Home Top News ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ସଜେଇ ହେଲାଣି ପୁରୀ

ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ସଜେଇ ହେଲାଣି ପୁରୀ

155

ପୁରୀ, ୧୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆସନ୍ତା ନବବର୍ଷକୁ ସ୍ୱାଗତ କରିବା ପାଇଁ ପୁରୀ ସହର ସଜେଇ ହେବାକୁ ଲାଗିଲାଣି। ବେଳାଭୂମିରେ ଥିବା ବିଭିନ୍ନ ହୋଟେଲଗୁଡ଼ିକ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବା ପାଇଁ ହୋଟେଲଗୁଡ଼ିକୁ ସଜ୍ଜିତ କରାଯାଉଛି। ୨୦୧୮ ଫନି ଓ ପରେ ୨୦୨୦ରେ କୋରୋନା ପାଇଁ ହୋଟେଲଗୁଡ଼ିକର ଆର୍ଥିକ ଅବସ୍ଥା ଭାଙ୍ଗି ପଡ଼ିଥିଲା। ଅନଲକ-୫ ପରେ ହୋଟେଲଗୁଡ଼ିକୁ ଖୋଲିବା ପାଇଁ ଅନୁମତି ମିଳିବା ପରେ ହୋଟେଲଗୁଡ଼ିକୁ ରଙ୍ଗ ଦିଆଯିବା ସଙ୍ଗେସଙ୍ଗେ କୋଠରିଗୁଡ଼ିକୁ ମଧ୍ୟ ସଜ୍ଜିତ କରିବା ଆରମ୍ଭ ହୋଇଯାଇଛି। ବଡ଼ଦିନ ଓ ନୂଆବର୍ଷର ଛଟି କଟେଇବା ନିମନ୍ତେ ପର୍ଯ୍ୟଟକମାନଙ୍କ ଆଗମନକୁ ଅପେକ୍ଷା କରିଛି ହୋଟେଲ। ଗତ ୯ମାସ ଧରି ପର୍ଯ୍ୟଟକମାନେ ଆସୁନଥିବା ଯୋଗୁଁ ହୋଟେଲଗୁଡ଼ିକର ମାନ୍ଦା ଅବସ୍ଥା ରହିବା ସହ କୋଠରିଗୁଡ଼ିକ ମଧ୍ୟ ଅସଜଡ଼ା ହୋଇ ପଡ଼ିଥିଲା। ଏବେ, ହୋଟେଲ ମାଲିକ ମାନଙ୍କ ଏକ ଆଶା ସଞ୍ଚାର ହୋଇଛି। ବିଶେଷ କରି ଶ୍ରୀମନ୍ଦିର ୨୩ ତାରିଖଠାରୁ ଖୋଲାଯିବା ସହ ପୁରୀ ସହର ବାସିନ୍ଦାଙ୍କୁ ଦର୍ଶନ କରିବାର ଅନୁମତି ମିଳିବ। ପରେ ଜାନୁୟାରୀ ୩ ତାରିଖଠାରୁ ବିଭିନ୍ନ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଦର୍ଶନ କରିବାର ସୁବିଧା ମିଳିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। କିନ୍ତୁ, ଅପେକ୍ଷା ରହିଛି ରାଜ୍ୟ ସରକାରଙ୍କର ଅନୁମତି ଉପରେ। ରାଜ୍ୟ ସରକାର ଅନୁମତି ପ୍ରଦାନ କରିବା ପରେ ଏସ୍‌ଓପି ଆସିବା ପରେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ କରାଯିବ। ତଥାପି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଆସନ୍ତା ୨୩ ତାରିଖରୁ ଦର୍ଶନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମରଚିକୋଟ ଛକଠାରୁ ବ୍ୟାରିକେଟ କରାଯାଇ ଶ୍ରଦ୍ଧାଳୁ ଭକ୍ତମାନେ ବ୍ୟାରିକେଟ ମଧ୍ୟରେ ଧାଡ଼ିରେ ଯାଇ ସିଂହଦ୍ୱାର ବାଟେ ଶ୍ରୀମନ୍ଦିରକୁ ପ୍ରବେଶ କରି ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ। ଦର୍ଶନ କରିବା ପରେ ଅନ୍ୟ ୩ ଦ୍ୱାର ପଟେ ବାହରକୁ ବାହାରିବେ। ସମସ୍ତ ବ୍ୟବସ୍ଥାର ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବ ରାଜ୍ୟ ସରକାରଙ୍କର ଅନୁମତି ଆସିଲା ପରେ। ହଜାର ହଜାର ଜଗନ୍ନାଥ ପ୍ରେମୀ ଗତ ୯ମାସ ଧରି ମହାପ୍ରଭୁଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହୋଇଥିଲେ। ଛତିଶା ନିଯୋଗର ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଖୋଲାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବା ପରେ ଶ୍ରଦ୍ଧାଳୁ ଭକ୍ତମାନେ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି ଜଗାର ଦର୍ଶନ ପାଇଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.