Home Top News ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ୧୪୭ ବିଧାନସଭା ଅଞ୍ଚଳରେ...

ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ୧୪୭ ବିଧାନସଭା ଅଞ୍ଚଳରେ ଜନଜାଗରଣ କରିବ ମହିଳା ମୋର୍ଚ୍ଚା

19

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଶିଶୁମାନେ ନିଖୋଜ ହେବାରେ ଲାଗିଛନ୍ତି। ଗତ ୪ ମାସ ତଳେ ନୟାଗଡ଼ରେ ୫ ବର୍ଷର ଶିଶୁ ପରୀକୁ କିଛି ଦୁର୍ବୁତ୍ତ ଅପହରଣ କରି ହତ୍ୟା କରିଥଲେ। ଏହି ଘଟଣା ପରେ ଯାଜପୁର ମଧୁସୁଦନ ଗାଁର ୨ ବର୍ଷର ଝିଅ ପିହୁ କୁଆଡ଼େ ନିଖୋଜ ହୋଇଛି। ପୁଣି ନୟାଗଡ଼ ରଣପୁର ଥାନା ବଧିପାଟଣା ଗାଁର ୩ ବର୍ଷର ଝିଅ ସ୍ୱାତୀକୁ କିଛି ଦୁର୍ବୁତ୍ତ ଅପହରଣ କରି ହତ୍ୟା କରିବା ଘଟଣା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ କାଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ନେତୃତ୍ୱରେ ମହିଳା ମୋର୍ଚ୍ଚାର ୯ ଜଣିଆ ପ୍ରତିନିଧୀ ଦଳ ସରଜମିନ ତଦନ୍ତ କରିବା ପାଇଁ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହ ମୃତା ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ, ନାବାଳିକା ସ୍ୱାତୀକୁ କିଛି ଦୁର୍ବୁତ୍ତ ଯୋଜନା ବଦ୍ଧ ଭାବେ ହତ୍ୟା କରିଛନ୍ତି। ଗାଁ ମୁଣ୍ଡ ପୋଖରୀରେ ସ୍ୱାତୀର ଭସା ଶବରୁ ଜଣାପଡ଼ୁଛି କି, ତାକୁ ହତ୍ୟା କରି ପୋଖରୀର ଦଳକୁ ଆଡ଼େଇ ଫିଙ୍ଗି ଦିଆଯାଇଛି। ମୃତା ସ୍ୱାତୀ ମୁହଁରେ କ୍ଷତ ଥିବା ସହ ଗାଲ ଏବଂ ଆଖିରୁ ରକ୍ତ ବାହାରୁଥିଲା। ପୋଲିସର ଅବହେଳା ଯୋଗୁଁ ଆଜି ଆଉ ଏକ ଶିଶୁ ହତ୍ୟାର ଶିକାର ହୋଇଛି। ଏହି ଘଟଣାରେ ମୃତା ସ୍ୱାତୀକୁ ହତ୍ୟା କରିଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ସହ ଏହି ହତ୍ୟାକାଣ୍ଡର ତଦନ୍ତଭାର ସିବିଆଇକୁ ଦେବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି।


ଓଡ଼ିଶାରେ ପ୍ରତ୍ୟେକ ଦିନ ଏପରି ଘଟଣା ସାମ୍ନାକୁ ଆସୁଛି। ପୋଲିସ ନିଷ୍କ୍ରିୟତା ଯୋଗୁଁ ନିଖୋଜ ଶିଶୁର ପରିବାର ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ରହୁଛନ୍ତି। ଗତ ୨ ବର୍ଷରେ ରାଜ୍ୟରେ ୪ ହଜାରରୁ ଉର୍ଦ୍ଧ୍ୱ ଶିଶୁ ନିଖୋଜ ଅଛନ୍ତି। ମୁଖ୍ୟମନ୍ତ୍ରୀ କେବଳ ବିଧାନସଭାରେ ଦୁଃଖିତ କହି ରହିଗଲେ ହେବ ନାହିଁ। ନିରିହ ଶିଶୁମାନଙ୍କୁ ଅପହରଣ ଓ ହତ୍ୟା କରୁଥିବା ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ପାଇଁ ସ୍ମୃତି ପଟ୍ଟନାୟକ ଦାବି କରିଛନ୍ତି। ସରକାର କେବଳ ନିଜ ଲୋକଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ହାତ ଗୋଡ଼ ବାନ୍ଧିକି ବସିଛି। ଏ ସରକାର ମହିଳା ଏବଂ ନାବାଳିକାଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ଥିଲା। ଏବେ ଶିଶୁଙ୍କୁ ବି ସୁରକ୍ଷା ଦେଇପାରୁ ନାହାଁନ୍ତି ରାଜ୍ୟ ସରକାର। ପରୀ ହତ୍ୟାକାଣ୍ଡ ଘଟଣାରେ ପୀଡ଼ିତା ପରିବାରକୁ ନ୍ୟାୟ ମିଳିନଥିବା ବେଳେ ସମାନ ଢଙ୍ଗରେ ସେହି ଜିଲ୍ଲାରେ ଆଉ ଏକ ୩ ବର୍ଷ ଝିଅ ସ୍ୱାତୀର ଅପହରଣ ଓ ହତ୍ୟା ସରକାରଙ୍କ ନିଷ୍କ୍ରିୟତାକୁ ପ୍ରମାଣ କରୁଛି। ଆଗାମୀ ଦିନରେ ପରୀକୁ ନ୍ୟାୟ ଦେବା ପାଇଁ ଭୁବନେଶ୍ୱରରୁ ଡିସେମ୍ବର ୨୦ତାରିଖରୁ ବିଶାଳ ପଦଯାତ୍ରା ଆରମ୍ଭ କରାଯିବ। ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ୧୪୭ ବିଧାନସଭାରେ ଜନଜାଗରଣ କରାଯିବ ବୋଲି ସ୍ମୃତି ପଟ୍ଟନାୟକ ଚେତାବାନୀ ଦେଇଛନ୍ତି। ପରୀ ହତ୍ୟା ଘଟଣାରେ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ଅଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି? ପରୀକୁ ନ୍ୟାୟ ଦେବା ପାଇଁ ଯଦି ରାଜ୍ୟ ସରକାରଙ୍କ ଆନ୍ତରିକତା ଅଛି ତେବେ ଏବି ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦିଆଯାଉ ଏବଂ ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ସ୍ମୃତି ପଟ୍ଟନାୟକ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ ଏବଂ ରଶ୍ମିରେଖା ଦାସ ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.