ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲ୍ୟବିବାହ ମୁକ୍ତ ଭଦ୍ରକ ଗଠନ ତଥା ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନକୁ ସଫଳ ଓ ସାର୍ଥକ କରିବା ଉଦ୍ଦେଶ୍ୟରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ଭଦ୍ରକ ପକ୍ଷରୁ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହରେ ଏକ ଜିଲ୍ଲାସ୍ତରୀୟ ପରାମର୍ଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ମନ୍ଦିର ପୂଜକ, କାଜି, ଟେଣ୍ଟ ହାଉସ୍ ମାଲିକ, କ୍ୟାଟରିଂ ସଂସ୍ଥାର ପ୍ରତିନିଧି, ରୋଷେଇ କାର୍ଯ୍ୟ ସହ ଜଡ଼ିତ ବ୍ୟକ୍ତିବିଶେଷ ଓ କଲ୍ୟାଣ ମଣ୍ଡପ ମାଲିକମାନେ ଯୋଗଦେଇଥିଲେ। ଆଲୋଚନାରେ ବାଲ୍ୟବିବାହର କୁପରିଣାମ, ଏହାର ନିରାକରଣ, ଶିଶୁ ଅଧିକାରର ସୁରକ୍ଷା ଏବଂ ସମାଜରେ ଜନସଚେତନତା ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ବାଲ୍ୟବିବାହ ରୋକିବା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ପରିବାର, ସମାଜ, ଧାର୍ମିକ ଅନୁଷ୍ଠାନ, ବିବାହ ଆୟୋଜନ ସହ ଜଡ଼ିତ ବ୍ୟବସାୟୀ ଏବଂ ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଥିଲା। ବିଶେଷକରି ବିବାହ ଆୟୋଜନ ସହ ଜଡ଼ିତ ସମସ୍ତଙ୍କ ଭୂମିକା ଉପରେ ଆଲୋକପାତ କରାଯାଇଥିଲା। ବିବାହ ପୂର୍ବରୁ ବର ଓ କନ୍ୟାଙ୍କ ବୟସ ସମ୍ପର୍କରେ ନିଶ୍ଚିତ ହେବା, ବାଲ୍ୟବିବାହ ସମ୍ପର୍କିତ ସୂଚନା ପାଇଲେ ତୁରନ୍ତ ପ୍ରଶାସନକୁ ଅବଗତ କରାଇବା ଏବଂ ଏପରି ବିବାହ ଆୟୋଜନରେ କୌଣସି ପ୍ରକାର ସହଯୋଗ ନ କରିବା ପାଇଁ ଉପସ୍ଥିତ ସଦସ୍ୟମାନଙ୍କୁ ଆହ୍ୱାନ ଦିଆଯାଇଥିଲା। ଏହି ଅବସରରେ ଉପସ୍ଥିତ ସମସ୍ତ ସଦସ୍ୟ ବାଲ୍ୟବିବାହ ମୁକ୍ତ ଭାରତ ଗଠନ ପାଇଁ ଶପଥ ପାଠ କରିଥିଲେ। ସମସ୍ତଙ୍କ ସମନ୍ୱିତ ଉଦ୍ୟମ, ସଚେତନତା ଓ ସକ୍ରିୟ ସହଯୋଗ ମାଧ୍ୟମରେ ଭଦ୍ରକ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା ସହ ପ୍ରତ୍ୟେକ ଶିଶୁର ଶିକ୍ଷା, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ ଏହି ପରାମର୍ଶ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ପରିଗଣିତ ହୋଇଛି।କାର୍ଯ୍ୟକ୍ରମକୁ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର , ଭଦ୍ରକର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ପରିଶେଷରେ ପ୍ରୋଗ୍ରାମ ଅଫିସର ତଥା ପ୍ରୋଟେକ୍ସନ୍ କମ୍ ପ୍ରୋଗ୍ରାମ ଅଫିସର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରିଥିଲେ।







