ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ପଂଚାୟତର ପବିତ୍ର ବୈତରଣୀ ନଦୀର ଉତରବାହିନୀ ଘାଟ ଉନ୍ନତିକରଣ ପାଇଁ ମଞ୍ଜୁର ହୋଇଥିବା ପାଣ୍ଠିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକଳ୍ପର ଶିଳାନ୍ୟାସ କୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଘାଟ କୂଳରେ କେବଳ ଫଳକ ଟିଏ ଠିଆ ହୋଇଥିବା ବେଳେ ପ୍ରକୃତ ନିର୍ମାଣ କାର୍ଯ୍ୟ ଆଦୌ ଆରମ୍ଭ ହୋଇ ପାରିନାହିଁ। ସ୍ଥାନୀୟ ବାସିନ୍ଦା ତଥା ରାହାସ ପୂର୍ଣ୍ଣିମା କମିଟିର ସଦସ୍ୟ ନାରାୟଣ ଦାସଙ୍କ ଅଭିଯୋଗ ଅନୁଯାୟୀ, ଉତର ବାହିନୀ ଘାଟର ସର୍ବାଙ୍ଗୀନ ବିକାଶ ପାଇଁ ୨୦୨୪ ମସିହାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ୧୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ଘୋଷଣା କରିଥିଲେ। ଏପରିକି ୨୦୨୪ ନଭେମ୍ବର ୪ ତାରିଖରେ ମନ୍ତ୍ରୀ ଏହି ଉନ୍ନତିକରଣ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଥିଲେ। ଯୋଜନା ଅନୁଯାୟୀ, ଏଠାରେ ଏକ ସୁଦୃଶ୍ୟ ନଦୀ ଘାଟ ନିର୍ମାଣ ସହ ନିକଟରେ ରିଭରଭ୍ୟୁ ପାର୍କ ଏବଂ ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ପ୍ରତିମୂର୍ତି ସ୍ଥାପନ କରାଯିବାର ଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ଏଠାରେ ଇଟା ଖଣ୍ଡେ ବି ପଡ଼ିନାହିଁ। ଅଭିଯୋଗ ହେଉଛି ଯେ, ଏହି ଘାଟ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ମନ୍ତ୍ରୀଙ୍କ କେତେକ ଖାସ ସହଯୋଗୀ ତଥା ପ୍ରଭାବଶାଳୀ ବ୍ୟକ୍ତି ନିଜ ଅଂଚଳକୁ ନେଇଯାଇଛନ୍ତି ଏବଂ ସେହି ଅର୍ଥରେ ସୋହଡ଼ା ପଂଚାୟତର ଷେଣ୍ଢପୁର ନଦୀଘାଟ କୁ ବିକଶିତ କରାଯାଇଛି। ଭଦ୍ରକ ଜିଲ୍ଲାର ସୀମାନ୍ତ ଆନନ୍ଦପୁର ପଂଚାୟତ ଅଧୀନରେ ତଥା ଯାଜପୁରର ପ୍ରାଚୀନ ସିଦ୍ଧେଶ୍ୱର ମନ୍ଦିରର ବିପରୀତ ପାର୍ଶ୍ୱରେ ଏହି ଐତିହାସିକ ଘାଟ ଅବସ୍ଥିତ। ସାଧାରଣତଃ ପୂର୍ବ ଦିଗକୁ ପ୍ରବାହିତ ହେଉଥିବା ବୈତରଣୀ ନଦୀ ଏହି ସ୍ଥାନରେ ଉତରମୁଖୀ ହୋଇ ପ୍ରବାହିତ ହେଉଥିବାରୁ ଶାସ୍ତ୍ରରେ ଏହାକୁ ଅତ୍ୟନ୍ତ ପବିତ୍ର ‘ଉତରବାହିନୀ’ କୁହାଯାଏ। କିମ୍ବଦନ୍ତୀ ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ପ୍ରଦ୍ୟୁମ୍ନ ଅଭିଶାପ ମୁକ୍ତି ପାଇଁ ଏଠାରେ ତପସ୍ୟା କରିବାରୁ ନଦୀ ଉତର ଦିଗକୁ ମୋଡ଼ ନେଇଥିଲା। ନାଭିଗୟା କ୍ଷେତ୍ରର ଅଂଶବିଶେଷ ଭାବେ ଏହି ଘାଟ ପିତୃପୁରୁଷଙ୍କ ପିଣ୍ଡଦାନ, ଶ୍ରାଦ୍ଧ ଓ ଅସ୍ଥି ବିସର୍ଜନ ପାଇଁ ସମଗ୍ର ଦେଶରେ ପ୍ରସିଦ୍ଧ।ଏହି ପବିତ୍ରତାକୁ ଦୃଷ୍ଟିରେ ରଖି ୨୦୨୩ ସେପ୍େଟମ୍ବର ୧୦ ତାରିଖରେ ତତ୍କାଳୀନ ବିଧାୟକ ତଥା ବର୍ତମାନର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ସ୍ୱର୍ଗୀୟ ପିତା ବିଷ୍ଣୁ ଚରଣ ସେଠୀଙ୍କ ଅସ୍ଥି ଏଠାରେ ବିସର୍ଜନ କରିଥିଲେ। ସେବେଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୧୯ ତାରିଖରେ ସ୍ୱର୍ଗତ ସେଠୀଙ୍କ ଶ୍ରାଦ୍ଧ ଦିବସରେ ଏଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଆସୁଛି।ପ୍ରତିବର୍ଷ କାର୍ତିକ ପୂର୍ଣ୍ଣିମାରେ ଉତର ବାହିନୀ ଘାଟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ହବିଷ୍ୟାଳୀ ମାନେ ନିକଟସ୍ଥ ଉତରବାହିନୀ ଜଗନ୍ନାଥ ମଠରେ ରହି ପଂଚୁକ ବ୍ରତ ପାଳନ କରିବା ସହ ଏଠାରେ ବୋଇତ ବନ୍ଦାଣ ଓ ଡଙ୍ଗା ଭସାଇଥାନ୍ତି। ଏଥିସହ ଉତରବାହିନୀ ଶ୍ମଶାନ ପଡ଼ିଆରେ ପାରମ୍ପରିକ ବାଲିଯାତ୍ରା ମେଳା ଅନୁଷ୍ଠିତ ହୁଏ। ଗୋଟିଏ ପଟେ ଉନ୍ନତିକରଣ ପାଣ୍ଠି ବାଟମାରଣା ହୋଇଥିବା ଅଭିଯୋଗ ହେଉଥିବା ବେଳେ ଅନ୍ୟପଟେ ପ୍ରତିବର୍ଷ ବନ୍ୟାରେ ବୈତରଣୀର ପ୍ରଖର ସ୍ରୋତ ଘାଟକୁ କ୍ଷତିଗ୍ରସ୍ତ କରୁଛି। ନଦୀପଠା ରୁ ଅତଡ଼ା ଖସି ପ୍ରାୟ ୩୦ ମିଟର ଲମ୍ବର ଘାଟ ଇତିମଧ୍ୟରେ ବୈତରଣୀ ଗର୍ଭରେ ଲୀନ ହୋଇଗଲାଣି। ତୁରନ୍ତ ଏହାର ସୁରକ୍ଷା ଓ ପୁନରୁଦ୍ଧାର କରା ନ ଗଲେ ଏହି ପୌରାଣିକ ପୀଠର ଅସ୍ତିତ୍ୱ ଲୋପ ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଶ୍ରଦ୍ଧାଳୁ ଓ ସ୍ଥାନୀୟ ବାସିନ୍ଦାଙ୍କ ଭାବାବେଗକୁ ସମ୍ମାନ ଜଣାଇ ଉତର ବାହିନୀ ଘାଟ ପାଇଁ ଆବଂଟିତ ମୂଳ ଅର୍ଥକୁ ତୁରନ୍ତ ଫେରାଇ ଆଣି ପ୍ରକୃତ ଉନ୍ନତି କାର୍ଯ୍ୟରେ ବିନିଯୋଗ କରିବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି।
Home ଜିଲ୍ଲା ପରିକ୍ରମା ଘାଟ ଉନ୍ନତିକରଣ ପାଣ୍ଠି ବାଟମାରଣା ଅଭିଯୋଗ, ଶିଳାନ୍ୟାସ ଫଳକରେ ସୀମିତ ୧୦ କୋଟିର ପ୍ରକଳ୍ପ; ବୈତରଣୀ...








