Home ଓଡ଼ିଶା ଗ୍ୟାସ୍ ଲିକ୍ ହୋଇ ଅଘଟଣ, ପୋଡି ହୋଇ ୨ ଗୁରୁତର

ଗ୍ୟାସ୍ ଲିକ୍ ହୋଇ ଅଘଟଣ, ପୋଡି ହୋଇ ୨ ଗୁରୁତର

761

କେନ୍ଦୁଝର, ୨ା୧୧ (ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧୋବାଡିହାରେ ଗ୍ୟାସ ଲିକ ହୋଇ ଅଗ୍ନି ସଂଯୋଗ ହେବାରୁ ନିଆଁରେ ପୋଡି ହୋଇ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଶନିବାର ମଧ୍ୟାହ୍ନ ୧୨ଟା ୩୦ମିନିଟ୍ ସମୟରେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧୋବାଡିହାଠାରେ ରହୁଥିବା ରାମଚନ୍ଦ୍ର ମୁର୍ମୁଙ୍କ ଘରେ ରନ୍ଧନ ଗ୍ୟାସ୍ ଟାଙ୍କି ବା ଏଲ୍ପିଜିର ଗ୍ୟାସ୍ ଲିକ୍ ହେଉଥିବା ଜାଣିପାରି ସେ ଗ୍ୟାସ୍ ମେକାନିକ ସୁମନ୍ତ ମହାନ୍ତଙ୍କୁ ମରାମତି ପାଇଁ ଘରକୁ ଡକାଇଥିଲେ। ଗ୍ୟାସ୍ କର୍ମଚାରୀ ଘରେ ପହଞ୍ଚିବା ପରେ ମରାମତି କରୁଥିବା ସମୟରେ ଅସାବଧାନତା ବଶତଃ ଅଗ୍ନି ସହ ସଂଯୋଗ ହୋଇ ଏହା ବିସ୍ଫୋରଣର ରୂପ ନେଇଥିଲା। ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ ଘରର ଆଜବେଷ୍ଟସ ଉଡିଯାଇ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଏହି ଘଟଣାରେ ଘର ମାଲିକ ରାମଚନ୍ଦ୍ର ମୁର୍ମୁ ପୋଡି ହୋଇ ଗୁରୁତର ହୋଇଥିବାବେଳେ ଗ୍ୟାସ୍ ସଜାଡିବାକୁ ଆସିଥିବା ସୁମନ୍ତ ମହାନ୍ତ ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳାଇ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.