Home ଆମ ପର୍ବ ପର୍ବାଣୀ କୁମାର ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ: “କୁଆଁର ପୁନେଇ ଜହ୍ନ ଗୋ, ଫୁଲ ବଉଳ ବେଣୀ”...

କୁମାର ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ: “କୁଆଁର ପୁନେଇ ଜହ୍ନ ଗୋ, ଫୁଲ ବଉଳ ବେଣୀ” ..

165

କୁମାର ପୂର୍ଣ୍ଣିମା: ବାର ମାସରେ ତେର ପର୍ବ ମଧ୍ୟରେ କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ। ଏହାକୁ କୁମାରୋତ୍ସବ ମଧ୍ୟ କୁହାଯାଏ। ଏହି ଦିନ ମଧ୍ୟ ଗଜଲକ୍ଷ୍ମୀ ପୂଜା ହୋଇଥାଏ। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ। ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହି ଦିନ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଏବଂ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଏବଂ ପୌରୁଷ କାମନା କରାଯାଏ। ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ବରପ୍ରାପ୍ତି ପାଇଁ କରିଥାନ୍ତି। ଏହି ଦିନ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥିତିରେ ଥାଏ ଏବଂ ଚନ୍ଦ୍ର କିରଣ ମଣିଷର ସ୍ୱାସ୍ଥ୍ୟ ଓ ଚିନ୍ତାଧାରା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପର୍ବଟିକୁ ଭାରତର ଅନ୍ୟାନ୍ୟ କେତେକ ପ୍ରାନ୍ତରେ ଭିର୍ଣ୍ଣ ଭିର୍ଣ୍ଣ ନାମରେ ମଧ୍ୟ ପାଳନ କରାଯାଇଥାଏ।

ଆଧାର –
ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନ‌ଙ୍କର ପର୍ବ ରୂପେ ବିବେଚନା କରାଯାଏ। ଏହିଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସ‌ହ ଚନ୍ଦ୍ର ପୂଜା ମଧ୍ୟ କରିଥାଆନ୍ତି। ଏହା ସ‌ହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାଆନ୍ତି। ପୁରାଣରେ କଥିତ ଅଛି ଯେ ତୁଳସୀ ଦେବୀ ଜଣେ ପରମ ପତିବ୍ରତା ନାରୀ ଥିଲେ। ତାଙ୍କର ପତିବ୍ରତା ଗୁଣ ଯୋଗୁଁ ହିଁ ତାଙ୍କୁ ବୃକ୍ଷ ରୂପରେ ପୂଜା ପାଇବାର ବର ମିଳିଥିଲା। ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଏବଂ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରି ଆସିଛନ୍ତି। ତେଣୁ କୁମାର ପୂର୍ଣିମାରେ ମଧ୍ୟ ଚଉରା ପୂଜା କରାଯାଇଥାଏ। ସେହିପରି ଭଗବାନ ଶିବଙ୍କର ପୁଅ କାର୍ତ୍ତିକେୟ ଈଶ୍ୱର ମାନଙ୍କ ମଧ୍ୟରେ ସବୁଠାରୁ ସୁନ୍ଦର ବୋଲି ପୁରାଣରେ କଥିତ ଅଛି। ସେ ଏହି ଦିନ ତାଡ଼କାସୁର ସ‌ହିତ ଯୁଦ୍ଧ ଆରମ୍ଭ କରିଥିଲେ ଏବଂ ତାକୁ ପରାଜିତ ମଧ୍ୟ କରିଥିଲେ।

ବିଧି –
କୁମାର ପୂର୍ଣ୍ଣିମା ଦିନ ଘରର କୁମାରୀମାନେ ଭୋରରୁ ଉଠି ସ୍ନାନାଦି ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ଏହାପରେ ସେମାନେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାଆନ୍ତି। ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ। ଏହି ପର୍ବରେ କୁମାରୀମାନେ ଦିନସାରା ଉପବାସ କରିଥାନ୍ତି। ଏହିଦିନ କୁମାରୀ ତ‌ଥା ବିବାହିତା ମହିଳାମାନେ ପାଦରେ ଅଳତା ଲଗାଇଥାନ୍ତି। ଅଳତା ହେଉଛି ଭାରତୀୟ ପରମ୍ପରାରେ ଅହିସୁଲକ୍ଷଣୀ ହେବାର ପ୍ରତୀକ। ସନ୍ଧ୍ୟା ସମୟରେ କୁମାରୀମାନେ ପୁଣି ନୂତନ ବସ୍ତ୍ର ପରିଧାନ କରି ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାଆନ୍ତି। କୁମାର ପୂର୍ଣ୍ଣିମାର କିଛିଦିନ ପୂର୍ବରୁ ଚଉରାକୁ ଭଲ ଭାବରେ ସଫା କରି ଚୁନ ଦିଆ ଯାଇଥାଏ। ଚାରିପଟ ଗୋବରରେ ଲିପା ଯାଇଥାଏ। କୁମାର ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଚଉରା ଆଗରେ ମୁରୂଜରେ ବିଭିନ୍ନ ପ୍ରକାର ଚିତ୍ର କରାଯାଇଥାଏ ଏବଂ ଚଉରାକୁ ଫୁଲ ଓ ସିନ୍ଦୁରରେ ସଜାଯାଇଥାଏ। ଚଉରାକୁ ସଜାଇବାରେ ମୁଖ୍ୟତଃ କଇଁ ଫୁଲ ବ୍ୟବ‌ହାର କରାଯାଇଥାଏ। ଏହି ପର୍ବରେ ଚନ୍ଦ୍ରଙ୍କ ପୂଜା କରାଯାଉଥିବାରୁ ଏଥିରେ କଇଁ ଫୁଲ ବିଶେଷ ଭାବରେ ବ୍ୟବ‌ହୃତ ହୋଇଥାଏ। ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସ‌ହ ନୂଆ ବସ୍ତ୍ରଟିଏ ମଧ୍ୟ ଦିଆଯାଇଥାଏ। ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା’ ଉପରେ ଦୁବ, ଫୁଲ, ବରକୋଳି ପତ୍ରରେ ସଜାଯାଇଥାଏ। ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ମଧ୍ୟ ଆମ୍ବଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ଦେଇ ଅନୁରୂପ ଭାବେ ସଜାଯାଇଥାଏ। ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ। ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ। ପୂଜା ସମୟରେ ଚାନ୍ଦ ଚକଟା ଏବଂ କେତେକ ସ୍ଥାନରେ ମଣ୍ଡା ପିଠା ଭୋଗ ଚଉରା ଏବଂ ଚନ୍ଦ୍ରଙ୍କୁ ଅର୍ପଣ କରି ସେମାନ‌ଙ୍କୁ ଶଙ୍ଖ ଓ ହୁଳହୁଳି ସ‌ହ ଦୀପରେ ବନ୍ଦାଇ ଦିଆଯାଏ। ପୂଜାପରେ ଭୋଗ ଖାଇ କୁମାରୀ କନ୍ୟାମାନେ ନିଜର ସାରା ଦିନର ଉପବାସ ଭାଙ୍ଗିଥାଆନ୍ତି। ଏହି ପର୍ବରେ କୁମାରୀ ମାନେ ବିଶେଷତଃ ପୁଚି ଖେଳ, ଦଉଡ଼ି ଡିଆଁ ଖେଳ ଏବଂ ପୁରୁଷ ମାନେ କବାଡ଼ି, ତାସ ଖେଳ ଆଦି ଖେଳି ଥାଆନ୍ତି। ଦକ୍ଷିଣ ଓଡ଼ିଶାରେ କେତେକ ସ୍ଥାନରେ ଜୁଆ ଖେଳ ମଧ୍ୟ ହୋଇଥାଏ।

ଜହ୍ନି ଓଷା –
ଜହ୍ନି ଓଷା ଓଡ଼ିଶାରେ ପାଳିତ ଏକ ଓଷା। ଏହା ଆଶ୍ୱିନ ମାସର ପ୍ରଥମ ଦିନରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ। ଏହି ଓଷା କୁମାରୀ ମାନଙ୍କଦ୍ୱାରା ପାଳିତ ହୋଇଥାଏ। ସକାଳେ ସୂର୍ଯ୍ୟ ଉଇଁବା ପରେ ନଦୀ/ପୋଖରୀରେ ଗାଧୋଇ ଓଷାକାରୀ ମାନେ ବାଲିପିଣ୍ଡ ଦେଇଥାନ୍ତି। ଏହି ବାଲିପିଣ୍ଡକୁ ବିଭିନ୍ନ ପ୍ରକାରର ଫୁଲରେ ସଜାଇଥାନ୍ତି। ସଞ୍ଜରେ ସେମାନେ ତୁଳସୀ ଚଉରା ମୂଳ ଜହ୍ନିଫୁଲରେ ସଜାଇ ଲିଆ ଭୋଗ କରିଥାଆନ୍ତି। ଏହି ମାସ ସାରା ଓଷାକାରିଣୀ ଝିଅମାନେ ଜହ୍ନି ଖାଇନଥାନ୍ତି। ମାସସାରା ପ୍ରତି ଅପରାହ୍ନରେ ଜହ୍ନିଫୁଲ ଫୁଟିବା ପରେ ଜହ୍ନିଫୁଲକୁ ନେଇ ତୁଳସୀ ଚଉରା ମୂଳେ କୁମାରୀମାନେ ବୃନ୍ଦାବତୀଙ୍କୁ ପୂଜା କରନ୍ତି। ଏହାସହ ଲିଆ, ଉଖୁଡ଼ା, କଦଳୀ, କାକୁଡ଼ି ଆଦି ଭୋଗ କରନ୍ତି। ଗୀତ ବୋଲି, ହୁଳହୁଳି ଦେଇ ଝିଅମାନେ ସଞ୍ଜ ବେଳେ ଏହି ଓଷା ପାଳନ କରିଥାଆନ୍ତି। ଅପରାହ୍ନରେ ଝିଅମାନେ ଚଉରା ମୂଳରେ ଜହ୍ନିଫୁଲ ତଥା ଅନ୍ୟାନ୍ୟ ଫୁଲରେ କୋଠି ତିଆରି କରି କଳସ ସ୍ଥାପନା କରନ୍ତି ଏବଂ ଜହ୍ନିଓଷା ବହି ପଢ଼ି ପୂଜା କରନ୍ତି। “କୁଆଁର ପୁନେଇ ଜହ୍ନ ଗୋ, ଫୁଲ ବଉଳ ବେଣୀ” ଗୀତ ଗାଇ ଗାଇ ବୃନ୍ଦାବତୀଙ୍କୁ ଜହ୍ନି ଫୁଲର ଆଞ୍ଜୁଳି ଦିଅନ୍ତି। ମାସସାରା ଓଷା କରି ନପାରିଲେ କୁମାର ପୂର୍ଣ୍ଣିମା ପୂର୍ବରୁ ୧୫ଦିନ ଅଥବା ୫ଦିନ ମଧ୍ୟ ଏହି ଓଷା କରାଯାଏ।
– ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.