ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜର ନ୍ୟାର୍ଯ୍ୟ ଦାବି ପୂରଣ ଓ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବୁଧବାର ଧାମନଗର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ସିଡିପିଓ) କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଧାରଣା ଦେଇଛନ୍ତି। ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ ପକ୍ଷରୁ ୭ ଦଫା ଦାବିରେ ଏହି ଆନ୍ଦୋଳନ କରାଯାଇଛି।ସଂଘ ପକ୍ଷରୁ ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ଦୀର୍ଘବର୍ଷ ଧରି ଶିଶୁ ଓ ମହିଳାଙ୍କ ସେବାରେ ନିୟୋଜିତ ଥିବା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଏପର୍ଯ୍ୟନ୍ତ ସରକାରୀ କର୍ମଚାରୀର ମାନ୍ୟତା ପାଇନାହାନ୍ତି। ସଂଘର ଦାବି ଅନୁଯାୟୀ, କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦିଆଯିବା ସହ ମାନ୍ୟତା ମିଳିବା ପର୍ଯ୍ୟନ୍ତ କର୍ମୀଙ୍କୁ ମାସିକ ୩୦ ହଜାର ଓ ସହାୟିକାଙ୍କୁ ୧୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଉ। ଏଥିସହ ସୁପ୍ରିମକୋର୍ଟଙ୍କ ୨୫ ଏପ୍ରିଲ ୨୦୨୨ର ରାୟ ଅନୁଯାୟୀ ଗ୍ରାଚ୍ୟୁଇଟି ପ୍ରଦାନ ଏବଂ ୨୦୨୪ ନିର୍ବାଚନ ଇସ୍ତାହାରରେ ଘୋଷିତ ପାରିଶ୍ରମିକ ବୃଦ୍ଧି ଲାଗୁ କରିବାକୁ ଦାବି ହୋଇଛି। ଏହା ସହ ୫୫ ବର୍ଷରୁ ଊର୍ଦ୍ଧ୍ୱ କର୍ମୀଙ୍କ ବାର୍ଷିକ କାର୍ଯ୍ୟଦକ୍ଷତା ସମୀକ୍ଷା ବନ୍ଦ, ୬୦ ବର୍ଷରେ ସେବା ପୂରଣ ପରେ ଆଉ ଦୁଇ ବର୍ଷର ସମ୍ପ୍ରସାରିତ ନିଯୁକ୍ତି ପାଇଁ ରାଜ୍ୟବ୍ୟାପୀ ସମାନ ନୀତି ପ୍ରଣୟନ, ଅବସରକାଳୀନ ଆର୍ôଥକ ସହାୟତା, ପଦୋନ୍ନତି ପ୍ରକ୍ରିୟା ନିୟମିତ କରିବା ଏବଂ ସହାୟିକାଙ୍କ ପଦୋନ୍ନତିରେ ବୟସ ସୀମା ଉଚ୍ଛେଦ କରିବା ରହିଛି। କାର୍ଯ୍ୟରତ ଅବସ୍ଥାରେ କୌଣସି କର୍ମୀ କିମ୍ବା ସହାୟିକାଙ୍କ ମୃତ୍ୟୁ ହେଲେ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଓ ପରିବାରର ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦେବାକୁ ମଧ୍ୟ ସଂଘ ଦାବି କରିଛି। ଏଥିରେ ସଭାନେତ୍ରୀ ସୁମିତା ମହାପାତ୍ର ଓ ସାଧାରଣ ସମ୍ପାଦିକା କୁଞ୍ଜଲତା ଦାସ ସମେତ ବହୁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଯୋଗଦେଇଥିଲେ।








