Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ବିକଶିତ ଭାରତ ଯୁବ ସମ୍ବାଦ’ କାର୍ଯ୍ୟକ୍ରମ

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ବିକଶିତ ଭାରତ ଯୁବ ସମ୍ବାଦ’ କାର୍ଯ୍ୟକ୍ରମ

3

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୁବଶକ୍ତି ହିଁ ରାଷ୍ଟ୍ରର ଭବିଷ୍ୟତ। ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ଭାରତ ଗଠନ ପାଇଁ ଯୁବପିଢ଼ିଙ୍କ ଗଣତାନ୍ତ୍ରିକ ସଚେତନତା ଓ ସକ୍ରିୟ ନାଗରିକ ଭାଗୀଦାରି ଅପରିହାର୍ଯ୍ୟ। ଏହି ମହତ୍ ଉଦ୍ଦେଶ୍ୟ ନେଇ ଭଦ୍ରକ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭଦ୍ରକସ୍ଥିତ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ବିକଶିତ ଭାରତ ଯୁବ ସମ୍ବାଦ–ନିଜ ମତଦାନକୁ ଜାଣନ୍ତୁ’ ଶୀର୍ଷକ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମଙ୍ଗଳଦୀପ ପ୍ରଜ୍ୱଳନ ଓ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍‌’ ଗାନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ବିକଶିତ ରାଷ୍ଟ୍ରର ପରିକଳ୍ପନା କେବଳ ଆର୍ôଥକ ପ୍ରଗତିରେ ସୀମିତ ନୁହେଁ; ବରଂ ଶିକ୍ଷିତ, ସଚେତନ ଓ ଦାୟିତ୍ୱବାନ ନାଗରିକଙ୍କ ଉପରେ ଏହାର ମୂଳଦୁଆ ନିର୍ଭର କରେ ବୋଲି ମତପ୍ରକାଶ କରିଥିଲେ। ଛାତ୍ରଛାତ୍ରୀ ଆଜିର ଯୁବଶକ୍ତି ଓ ଆସନ୍ତାକାଲିର ନେତୃତ୍ୱ ହୋଇଥିବାରୁ ସେମାନେ ନିଜର ମତଦାନ ଅଧିକାର ଓ ନାଗରିକ କର୍ତବ୍ୟ ପ୍ରତି ସଚେତନ ହେବାକୁ ସେ ଆହ୍ୱାନ ଦେଇଥିଲେ। ନିମନ୍ତ୍ରିତ ଅତିଥି ଭାବେ ମୋ ଭାରତ ତରଫରୁ ଶ୍ରୀ ଚଦ୍ର ପ୍ରସାଦ ପଣ୍ଡା ଯୋଗଦେଇ ଯୁବପିଢ଼ି ଦେଶର ଅମୂଲ୍ୟ ସମ୍ପଦ ବୋଲି ଅଭିହିତ କରିବା ସହ ମତଦାନକୁ କେବଳ ଏକ ଆଇନଗତ ଅଧିକାର ଭାବେ ନୁହେଁ, ବରଂ ରାଷ୍ଟ୍ରର ଭବିଷ୍ୟତ ଗଠନର ଏକ ଦାୟିତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ଗ୍ରହଣ କରିବାକୁ କହିଥିଲେ। ଯୋଗ୍ୟ ଯୁବ ମତଦାତାମାନେ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେବାକୁ ସେ ପରାମର୍ଶ ଦେଇଥିଲେ। ସ୍ନାତକୋତର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଣେ ସଚେତନ ମତଦାତା ଜାତି, ଧର୍ମ, ଭାଷା ଓ ବ୍ୟକ୍ତିଗତ ପ୍ରଲୋଭନରୁ ଊର୍ଦ୍ଧ୍ୱରେ ରହି ପ୍ରାର୍ଥୀଙ୍କ ଯୋଗ୍ୟତା, ଚରିତ୍ର ଓ ଜନସେବା ମନୋଭାବକୁ ଆଧାର କରି ନିଜର ମତଦାନ କରିବା ଉଚିତ ବୋଲି କହିଥିଲେ। ବିଶେଷକରି ଡିଜିଟାଲ୍ ଯୁଗରେ ମିଥ୍ୟା ଖବର ଓ ଅପପ୍ରଚାରରୁ ଦୂରେଇ ରହି ତଥ୍ୟଭିତିକ ନିଷ୍ପତି ନେବା ଜଣେ ଦାୟିତ୍ୱବାନ ନାଗରିକର କର୍ତବ୍ୟ ବୋଲି ସେ ମତ ଦେଇଥିଲେ। ରସାୟନ ବିଜ୍ଞାନ ର ମୁଖ୍ୟ ଡକ୍ଟର ଲକ୍ଷ୍ମୀକାନ୍ତ ନାୟକ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଗଣତନ୍ତ୍ରର ପ୍ରକୃତ ସଫଳତା ନାଗରିକଙ୍କ ସଚେତନ ଓ ସକ୍ରିୟ ଅଂଶଗ୍ରହଣରେ ନିହିତ ବୋଲି ମତବ୍ୟକ୍ତ କରିଥିଲେ। ଯୁବପିଢ଼ି କେବଳ ନିଜ ଅଧିକାର ପ୍ରତି ସଚେତନ ହେଲେ ଚଳିବ ନାହିଁ, ନିଜ କର୍ତବ୍ୟ ପ୍ରତି ମଧ୍ୟ ସମାନ ଭାବରେ ଦାୟିତ୍ୱବାନ ହେବା ଆବଶ୍ୟକ। ଏକ ସୁସ୍ଥ ଗଣତନ୍ତ୍ରରେ ମତଭେଦ ରହିବା ସ୍ୱାଭାବିକ, କିନ୍ତୁ ମନ ଭେଦ ଓ ବିଭେଦର ସ୍ଥାନ ରହିବା ଉଚିତ ନୁହେଁ। ଭିନ୍ନ ଚିନ୍ତାଧାରା ମଧ୍ୟରେ ଜାତୀୟ ଏକତା ଓ ସାମାଜିକ ସଦ୍‌ଭାବ ବଜାୟ ରଖିବା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଯୁବ ପ୍ରତିଭା ରାଜେଶ କୁମାର ନାୟକ ଏସ୍‌.ଆଇ.ଆର. ସମ୍ପର୍କିତ ପ୍ରବନ୍ଧ ପାଠ କରିବା ସହ ‘ବିକଶିତ ଭାରତ ବଜେଟ୍ କ୍ୱେଷ୍ଟ ୨୦୨୬-୨୭’ରେ ନିଜର ଅନୁଭୂତି ବାଂଟିଥିଲେ। ଏକ ସଚେତନ ମତ, ସକାରାତ୍ମକ ଚିନ୍ତାଧାରା ଓ ଦୃଢ଼ ପଦକ୍ଷେପ ନୂତନ ଭାରତ ଗଠନର ମୂଳଦୁଆ ହୋଇପାରିବ ବୋଲି ସେ ମତ ଦେଇଥିଲେ। ତାଙ୍କୁ ଭଦ୍ରକ ଜିଲ୍ଲା ପ୍ରଶାସନର ଯୁବ କେନ୍ଦ୍ର ପକ୍ଷରୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ‘ନିଜ ମତଦାନକୁ ଜାଣନ୍ତୁ’ ବିଶେଷ ଅଧିବେଶନରେ ମତଦାନ ଅଧିକାର, ଯୋଗ୍ୟ ପ୍ରାର୍ଥୀ ଚୟନ, ଭ୍ରାନ୍ତ ସୂଚନାରୁ ସୁରକ୍ଷା ଏବଂ ନିର୍ଭୀକ ଭାବେ ମତଦାନ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ ମହାବିଦ୍ୟାଳୟର ଗଣ ମାଇ ଭାରତ ପୋର୍ଟାଲ ରେ ପଞ୍ଜୀକରଣ କରିଥିବା ସ୍ୱେଚ୍ଛାସେବୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଅତିଥି ଓ ଛାତ୍ରଛାତ୍ରୀମାନେ ଗଣତାନ୍ତ୍ରିକ ଶପଥ ଗ୍ରହଣ କରି ଦାୟିତ୍ୱବାନ ନାଗରିକ ଭାବେ ଦେଶର ପ୍ରଗତିରେ ଯୋଗଦାନ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ। ଛାତ୍ରୀ ସହିନ ନାଜ ମଂଚ ପରିଚାଳନା କରିଥିବାବେଳେ ରାଜନୀତି ବିଜ୍ଞାନ ର ବିଭାଗୀୟ ମୁଖ୍ୟ ଡକ୍ଟର ସୁଦର୍ଶନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ମନରେ ମତଦାନ ପ୍ରତି ଦାୟିତ୍ୱବୋଧ ଜାଗ୍ରତ କରିବା ସହ ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ଏକ ସଚେତନ, ସଶକ୍ତ ଓ ବିକଶିତ ଭାରତ ଗଠନରେ ସକ୍ରିୟ ଯୋଗଦାନ ପାଇଁ ପ୍ରେରଣା ଯୋଗାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.