Home ଜିଲ୍ଲା ପରିକ୍ରମା ଭଦ୍ରକରେ ଲିଙ୍ଗଭିତିକ ହିଂସା ବିରୋଧରେ ୧୬ ଦିନିଆ ଅଭିଯାନର ଶୁଭାରମ୍ଭ

ଭଦ୍ରକରେ ଲିଙ୍ଗଭିତିକ ହିଂସା ବିରୋଧରେ ୧୬ ଦିନିଆ ଅଭିଯାନର ଶୁଭାରମ୍ଭ

0

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଓ ବାଳିକାମାନଙ୍କ ପ୍ରତି ଲିଙ୍ଗଭିତିକ ହିଂସାର ପ୍ରତିରୋଧ, ନିରାକରଣ ଏବଂ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାରେ ଲିଙ୍ଗଭିତିକ ହିଂସା ବିରୋଧରେ ୧୬ ଦିନିଆ ଅଭିଯାନର ଶୁଭାରମ୍ଭ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା। ମହିଳା ଓ ବାଳିକାଙ୍କ ପ୍ରତି ହିଂସାର ଅନ୍ତ ଘଟାଇବା ପାଇଁ ଏକଜୁଟ ହୁଅନ୍ତୁ: ନ୍ୟାୟ ସୁନିଶ୍ଚିତ କରନ୍ତୁ, ହିଂସାର ଶିକାର ମହିଳା ଓ ବାଳିକାଙ୍କ ପକ୍ଷରେ ସ୍ୱର ଉତୋଳନ କରନ୍ତୁ ଏବଂ ଅପରାଧୀଙ୍କ ଦଣ୍ଡମୁକ୍ତିର ଅନ୍ତ ଘଟାନ୍ତୁ। ଏହି ଅବସରରେ ଉପସ୍ଥିତ ସମସ୍ତ ସଦସ୍ୟ ଓ ଅଂଶଗ୍ରହଣକାରୀମାନେ ଲିଙ୍ଗଭିତିକ ହିଂସା ବିରୋଧରେ ସାମୂହିକ ଶପଥ ଗ୍ରହଣ କରିଥିଲେ। ମହିଳା ଓ ବାଳିକାମାନଙ୍କ ପ୍ରତି ହିଂସାର ମୂଳୋତ୍ପାଟନ, ଲିଙ୍ଗ ସମାନତାର ପ୍ରସାର ଏବଂ ସେମାନଙ୍କ ପାଇଁ ଏକ ସୁରକ୍ଷିତ ଓ ସମ୍ମାନଜନକ ପରିବେଶ ସୃଷ୍ଟି କରିବା ନିମନ୍ତେ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। ଶପଥ ଗ୍ରହଣ ପରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ସହିଦ ସ୍ମୃତି ଭବନ (ଟାଉନ୍ ହଲ୍‌) ପର୍ଯ୍ୟନ୍ତ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା। ଏହି ରାଲି ମାଧ୍ୟମରେ ମହିଳା ସୁରକ୍ଷା, ମହିଳାଙ୍କ ମର୍ଯ୍ୟାଦା ଓ ଅଧିକାରର ସୁରକ୍ଷା ସହିତ ଲିଙ୍ଗଭିତିକ ହିଂସାର ପ୍ରତିରୋଧ ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗୀୟ ଅଧିକାରୀ ,ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ପ୍ରତ୍ୟେକ ଆଇସିଡିଏସ୍ ପ୍ରକଳ୍ପରୁ ଜଣେ ଲେଖାଏଁ ମହିଳା ପରିଦର୍ଶିକା, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ବ୍ଲକ୍‌ର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଏବଂ ତିନୋଟି ସ୍ୱେଚ୍ଛାସେବୀ ସଂସ୍ଥାର ପ୍ରତିନିଧିମାନେ ଉତ୍ସାହର ସହିତ ଯୋଗଦାନ କରିଥିଲେ। ବିଭିନ୍ନ ବିଭାଗ, ଶିକ୍ଷାନୁଷ୍ଠାନ, ସମୁଦାୟ ଓ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କର ସକ୍ରିୟ ସହଭାଗିତା ଏହି କାର୍ଯ୍ୟକ୍ରମରେ ସମନ୍ୱିତ ପ୍ରୟାସ ଓ ସାମୂହିକ ଦାୟିତ୍ୱବୋଧର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଥିଲା। ଏହି ସମଗ୍ର କାର୍ଯ୍ୟକ୍ରମର ଆୟୋଜନ, ସମନ୍ୱୟ ଓ ପରିଚାଳନା ଭଦ୍ରକ ଜିଲ୍ଲାର ମହିଳା ସଶକ୍ତିକରଣ ହବ୍ କର୍ମଚାରୀମାନଙ୍କ ଦ୍ୱାରା କରାଯାଇଥିଲା। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଲିଙ୍ଗଭିତିକ ହିଂସା ସମ୍ପର୍କରେ ଜନସଚେତନତା ବୃଦ୍ଧି, ସମାଜର ସକ୍ରିୟ ସହଭାଗିତା ସୁନିଶ୍ଚିତ କରିବା ଏବଂ ମହିଳା ଓ ବାଳିକାମାନଙ୍କ ପାଇଁ ହିଂସାମୁକ୍ତ, ସୁରକ୍ଷିତ ଓ ସମ୍ମାନଜନକ ସମାଜ ଗଠନ କରିବା। ମହିଳା ଓ ବାଳିକାଙ୍କ ପ୍ରତି ହିଂସାକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ ହିଂସାମୁକ୍ତ ସମାଜ ଗଠନ ପାଇଁ ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.