Home ଜିଲ୍ଲା ପରିକ୍ରମା ଚୁକ୍ତିଭିତ୍ତିକ କୁକୁଡ଼ା ଚାଷୀଙ୍କୁ ପୋଲଟ୍ରି କମ୍ପାନିଙ୍କ ଶୋଷଣ ଅଭିଯୋଗ: ଜୋରଜବରଦସ୍ତ ବ୍ଲାଙ୍କ ଚେକ୍ ନେଇ ଅର୍ଥ...

ଚୁକ୍ତିଭିତ୍ତିକ କୁକୁଡ଼ା ଚାଷୀଙ୍କୁ ପୋଲଟ୍ରି କମ୍ପାନିଙ୍କ ଶୋଷଣ ଅଭିଯୋଗ: ଜୋରଜବରଦସ୍ତ ବ୍ଲାଙ୍କ ଚେକ୍ ନେଇ ଅର୍ଥ ହଡ଼ପ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଚାଷୀ

4

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଚୁକ୍ତିଭିତ୍ତିକ କୁକୁଡ଼ା ଚାଷ କରୁଥିବା ଚାଷୀଙ୍କୁ ବିଭିନ୍ନ ପୋଲଟ୍ରି କମ୍ପାନି ବା ଇଣ୍ଟେଗ୍ରେଟର୍ସମାନେ ଶୋଷଣ ଓ ହଇରାଣ କରୁଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। କଣ୍ଟ୍ରାକ୍ଟ ଫାର୍ମିଂ ଆଇନ ଓ ସରକାରୀ ନିୟମାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରି କମ୍ପାନି ଗୁଡ଼ିକ ଚାଷୀଙ୍କଠାରୁ ଜୋର ଜବରଦସ୍ତ ବ୍ଲାଙ୍କ ଚେକ୍ ଓ ବଣ୍ଡ ପେପର ରେ ଦସ୍ତଖତ କରାଇ ନେଉଛନ୍ତି ଏବଂ ଏହାର ଅପବ୍ୟବହାର କରି ବର୍ଷକୁ ବର୍ଷ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଛନ୍ତି। ଏନେଇ ଚାଷୀମାନେ ଏକତ୍ରିତ ହୋଇ ଭଦ୍ରକ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଫେରାଦ ହେବା ସହ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି।ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ଚୁକ୍ତି ସର୍ତ୍ତ ମୁତାବକ କମ୍ପାନି ଗୁଡ଼ିକ ଚାଷୀଙ୍କୁ ସୁସ୍ଥ ଓ ରୋଗମୁକ୍ତ କୁକୁଡ଼ା ଚିଆଁ, ମାନଦଣ୍ଡ ଅନୁଯାୟୀ ଦାନା ଏବଂ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଔଷଧ ଯୋଗାଇ ଦେବା କଥା। ନିର୍ଦ୍ଧାରିତ ସମୟରେ କମ୍ପାନି ନିଜେ ଗାଡ଼ି ଆଣି ଓଜନ କରି କୁକୁଡ଼ା ନେଇଯିବ ଏବଂ ଭାରତୀୟ ଆକାଉଣ୍ଟିଂ ମାନଦଣ୍ଡ ଓ ଉଭୟ ପକ୍ଷଙ୍କ ସହମତି ଅନୁଯାୟୀ ଚାଷୀଙ୍କୁ ପାଉଣା ପ୍ରଦାନ କରିବ। ଏହାସହ ଚୁକ୍ତିଭିତ୍ତିକ କୁକୁଡ଼ା ପାଳନରେ ବୀମା ବାଧ୍ୟତାମୂଳକ ହୋଇଥିବାରକମ୍ପାନି କୁକୁଡ଼ା ମାନଙ୍କର ବୀମା କରିବ ଏବଂ ଚାଷୀ ନିଜ ଫାର୍ମ ଘର ଓ ଉପ କରଣର ବୀମା କରିବେ।ମାତ୍ର ବାସ୍ତବ କ୍ଷେତ୍ରରେ କମ୍ପାନି ଗୁଡ଼ିକ ଏହାର ଓଲଟା କାର୍ଯ୍ୟ କରୁଛନ୍ତି। ଚାଷୀଙ୍କୁ ଅସୁସ୍ଥ ତଥା ନିମ୍ନମାନର ଚିଆଁ, ଦାନା ଓ ଔଷଧ ଦିଆଯାଉଥିବାରୁ ଫାର୍ମ ରେ କୁକୁଡ଼ା ମରିଯାଉଛନ୍ତି। ନିୟମ ଅନୁଯାୟୀ, କୁକୁଡ଼ା ମଲେ ଚାଷୀ ଫୋନ୍‌, ମେସେଜ୍ କିମ୍ବା ଇମେଲ୍ ଯୋଗେ ଜଣାଇବା ପରେ ୨୪ ଘଣ୍ଟା ମଧ୍ୟରେ କମ୍ପାନି ପ୍ରତିନିଧି ଯାଞ୍ଚ କରି ଲିଖିତ ଅନୁମତି ଦେଲେ ମୃତ କୁକୁଡ଼ାକୁ ପୋତାଯିବ। କିନ୍ତୁ କମ୍ପାନିଗୁଡ଼ିକ କୁକୁଡ଼ା ମୃତ୍ୟୁ ପାଇଁ ଚାଷୀଙ୍କୁ ଦାୟୀ କରି ଚୁକ୍ତି ସମୟରେ ନେଇଥିବା ବ୍ଲାଙ୍କ ଚେକ୍ ମାଧ୍ୟମରେ ବେଆଇନ ଭାବେ ଟଙ୍କା କାଟି ନେଉଛନ୍ତି। ଯେଉଁ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ନ ଥାଏ, ସେମାନଙ୍କ ବିରୋଧରେ ଚେକ୍ ବାଉନ୍ସ ମାମଲା ରୁଜୁ କରି ମାନସିକ ଓ ଆର୍ôଥକ ନିର୍ଯାତନା ଦିଆଯାଉଛି। ଏପରିକି ମଡେଲ୍ କଣ୍ଟ୍ରାକ୍ଟ ଫାର୍ମିଂ ଆଇନ ଅନୁଯାୟୀ ଚୁକ୍ତିପତ୍ରର ଏକ ସ୍ପଷ୍ଟ ଲିଖିତ ନକଲ ଚାଷୀଙ୍କୁ ଦିଆଯିବା ବାଧ୍ୟତାମୂଳକ ହୋଇଥିଲେ ହେଁ କମ୍ପାନିଗୁଡ଼ିକ ତାହା ପ୍ରଦାନ କରୁନାହାନ୍ତି। ଅନ୍ୟପକ୍ଷରେ, ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ ଦ୍ୱାରା ଜାରି ବ୍ରଏଲର ଉତ୍ପାଦନ ଚୁକ୍ତିନାମା ନିୟମାବଳୀର ୨୩ ନମ୍ବର ଧାରାରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ, ସାଧାରଣ ବ୍ୟବସାୟିକ କ୍ଷତି ବୀମା ଦାବିରୁ ଭରଣା ହେବ ଏବଂ କମ୍ପାନି ଚାଷୀଙ୍କଠାରୁ କୌଣସି ବ୍ଲାଙ୍କ ଚେକ୍ ଦାବି କରିପାରିବ ନାହିଁ। କିନ୍ତୁ କମ୍ପାନିଗୁଡ଼ିକ ବ୍ଲାଙ୍କ ଚେକ୍ ନ ଦେଲେ ଚୁକ୍ତି କରୁନାହାନ୍ତି।ଏ ସମ୍ପର୍କରେ ଜଣେ କୃଷି ବିଶେଷଜ୍ଞଙ୍କ ମତରେ, ଚାଷୀଙ୍କ ଚରମ ଅବହେଳା ଯୋଗୁଁ ଅସ୍ୱାଭାବିକ ଭାବେ ଅଧିକ କୁକୁଡ଼ା ମଲେ କିମ୍ବା ଦାନା ନଷ୍ଟ ହେଲେ କ୍ଷତିପୂରଣ ଆଦାୟ ପାଇଁ କମ୍ପାନି ଗୁଡ଼ିକ ସୁରକ୍ଷା କବଚ ଭାବେ ବ୍ଲାଙ୍କ ଚେକ୍ ରଖିଥାନ୍ତି। ତେବେ ଯଦି ଚାଷୀ କୌଣସି ଠକେଇ କରିନାହାନ୍ତି କିମ୍ବା କମ୍ପାନିର ଟଙ୍କା ବାକିନାହିଁ, ତଥାପି କମ୍ପାନି ମନଇଚ୍ଛା ରାଶି ଭରି ଚେକ୍ ବାଉନ୍ସ କରାଏ, ତେବେ ତାହା ସମ୍ପୂର୍ଣ୍ଣ ବେଆଇନ। ଏଭଳି କ୍ଷେତ୍ରରେ ଚାଷୀମାନେ ସମ୍ପୃକ୍ତ କମ୍ପାନି ବିରୋଧରେ ବିଶ୍ୱାସଘାତକତା ଓ ଠକେଇ ମାମଲା ରୁଜୁ କରିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି କମ୍ପାନି ଗୁଡ଼ିକର ଏଭଳି ମନମାନି ଉପରେ ରୋକ୍ ୁ ଲଗାଇବାକୁ ଅଞ୍ଚଳର କୁକୁଡ଼ା ଚାଷୀମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.