ ଏରିଆରେ ପ୍ରବେଶ ଓ ପ୍ରସ୍ଥାନକୁ ଅତ୍ୟନ୍ତ କଡାକଡି କରାଯାଇଛି। ଘରକୁ ଘର ବୁଲି ଲୋକଙ୍କର ପରୀକ୍ଷା ଏବଂ ସନ୍ଦିଗ୍ଧଙ୍କୁ ଠାବ କରାଯାଉଛି। ଏଥିରେ ସନ୍ଦିଗ୍ଧଙ୍କୁ ଆଇସୋଲେସନରେ ରଖିବା ଏବଂ ସେମାନଙ୍କର ପରୀକ୍ଷା ନିରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଇଛି। ଯେଉଁମାନେ ସଂକ୍ରମିତ ହେବାର ଅଧିକ ଆଂଶକା ରହିଛି ସେମାନଙ୍କ ନିମନ୍ତେ କ୍ୱାରେଣ୍ଟାଇନ ବ୍ୟବସ୍ଥା ହୋଇଛି। ଗୋଷ୍ଠୀ ସ୍ତରରେ ଲୋକଙ୍କୁ ସଚେତନ କରିବା ସହ ସରଳ ରୋଗ ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି। ସେହିଭଳି ଇନ୍‌ଫ୍ଲେଜା ଭଳି ଅସୁସ୍ଥତା ଗୁରୁତର ଶ୍ୱାସକ୍ରିୟା ଜନିତ ବ୍ୟାଧି ଏବଂ ସେହିଭଳି ସମାନ ଲକ୍ଷଣ ଥିବା ରୋଗ କଣ୍ଟେନମେଣ୍ଟ ଏବଂ ବଫର ଜୋନ୍‌ରେ ଦେଖାଦେଲେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରାଯାଇଛି।

୧୩- ପରିବର୍ତ୍ତିତ ପରିସ୍ଥିତିକୁ ବିଚାରକୁ ନେଇ ସମଗ୍ର ଦେଶରେ ଲାବରେଟୋରୀ ନେଟୱାର୍କକୁ ନିରନ୍ତରଭାବେ ସୁଦୃଢ କରାଯାଉଛି। ଗତ ଜାନୁୟାରୀ ମାସରେ କୋଭିଡ ପରୀକ୍ଷା ପାଇଁ ଦେଶରେ ମାତ୍ର ଗୋଟିଏ ଲ୍ୟାବ ଥିବାବେଳେ ଏବେ ୧୭୦୫ଟି ଲ୍ୟାବରେ କୋଭିଡ ପରୀକ୍ଷା କରାଯାଉଛି। ଲଦାଖ, ସିକ୍କିମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ତଥା ଅନ୍ୟାନ୍ୟ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭଳି ଅଗମ୍ୟ ଓ ପାହାଡ ପର୍ବତ ଘେରା ଅଞ୍ଚଳରେ କୋଭିଡ୍‌ପରୀକ୍ଷାଗାର ସ୍ଥାପନ କରାଯାଇଛି। ଏବେ ଭାରତରେ ଦୈନିକ ୧୦ ଲକ୍ଷ କୋଭିଡ୍‌ପରୀକ୍ଷା ହେଉଛି। ଏହାର ଅର୍ଥ ଦୈନିକ ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ୭୨୦ ଜଣଙ୍କର ଏହି ପରୀକ୍ଷା କରିବା ସମ୍ଭବ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମ ଅନୁସାରେ ୧୦ ଲକ୍ଷ ଜନସଂଖ୍ୟା ପାଇଁ ଦୈନିକ ୧୪୦ କୋଭିଡ୍‌ପରୀକ୍ଷା କରାଯିବା କଥା। ସେହି ହିସାବରେ ଭାରତ ବହୁ ଆଗରେ ରହିଛି। ୧୧ ସେପ୍‌ଟେମ୍ବର ସୁଦ୍ଧା ଦେଶରେ ୫, ୫୧, ୮୯, ୨୨୬ ସାମ୍ପୁଲ ପରୀକ୍ଷା କରାଯାଇଛି। ଆଗରୁ ଆମର ଏହି ପରୀକ୍ଷାର ଦେଶୀ ବ୍ୟବସ୍ଥା ନଥିଲା ଏବଂ ଯନ୍ତ୍ରପାତିର ଅଭାବ ମଧ୍ୟ ରହିଥିଲା। ଏବେ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭଶୀଳ ହୋଇଛି। ଦୈନିକ ଦେଶରେ ୧୦ଲକ୍ଷରୁ ଅଧିକ କିଟ୍‌ଉତ୍ପାଦିତ ହେବାର ସାମର୍ଥ୍ୟ ରହିଛି।

୧୪- କୋଭିଡ୍‌ଉପଯୁକ୍ତ ମୁକାବିଲା ପାଇଁ ତ୍ରିସ୍ତରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯାଇଛି। ସେଥିରେ ପ୍ରଥମଟି ହେଲା ସ୍ୱଳ୍ପ ବା ପ୍ରାକ୍‌ସଂକ୍ରମଣ କରୋନା ରୋଗୀଙ୍କ ପାଇଁ କୋଭିଡ୍‌କେୟାର ସେଣ୍ଟର ଯେଉଁଥିରେ ଆଇସୋଲେସନ ବେଡ୍‌ର ସୁବିଧା ରହିଛି। ଦ୍ୱିତୀୟଟି ହେଲା ଉତ୍ସର୍ଗୀକୃତ କୋଭିଡ୍‌ହେଲ୍‌ଥ ସେଣ୍ଟର ଯେଉଁଥିରେ ଅକ୍ସିଜେନ ସୁବିଧା ସହିତ ଆଇସୋଲେସନ ବେଡ୍‌ରହିଛି। ଏହିସବୁ କେନ୍ଦ୍ରରେ ମଧ୍ୟମ ଧରଣର ସଂକ୍ରମିତଙ୍କ ଚିକିତ୍ସା କରାଯାଇଛି। ତୃତୀୟ ପର୍ଯ୍ୟାୟରେ ଥିବା ବ୍ୟବସ୍ଥାରେ ଉତ୍ସର୍ଗୀକୃତ କୋଭିଡ୍‌ହସପିଟାଲମାନ ରହିଛି। ଏଥିରେ ଆଇସିୟୁ ବେଡ୍‌ଗୁରୁତର ସଂକ୍ରମିତଙ୍କ ପାଇଁ ଉପଲବ୍‌ଧ। ଏହାଛଡା ଏସିକ୍‌, ପ୍ରତିରକ୍ଷା, ରେଳବାଇ, ଅର୍ଦ୍ଧସାମରିକ ବଳ, ଇସ୍ପାତ ମନ୍ତ୍ରଣାଳୟ ଆଦି ପକ୍ଷରୁ ସ୍ୱତନ୍ତ୍ର କୋଭିଡ କେୟାର ହସପିଟାଲ ମଧ୍ୟ ଯୋଗାଇ ଦିଆଯାଉଛି। ସେପ୍‌ଟେମ୍ବର ୧୨ ସୁଦ୍ଧା ଦେଶରେ ମୋଟ ୧୫୨୮୪ କରୋନା ଚିକିତ୍ସା ବ୍ୟବସ୍ଥା ଉପଲବ୍‌ଧ ଥିଲା। ସେଥିରେ ୧୩, ୧୪, ୬୪୬ ଉତ୍ସର୍ଗୀକୃତ ଆଇସୋଲେସନ ବେଡ୍‌ଅଣଅକ୍ସିଜେନ ସୁବିଧା ସହ ଉପଲବ୍‌ଧ। ସେହିଭଳି ଅକ୍ସିଜେନ ସୁବିଧା ଥିବା ଆଇସୋଲେସନ ବେଡ୍‌ର ସଂଖ୍ୟା ୨, ୩୧, ୦୯୩ ଥିବାବେଳେ ଆଇସିୟୁ ବେଡ୍‌ସଂଖ୍ୟା ୬୨, ୭୧୭। ଏହାଛଡା ଭେଣ୍ଟିଲେଟର ସୁବିଧା ଥିବା ୩୨୫୭୫ ବେଡ୍‌ମଧ୍ୟ ସୃଷ୍ଟି କରାଯାଇଛି। ଏହା ସହିତ ମୋଟ ୧୨, ୮୨୬ କ୍ୱାରେଣ୍ଟାଇନ ସେଣ୍ଟରରେ ୫୯୮୮୧୧ ବେଡ୍‌ର ମଧ୍ୟ ସୁବିଧା କରାଯାଇଛି। ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। କୌଣସି ପରିସ୍ଥିତିରେ ଚିକିତ୍ସା କ୍ଷେତ୍ରରେ ଯେଭଳି ଅସୁବିଧା ନ ହୁଏ ସେଥିପାଇଁ ସରକାର ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି।

୧୫- କୋଭିଡ୍‌ର କ୍ଲିନିକାଲ ମ୍ୟାନେଜମେଣ୍ଟ ଓ ଗାଇଡଲାଇନ ଜାରି କରାଯିବା ସହ ନିୟମିତ ଏହାକୁ ସମୀକ୍ଷା କରାଯାଇ ପରିବର୍ତ୍ତନ କରାଯାଉଛି। ଏଥିରେ ସଂକ୍ରମଣର ସଂଜ୍ଞା, ସଂକ୍ରମଣ, ନିରାକରଣ, ନିୟନ୍ତ୍ରଣ, ଲାବରେଟୋରୀ ଡାଇଗ୍ନୋସିସ, ସର୍ପୋଟିଂ ଥେରାପି, ଗୁରୁତର ରୋଗୀଙ୍କ ଚିକିତ୍ସା ପରିଚାଳନା ଏବଂ ଜଟିଳତା ଆଦି ସଂପର୍କରେ ଉଲ୍ଲେଖ ରହିଛି। ରୋଗକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଆଣ୍ଟି ଭାଇରାଲ ସଫଳ ହେଉନଥିବାରୁ ଲକ୍ଷଣ ଦେଖି ରୋଗୀଙ୍କ ଚିକିତ୍ସା କରିବାକୁ ଚିକିତ୍ସକଙ୍କୁ ପରାମର୍ଶ ଦିଆଯାଇଛି। ଏଥିରେ ଜ୍ୱର ଓ କାଶ ଚିକିତ୍ସା ସହିତ ଉପଯୁକ୍ତ ରିହାଇଡ୍ରେସନ ଏବଂ ସପ୍ଲିମେଣ୍ଟାଲ ଅକ୍ସିଜେନ ଥେରାପି ଏଯାବତ୍‌ମନ୍ତ୍ରଣାଳୟର ପ୍ରମୁଖ ଚିକିତ୍ସା ନିର୍ଦେଶାବଳୀଭାବେ କାର୍ଯ୍ୟକାରୀ ହେଉଛି। ଆମେ ହାଇଡ୍ରୋସ୍କିକ୍ଲୋରୋକୁଇନ ଔଷଧକୁ ସ୍ୱଳ୍ପ ସଂକ୍ରମଣ କ୍ଷେତ୍ରରେ ଏକ ବିକଳ୍ପ ଔଷଧଭାବେ ବ୍ୟବହାର କରୁଛୁ। ଏହି ଔଷଧ ମୂଳତଃ କୋଭିଡ୍‌ପାଇଁ ନୁହେଁ, ତେବେ ଏହା ଯେଉଁ କ୍ଷେତ୍ରରେ ବ୍ୟବହାର ହେଉଛି ତାହାର ଫଳାଫଳ ଏବଂ ସଫଳତାକୁ ଦେଖି ବିଜ୍ଞାନଭିତ୍ତିକ ବିଚାରରେ ଏହାକୁ ପୁନଃଉଦ୍ଦିଷ୍ଟ କରାଯାଇ କରୋନା ରୋଗୀଙ୍କଠାରେ ପ୍ରୟୋଗ କରାଯାଉଛି। ସେହିଭଳି ରେମ୍‌ଡେସିଭିର୍‌ବ୍ୟବହାରକୁ ଅନୁସନ୍ଧାନମୂଳକ ପ୍ରୟୋଗଭାବେ ଅନୁମତି ଦିଆଯାଇଛି ଏବଂ ଅତି ଗୁରୁତର ରୋଗୀଙ୍କ ପାଇଁ ମେଡିକାଲ ସୁପରଭିଜନ ବ୍ୟବସ୍ଥାରେ କନ୍‌ଭାଲସେଣ୍ଟ ପ୍ଲାଜମା ଓ ଟୋସିଲିଜୁମାବ ବ୍ୟବହାରକୁ ଅନୁମତି ଦିଆଯାଇଛି।

ଏହି ଯେଉଁ ଷ୍ଟାଣ୍ଡାର୍ଡ ଟ୍ରିଟମେଣ୍ଟ ପ୍ରୋଟକଲ ବ୍ୟବସ୍ଥା କରାଯାଇଛି ତାହାରେ ଲକ୍ଷ୍ୟ ହେଲା ମୃତ୍ୟୁ ସଂଖା ଯଥାସମ୍ଭବ ହ୍ରାସ କରିବା। ଆହୁରି ମଧ୍ୟ ଚିକିତ୍ସା କ୍ଷେତ୍ରରେ ଏମ୍‌ସ ପକ୍ଷରୁ କରୋନା ହେଲ୍‌ପ ଲାଇନ ଆରମ୍ଭ କରାଯାଇ ଚିକିତ୍ସା କ୍ଷେତ୍ରରେ ଡାକ୍ତରମାନଙ୍କୁ ପରାମର୍ଶ ଦିଆଯାଉଛି। ଏହାର ନମ୍ବର ୯୯୭୧୮୭୬୫୯୧। ଏହାଛଡା ଦିଲ୍ଲୀ ଏମ୍‌ସ ପକ୍ଷରୁ କୋଭିଡ ୧୯ ନ୍ୟାସନାଲ ଟେଲି କନ୍‌ସଲଟାଣ୍ଟ ସେଣ୍ଟର କାର୍ଯ୍ୟ କରୁଛି। ଏହାର ଯୋଗାଯୋଗ ନମ୍ବର +୯୧-୯୧୧୫୪୪୪୧୫୫। ଦେଶର ଯେକୌଣସି ସ୍ଥାନରୁ କିଛି ପରାମର୍ଶ ମାଗିଲେ ଏହି କେନ୍ଦ୍ର ପରାମର୍ଶ ଯୋଗାଇ ଦେଉଛି। ମାର୍ଚ୍ଚ ୨୫ ତାରିଖରୁ ମଧ୍ୟ ରୋଗୀଙ୍କ ସୁବିଧା ପାଇଁ ଟେଲି କନ୍‌ସଲଟେସନ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହୋଇଛି।

ଦୂରଦୂରାନ୍ତ ଓ ଅଗମ୍ୟ ଅଞ୍ଚଳରେ ଉତ୍ତମମାନର କୋଭିଡ୍‌ଓ ଅଣକୋଭିଡ୍‌ସେବା ଯୋଗାଇ ଦେବା ପାଇଁ ଟେଲିମେଡିସିନ ସେବାକୁ ପ୍ରୋତ୍ସାହିତ କରାଯାଉଛି। ଦେଶରେ ୨୩ଟି ରାଜ୍ୟରେ ଇ-ସଞ୍ଜିବନୀ ଟେଲି ମେଡିସିନ ସେବା ଉପଲବ୍‌ଧ ହେଉଛି। ଆଇସିଏମ୍‌ଆର ପକ୍ଷରୁ କୋଭିଡ୍‌ପାଇଁ ଏକ ଜାତୀୟ କ୍ଲିନିକାଲ ରେଜିଷ୍ଟି୍ର ପ୍ରତିଷ୍ଠା କରାଯାଇଛି।

୧୬- ଏହା କରୋନାର କ୍ଲିନିକାଲ କୋର୍ସ, ଏହାର ପରିସର ଏବଂ ରୋଗୀଙ୍କ ଚିକିତ୍ସାର ଫଳାଫଳ ସଂପର୍କରେ ଗବେଷଣା କରୁଛି। ପୁନଃଉଦେ୍ଦ୍ୟଶିତ (ରିପର୍ପସଡ୍‌) ହୋଇଥିବା ଔଷଧଗୁଡିକର ୧୩ଟି କ୍ଲିନିକାଲ ପରୀକ୍ଷା ସରିଲାଣି। ଆହୁରି ମଧ୍ୟ ପାରମ୍ପରିକ ଔଷଧର ଉପଯୋଗ ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି। ଇତିମଧ୍ୟରେ ଇମିନୋମଡ୍ୟୁଲେଟର ସ୍ପେଶିଭ୍ୟାକ୍‌ର ଦ୍ୱିତୀୟ କ୍ଲିନିକାଲ ଟ୍ରାଏଲ ସଫଳତାର ସହ ସରିଛି। ଫାଇଟୋଫାର୍ମାସୁ୍ୟଟିକାଲ ଏସିକ୍ୟୁଏଚ୍‌ର ଦ୍ୱିତୀୟ କ୍ଲିନିକାଲ ଟ୍ରାଏଲ ମଧ୍ୟ ଚାଲିଛି। ଏଥିରେ ଅଶ୍ୱଗନ୍ଧାର ପ୍ରଥମ ପରୀକ୍ଷା, ଗୁଡୁଚି, ପିପ୍ପଳି, ଯଷ୍ଟିମଧୁ ଏବଂ ଅନ୍ୟାନ୍ୟ ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ ଆୟୂଷ ଔଷଧର ପରୀକ୍ଷଣ ଆଗେଇ ଚାଲିଛି। ଏସବୁକୁ ମଧ୍ୟମ ଧରଣର କୋଭିଡ୍‌ଆକ୍ରାନ୍ତଙ୍କୁ ଦେବାର ଲକ୍ଷ୍ୟ ରହିଛି।

କରୋନା ବିରୋଧରେ ବିଜୟୀ ହେବାକୁ ହେଲେ ସଫଳ ଟିକାର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଏବେ ୧୪୫ ପ୍ରକାର ଟିକା ପ୍ରାକ୍‌ପରୀକ୍ଷଣ ବ୍ୟବସ୍ଥାରେ ରହିଛି। ଏହାଛଡା ୩୫ଟି ଟିକାର କ୍ଳିନିକାଲ ପରୀକ୍ଷା ଚାଲିଛି। ଭାରତ ମଧ୍ୟ କୋଭିଡ୍‌୧୯ ଟିକା ପାଇଁ ମଧ୍ୟ ବିଶେଷ ଉଦ୍ୟମଶୀଳ। ଦେଶରେ ୩୦ରୁ ଅଧିକ କରୋନା ଟିକା ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷିତ ହେଉଛି। ସେଥିମଧ୍ୟରୁ ୩ଟି ଅତି ଅଗ୍ରଣୀ ପରୀକ୍ଷା ପର୍ଯ୍ୟାୟରେ ରହିଛି।

କୋଭିଡ୍‌୧୯ ବାୟୋରିପୋଜିଟରିଜ ସ୍ଥାପନ କରାଯାଇଛି। ଏଥିରେ ୪୦ ହଜାରରୁ ଅଧିକ ସାମ୍ପୁଲ ସଂଗୃହୀତ ହୋଇଛି। ଏହାକୁ ବିଭିନ୍ନ ଭେଷଜ ଉଦ୍ୟୋଗ ଓ ଗବେଷକ ଗବେଷଣା, ଟିକା ପ୍ରସ୍ତୁତି ଓ ଔଷଧ ତିଆରି ପାଇଁ ବ୍ୟବହାର କରିପାରିବେ।

କୋଭିଡ୍‌ଟିକାର ସଂଗ୍ରହ ଏବଂ ଆବଣ୍ଟନ କାର୍ଯ୍ୟରେ ସମନ୍ୱୟ ଆଣିବା ପାଇଁ ଭାରତ ସରକାର ଏକ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ୭ ଅଗଷ୍ଟରେ ଗଠନ କରିଛନ୍ତି। ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟଙ୍କ ଅଧ୍ୟକ୍ଷତାରେ ଏହା ଗଠିତ ହୋଇଛି।

୧୭- ଆୟୂଷ ମନ୍ତ୍ରଣାଳୟ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରି କରୋନା ମୁକାବିଲାରେ ସହାୟତା କରୁଛି। ଲୋକଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ଏହା ସର୍ବସାଧାରଣଙ୍କୁ ପରାମର୍ଶ ଯୋଗାଇ ଦେଉଛି। ବିଦେଶରେ ମଧ୍ୟ ୮ଟି ଭାଷାରେ ଏଥିପାଇଁ ପରାମର୍ଶ ଭାରତୀୟ ଦୂତାବାସଗୁଡିକ ମାଧ୍ୟମରେ ଦିଆଯାଉଛି। କୋଭିଡ୍‌ଯୋଦ୍ଧାଙ୍କ ମଧ୍ୟରେ ୮.୫ ଲକ୍ଷ ଆୟୂଷ ସ୍ୱାସ୍ଥ୍ୟକର୍ମୀ ଓ ପେଶାଦାର ଅଛନ୍ତି।

ମନ୍ତ୍ରଣାଳୟ ପକ୍ଷରୁ ଏକ ଆନ୍ତଃ ବିଷୟକ ଆୟୂଷ ଗବେଷଣା ଓ ଉନ୍ନୟନ ଟାସ୍କଫୋର୍ସ ଗଠନ କରାଯାଇଛି। ଆୟୂଷ ପଦ୍ଧତିରେ କୋଭିଡ୍‌ର ମୁକାବିଲା ପାଇଁ ଏହି ଟାସ୍କଫୋର୍ସ ଔଷଧ ପ୍ରଦାନ ସଂକ୍ରାନ୍ତ ପରାମର୍ଶ ଯୋଗାଇ ଦେଉଛି। ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏହି ପଦ୍ଧତିର ଚିକିତ୍ସାର ପ୍ରଭାବ ଓ ଉପଯୋଗିତା ସଂପର୍କରେ ନିୟମିତ ଆକଳନ କରୁଛି। ଏକ ମୋବାଇଲ ଆପ୍ଲିକେସନ ମଧ୍ୟ କାର୍ଯ୍ୟ ଆରମ୍ଭ କରିଛି ଯାହା ଆୟୂଷ ସଞ୍ଜିବନୀ ଆପ୍‌ନାମରେ ପରିଚିତ।

୧୮- କରୋନା ଚିକିତ୍ସା ସଂକ୍ରାନ୍ତ ନିଜର ଆବଶ୍ୟକତା ବିଶେଷକରି ଉପକରଣ ଆଦି ସଂପର୍କରେ କେନ୍ଦ୍ରକୁ ଜଣାଇବା ପାଇଁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଉଛି। ପିପିଇ ଯୋଗାଣ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ୧.୯୨ କୋଟି ପିପିଇ ପାଇଁ ନିର୍ଦେଶ ଦେଇଛନ୍ତି। ସେପ୍‌ଟେମ୍ବର ୧୧ ସୁଦ୍ଧା କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ୧.୩୯ କୋଟି ପିପିଇ କିଟ୍‌, ୩.୪୩ କୋଟି ଏନ୍‌୯୫ ମାସ୍କ ଯୋଗାଇ ଦେଇଛନ୍ତି। ଇତିମଧ୍ୟରେ ଫାର୍ମାସୁ୍ୟଟିକାଲ ବିଭାଗ ହାଇଡ୍ରୋସ୍କିକ୍ଲୋରୋକୁଇନ ଉତ୍ପାଦନକୁ ବହୁ ଗୁଣିତ କରିଛି। ସେପ୍‌ଟେମ୍ବର ୧୧ ସୁଦ୍ଧା କେନ୍ଦ୍ର ବିଭିନ୍ନ ରାଜ୍ୟକୁ ୧୦.୮୪ କୋଟି ହାଇଡ୍ରୋସ୍କିକ୍ଲୋରୋକୁଇନ ଟାବଲେଟ ଯୋଗାଇ ଦେଇଛି। ଏହାଛଡା ୧୪୦ ଦେଶକୁ ମଧ୍ୟ ଏହା ରପ୍ତାନୀ କରାଯାଇଛି।

କୌଣସି ଜରୁରୀ ଆବଶ୍ୟକତା ପୂରଣ ପାଇଁ ୬୦୯୪୮ ଭେଣ୍ଟିଲେଟର କିଣିବା ନିମନ୍ତେ କେନ୍ଦ୍ର ସରକାର ଇତିମଧ୍ୟରେ ନିର୍ଦେଶାବଳୀ ଜାରି କରିଛନ୍ତି। ସେପ୍‌ଟେମ୍ବର ୧୧ ସୁଦ୍ଧା ରାଜ୍ୟମାନଙ୍କୁ ୩୨, ୧୦୯ ଭେଣ୍ଟିଲେଟର ମଞ୍ଜୁର କରାଯାଇଛି। ସେଥିମଧ୍ୟରୁ ୩୦୧୭୦ଟି ସଂପୃକ୍ତ ରାଜ୍ୟକୁ ପଠାଇ ଦିଆଯାଇଛି। ଦେଶ ଏବେ ଅକ୍ସିଜେନ ଏବଂ ଅକ୍ସିଜେନ ସିଲିଣ୍ଡର ଉପରେ ଆତ୍ମନିର୍ଭରଶୀଳ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୦୨୪୦୦ ଅକ୍ସିଜେନ ସିଲିଣ୍ଡର ସଂଗ୍ରହ କରାଯାଇ ବିଭିନ୍ନ ରାଜ୍ୟକୁ ଏ ପର୍ଯ୍ୟନ୍ତ ପଠାଯାଇଛି।

୧୯- ଦେଶରେ କୋଭିଡ୍‌ମୁକାବିଲା ପାଇଁ ଆବଶ୍ୟକ ସଂଖ୍ୟକ କୋଭିଡ୍‌ଯୋଦ୍ଧାଙ୍କୁ ଚିହ୍ନଟ କରି ସେମାନଙ୍କୁ ତାଲିମ ଦେବା ଏକ ବଡ଼ ସମସ୍ୟା ଥିଲା। ଏଥିସହିତ ଆହୁରି ଏକ ବଡ଼ ସମସ୍ୟା ଥିଲା ଅନ୍ୟାନ୍ୟ ମେଡିକାଲ ସେବା ଯୋଗାଣକୁ ଅବ୍ୟାହତ ରଖିବା ପାଇଁ ଲୋକବଳ ଯୋଗାଡ କରିବା। ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିରକ୍ଷା, ଆୟୂଷ, ଏନ୍‌ସିସି, ଏନ୍‌ଏସଏସ୍‌, ଏନ୍‌ୱାଇକେ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଘରୋଇ ଉଦ୍ୟୋଗରୁ ଆବଶ୍ୟକ ଲୋକଶକ୍ତି ସଂଗ୍ରହ କରାଯାଇପାରିଛି। କୋଭିଡ୍‌ଯୋଦ୍ଧାମାନେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ସତ୍ତ୍ୱେ ମାନବ ସେବାରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ଚିକିତ୍ସକ, ନର୍ସ, ପାରାମେଡିକ୍ସ, ସମ୍ମୁଖରେ ଥିବା କ୍ଷେତ୍ରସ୍ତରୀୟ କର୍ମଚାରୀ, ପୁଲିସ ଓ ସୁରକ୍ଷାକର୍ମୀ, ସଫେଇ କର୍ମଚାରୀ, ସ୍ୱେଚ୍ଛାସବୀ ଏବଂ ସାମ୍ବାଦିକମାନେ ଦେଶବାସୀଙ୍କୁ କୋଭିଡ୍‌ରୁ ସୁରକ୍ଷିତ କରିବା ପାଇଁ ଅବିଶ୍ରାନ୍ତଭାବେ କାର୍ଯ୍ୟ କରିଛନ୍ତି। ସେମାନେ ଦେଶ ପାଇଁ ଯେଉଁ ମହାନ୍‌ସେବା କରିଛନ୍ତି ତାହାକୁ ପ୍ରଶଂସା କରି ଗୃହ ଏକ ପ୍ରସ୍ତାବ ଗ୍ରହଣ କରିବାକୁ ମୁଁ ଅନୁରୋଧ କରୁଛି।

କେତେକ ଘଟଣାରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା କର୍ମଚାରୀ ହଇରାଣ ହରକତ, ହିଂସା ଓ ଦୁର୍ବବ୍ୟହାରର ସମ୍ମୁଖୀନ ହୋଇଛନ୍ତି। ଦାୟିତ୍ୱ ନିର୍ବାହ ବେଳେ ସେମାନଙ୍କର ଜୀବନ ବିପନ୍ନ ହୋଇଛି। ଏହାକୁ ଦୂର କରିବା ପାଇଁ ଏବଂ ସେମାନଙ୍କ କାର୍ଯ୍ୟକୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାର ଚଳିତ ବର୍ଷ ଏପ୍ରିଲ ୨୨ ତାରିଖରେ ମହାମାରୀ ବ୍ୟାଧି ସଂଶୋଧନ ଅଧ୍ୟାଦେଶ ଜାରି କରଛନ୍ତି। ଦେଶରେ ମେଡିକାଲ ଲୋକଶକ୍ତି ଏବଂ ଚିକିତ୍ସା କ୍ଷେତ୍ର ପାଇଁ ମାନବ ସମ୍ବଳ ସୃଷ୍ଟି ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିପାଇଁ ଏକ ମଡ୍ୟୁଲ ପ୍ରସ୍ତୁତ ହୋଇଛି; ଯାହା ଆଇଗଟ୍‌ଦୀକ୍ଷା ଅନ୍‌ଲାଇନ ପ୍ଲାଟଫର୍ମରେ ଉପଲବ୍‌ଧ। ଏହି ତାଲିମ ମଡ୍ୟୁଲ ଆଞ୍ଚଳିକ ଭାଷାରେ ଉପଲବ୍‌ଧ। ବିଭିନ୍ନ ପାଠ ପଢିବା ପାଇଁ ଇତିମଧ୍ୟରେ ୨୯.୧୫ ଲକ୍ଷ ଲୋକ ଏଥିରେ ପଞ୍ଜୀକୃତ ହୋଇଛନ୍ତି। ସେଥିମଧ୍ୟରେ ୫୬୯୯ ଡାକ୍ତର, ୮୬୦୧୮ ଆୟୂଷ ବୃତ୍ତିଧାରୀ, ୪୧୦୨ ନର୍ସ, ୯୬୩ ସ୍ୱାସ୍ଥ୍ୟକର୍ମୀ, ୫୮୮୧ ଫ୍ରଣ୍ଟଲାଇନ ୱାର୍କର, ୨୭୦୭୩୬ ସ୍ୱେଚ୍ଛାସେବୀ, ୨୫୪୨୮୯୨ ଅନ୍ୟ ଅଂଶଗ୍ରହଣକାରୀ ଏଥିରେ ରହିଛନ୍ତି। ଆଇଗଟ୍‌ଦୀକ୍ଷା ପ୍ଲାଟଫର୍ମରେ ପ୍ରାୟ ୧୮.୯୬ ଲକ୍ଷ ପାଠ୍ୟକ୍ରମ ଶେଷ କରିଛନ୍ତି।

ଏବେ ସ୍ଥାନୀୟ ସଂକ୍ରମଣ ଯୋଗୁଁ କରୋନାର ଭୟାଭୟତା ବଢିଛି। ସହରାଞ୍ଚଳ ଏବଂ ସହରତଳି ଅଞ୍ଚଳରେ ଏହା ଗୁରୁତର ଆକାର ଧାରଣ କରିଛି। କେତେକ ଗ୍ରାମାଞ୍ଚଳରେ ମଧ୍ୟ ଏହା ପ୍ରଭାବିତ ହୋଇଛି। ତେଣୁ ଏହାକୁ ରୋକିବା ପାଇଁ ଆମେ ଜନସହଯୋଗ ଦ୍ୱାରା ଉଦ୍ୟମ ଆରମ୍ଭ କରିଛୁ। ଯେଉଁମାନଙ୍କର ପୁରୁଣା ରୋଗ ସବୁ ରହିଛି ଏବଂ ସେମାନଙ୍କ ସହିତ ଶିଶୁ, ବୃଦ୍ଧବୃଦ୍ଧା ଆଦିଙ୍କୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରାଯାଉଛି। ଅଣକୋଭିଡ୍‌ରୋଗକୁ ରୋକିବା ପାଇଁ ଟିକାକରଣ ବ୍ୟବସ୍ଥା ଅବ୍ୟାହତ ରହିଛି। ଏଥିରେ ଗର୍ଭବତୀ, ପ୍ରସୂତି, ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦିଆଯାଉଛି। ଏହାଛଡା ଟିବି, କୀଟାଣୁବାହିତ ବ୍ୟାଧି, ଯଥା କଳାଜ୍ୱର, ମ୍ୟାଲେରିଆ ଆଦିକୁ ରୋକିବା ପାଇଁ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରାଯାଉଛି।

୨୦- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ୱେବସାଇଟକୁ ଦୈନିକ ଅପ୍‌ଡେଟ କରାଯାଇ ଜନସାଧାରଣଙ୍କୁ କୋଭିଡ୍‌ସଂକ୍ରମଣ ସଂପର୍କରେ ସବିଶେଷ ତଥ୍ୟ ଦିଆଯାଉଛି। ପ୍ରେସ ଇସ୍ତାହାର ଏବଂ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ନିୟମିତ ତଥ୍ୟ ପ୍ରଦାନ କରାଯାଉଛି। ଏହାଛଡା ଯୋଗାଯୋଗ ସାମଗ୍ରୀ ଏବଂ ଟୁଲ୍‌କିଟ୍ସ ମାନ ବିକଶିତ କରାଯାଇ ରାଜ୍ୟ ସରକାରମାନଙ୍କୁ ତାହା ଯୋଗାଇ ଦିଆଯାଉଛି। ଏଥିରେ ପାମ୍ପ୍ଳେଟ, ପୋଷ୍ଟର, ଅଡିଓ ଏବଂ ଏଭି ଫିଲ୍ମସ୍‌ଆଦି ରହିଛି। କରୋନା ସଚେତନତା ସୃଷ୍ଟି ପାଇଁ ଏହା ମୁଖ୍ୟତଃ ଉଦ୍ଦିଷ୍ଟ। କରୋନାବେଳେ କଣ କରାଯିବ କଣ ନକରାଯିବ ସେଥିପାଇଁ ମଧ୍ୟ ମନ୍ତ୍ରଣାଳୟର ୱେବସାଇଟ ଏବଂ ସୋସିଆଲ ମିଡିଆରେ ନିୟମିତ ତଥ୍ୟ ଯୋଗାଇ ଦିଆଯାଉଛି। ଇତିମଧ୍ୟରେ ୫୫୦ କୋଟି ଏସ୍‌ଏମ୍‌ଏସ୍‌ପଠାଯାଇଛି। ଟେଲିକମ୍‌ବ୍ୟବହାରକାରୀଙ୍କ ପାଖକୁ ୧୩ଟି ଭାଷାରେ କଲର ଟ୍ୟୁନ ମେସେଜ ପଠାଯାଇଛି। ୧୧୭ କୋଟି ଉପଭୋକ୍ତାଙ୍କ ପାଖରେ ଏହା ପହଞ୍ଚିଛି। ମନ୍ତ୍ରଣାଳୟ ପକ୍ଷରୁ ଖୋଲାଯାଇଥିବା ଏକ ଡେଡିକେଟର କଲ୍‌ସେଣ୍ଟର (୧୦୭୫) ପ୍ରାରମ୍ଭିକ ଦିନରେ ନାଗରିକଙ୍କ ସେବାରେ ବେଶ୍‌ସହାୟକ ହୋଇଥିଲା। ମୋଟ ୪୧.୦୪ ଲକ୍ଷ କଲ୍‌ଏହି ହେଲ୍‌ପ ଲାଇନକୁ ଆସିଥିଲା।

୨୧- ବାୟୋ ଟେକ୍‌ନେଲଜି, ସାଇନ୍ସ ଟେକ୍‌ନୋଲଜି, ସିଏସ୍‌ଆଇଆର, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ଏ ସମସ୍ତେ ମିଶି କୋଭିଡ୍‌ମୁକାବିଲା ଜନିତ ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ସମସ୍ୟାର ସମାଧାନ କରୁଛନ୍ତି। ଏଥିରେ କିଛି ଏନ୍‌ଜିଓ, ଉଦ୍ୟୋଗ, ଷ୍ଟାର୍ଟଅପ୍‌ଓ ଗବେଷଣା ସଂସ୍ଥା ମଧ୍ୟ ସାହାଯ୍ୟ କରୁଛନ୍ତି। ଭୂତାଣୁର ଗତିବିଧି ଓ ଲକ୍ଷଣ ସଂକ୍ରମଣ ପ୍ରକ୍ରିୟା ଆଦି ସଂପର୍କରେ ଗବେଷଣା ଚାଲିଛି। ଏହାଛଡା ବିଭିନ୍ନ ପ୍ରକାର ଡାକ୍ତରୀ ଉପକରଣ ତିଆରି ପାଇଁ ମଧ୍ୟ ଏସବୁ ସଂସ୍ଥା ଗବେଷଣାତ୍ମକ ତଥ୍ୟ ପ୍ରଦାନ କରୁଛନ୍ତି। ବିଭିନ୍ନ ପ୍ରକାର ଡାକ୍ତରୀ ସାମଗ୍ରୀ ନିର୍ମାଣ ଓ ଯୋଗାଣରେ ୧୧୦ଟି ଷ୍ଟାର୍ଟଅପ୍‌, ୨୦ରୁ ଅଧିକ ଉଦ୍ୟୋଗ ସାମିଲ ହୋଇଛନ୍ତି। ଭୂତାଣୁର ବ୍ୟବହାର ଏବଂ ଲକ୍ଷଣ ସଂପର୍କରେ ୧୫୦ଟି ପ୍ରକଳ୍ପରେ ଗବେଷଣା ଚାଲିଛି।

୨୨- ଭାରତ ସରକାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦର କାର୍ଯ୍ୟାଳୟ, ଆଞ୍ଚଳିକ ଦପ୍ତର ଏବଂ ଭାରତରେ ଥିବା କାର୍ଯ୍ୟାଳୟ ନିରନ୍ତରଭାବେ ସମନ୍ୱୟ ରଖି କାର୍ଯ୍ୟ କରୁଛି। ଭାରତ ସରକାର ମଧ୍ୟ ଅନ୍ୟାନ୍ୟ ଦେଶକୁ କୋଭିଡ୍‌ମୁକାବିଲାରେ ସହାୟତା କରୁଛନ୍ତି। ଜି୨୦, ବ୍ରିକ୍ସ ଏବଂ ସାର୍କ ରାଷ୍ଟ୍ରଗୁଡିକୁ ଭାରତ ଏ ସଂପର୍କରେ ସାହାଯ୍ୟ ସହଯୋଗ କରୁଛି। ଏହି ମହାମାରୀରୁ ଭାରତ ଅନେକ କଥା ଶିଖୁଛି। ଭବିଷ୍ୟତରେ ଏଭଳି ଯଦି ମହାମାରୀ ସୃଷ୍ଟି ହୁଏ ସେଥିପାଇଁ ପ୍ରସ୍ତୁତ ରହିବାକୁ ଯେଉଁସବୁ ଆବଶ୍ୟକତା ନିହାତି ଦରକାର ତାହାକୁ ନିଶ୍ଚିତ କରି ଆତ୍ମନିର୍ଭର ହେବାକୁ ସରକାର ଉଦ୍ୟମ କରୁଛନ୍ତି।

୨୩- ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାରେ ୬୫, ୫୬୦.୯୮ କୋଟି ଟଙ୍କାର ବ୍ୟୟ ବରାଦ କରିବାର ପରିକଳ୍ପନା ରହିଛି। ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ଏହାର ମୌଳିକ ଲକ୍ଷ୍ୟ। ବିଶେଷକରି ଭବିଷ୍ୟତରେ ମହାମାରୀର ମୁକାବିଲାରେ ଏହା ସହାୟକ ହେବ।

୨୪- କରୋନା ମହାମାରୀ ବିରୋଧରେ ଆମର ଲଢେଇ ଶେଷ ହୋଇନାହିଁ। ମୁଁ ଆମର ମାନ୍ୟବର ସାଂସଦମାନଙ୍କୁ କହିବାକୁ ଚାହେଁ ଯେ ଏହି ଲଢେଇ ସହିତ ଆମକୁ ଆମର ଅର୍ଥନୀତିକୁ ପୁର୍ନଜୀବିତ କରିବା ପାଇଁ ଉଦ୍ୟମ କରିବାକୁ ପଡିବ ଏବଂ ସମାନ୍ତରଳ ଭାବେ ମହାମାରୀ ସହ ଲଢିବାକୁ ହେବ। ତେଣୁ ଉଭୟରେ ଭାରସାମ୍ୟ ଲୋଡା। ଆମକୁ ସମତା ରକ୍ଷାକରି କାର୍ଯ୍ୟ କରିବାକୁ ପଡିବ। କୋଭିଡ୍‌ସଂକ୍ରମଣକୁ ରୋକିବା ଏବଂ ଏହାର ଜଞ୍ଜିରକୁ ଭାଙ୍ଗିବା ପାଇଁ ନିରନ୍ତର ଉଦ୍ୟମ ଲୋଡା। ଗୋଷ୍ଠୀ ଏବଂ ଜନସମୁଦାୟର ସହଯୋଗ ବିନା ଏହା ସମ୍ଭବ ନୁହେଁ।

ମାନ୍ୟବର ସାଂସଦମାନଙ୍କର ଏ କ୍ଷେତ୍ରରେ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ନିଜ ନିଜର ନିର୍ବାଚନମଣ୍ଡଳୀରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଆବଶ୍ୟକ। କେତେକ ସାଧାରଣ ନିୟମ ପାଳନ କଲେ କରୋନା ସଂକ୍ରମଣକୁ ଯଥେଷ୍ଟ ରୋକିହେବ। ସେଥିମଧ୍ୟରୁ ମାସ୍କ ଓ ଫେସ୍‌କଭର ବ୍ୟବହାର, ବାରମ୍ବାର ହାତଧୋଇବା, ଶ୍ୱାସପ୍ରଶ୍ୱାସ ଜନିତ ଆଚରଣବିଧି ପାଳନ କରିବା ଏବଂ ପରସ୍ପର ମଧ୍ୟରେ ଦୁଇଗଜ ଦୂରତ୍ୱ ରକ୍ଷା କରିବା, କରୋନା ରୋକିବା ପାଇଁ ଏକ ସାମାଜିକ ଟିକା ସଦୃଶ୍ୟ ଏହାକୁ ଯେତେ ସଫଳତାର ସହ ଆମେ ପାଳନ କରିବା କରୋନା ସଂକ୍ରମଣ ସେତେ ଦୁର୍ବଳ ହେବ।

୨୫- ମୁଁ ଏହି ଗୃହକୁ ସୂଚାଇବାକୁ ଚାହେଁ ଯେ ସରକାର ଭାରତରେ କରୋନାର ସଂକ୍ରମଣ ରୋକିବାକୁ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି।

 

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top