ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟା ଭାରତୀ ଉଚ୍ଚ ଶିକ୍ଷା ସଂସ୍ଥାନ ପକ୍ଷରୁ ଆୟୋଜିତ “ଭାରତ ବୌଦ୍ଧିକ ୨.୦’ ପରୀକ୍ଷା ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୧.୦୦ ଘଟିକାରୁ ଅପରାହ୍ନ ୧.୦୦ ଘଟିକା ପର୍ଯ୍ୟନ୍ତ ଚାଲିଥିବା ଏହି ପରୀକ୍ଷାରେ ମହାବିଦ୍ୟାଳୟର ମୋଟ ୧୦୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପରୀକ୍ଷା ଶେଷ ହେବା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲଳିତ ରଞ୍ଜନ ସାହୁ ସମସ୍ତ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ବଂଟନ କରିଥିଲେ। ଏହି ପରୀକ୍ଷାର ସଂଯୋଜକ ଡଃ ପ୍ରଦୀପ କୁମାର ପ୍ରଧାନ, ସହ-ସଂଯୋଜକ ଡଃ ବ୍ରଜ କିଶୋର ସାହୁଙ୍କ ସମେତ ସଞ୍ଜୁ କୌଶଲ୍ୟା, ଡଃ କୈକାଶନା ବେଗମ, ସୁଶ୍ରୀ ସଙ୍ଗୀତା ଦାସ ଏବଂ ଗିରୀଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ପରୀକ୍ଷା ପରିଚାଳନା କରିଥିଲେ। ପରୀକ୍ଷାକୁ ଶୃଙ୍ଖଳିତ ଓ ସଫଳତାର ସହ ସମାପନ କରିବାରେ ସହଯୋଗ କରିଥିବାରୁ ଆୟୋଜକ ମଣ୍ଡଳୀ ପକ୍ଷରୁ ସମସ୍ତ ବିଭାଗୀୟ ମୁଖ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ଜାତୀୟ ମେଧା ତାଲିକା ଚୂଡ଼ାନ୍ତ ହେବା ପରେ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ଦିଆଯାଇଛି।








