ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଶାନ୍ତି କମିଟି ବୈଠକର ଫଟୋକୁ ଏଆଇ ମାଧ୍ୟମରେ ପରିବର୍ତନ କରି କେତେକ ସଦସ୍ୟଙ୍କ ମୁଣ୍ଡରେ ଗେରୁଆ ଟୋପି ଓ କାନ୍ଧରେ ଗେରୁଆ ଗାମୁଛା ଲଗାଇ ସାମାଜିକ ଗଣମାଧ୍ୟମରେ ପ୍ରଚାର କରିବା ଘଟଣାରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ଶାନ୍ତି କମିଟିର କିଛି ସଦସ୍ୟ ଶନିବାର ପୁଣି ଧାମନଗର ଥାନାର ଦ୍ୱାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୯ ତାରିଖରେ ଧାମନଗର ବ୍ଲକ ସଭାଗୃହରେ ତହସିଲଦାର ଜ୍ଞାନରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ହୋଇଥିଲା। ଉକ୍ତ ବୈଠକରେ ବିଭିନ୍ନ ବର୍ଗ ଓ ସମ୍ପ୍ରଦାୟର ପ୍ରତିନିଧି ଯୋଗ ଦେଇଥିଲେ। ତେବେ ବୈଠକର ମୂଳ ଫଟୋକୁ ଏଆଇ ମାଧ୍ୟମରେ ପରିବର୍ତନ କରି କେତେକ ସଦସ୍ୟଙ୍କୁ ଗେରୁଆ ଟୋପି ଓ ଗାମୁଛା ପିନ୍ଧାଯାଇଥିବା ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଚାର କରାଯାଇଥିଲା। ଏହାକୁ ନେଇ ଗତ ୨୯ ତାରିଖରେ ଶାନ୍ତି କମିଟିର କିଛି ସଦସ୍ୟ ତହସିଲଦାର ଓ ଧାମନଗର ଥାନା ଅଧିକାରୀ ସୁବ୍ରଜିତ୍ ଦାସଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଫଟୋ ପରିବର୍ତନ କରି ପ୍ରଚାର କରିବା ପଛରେ କାହାର ଉଦ୍ଦେଶ୍ୟ ରହିଛି, ତାହାର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ଓ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ। ତେବେ ଅଭିଯୋଗ ପରେ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବାରୁ ସଦସ୍ୟମାନେ ପୁଣି ଆଜି ଥାନାକୁ ଯାଇଥିଲେ। ବିବାଦୀୟ ଫଟୋ ସାମାଜିକ ଗଣମାଧ୍ୟମରୁ ହଟାଇବା ସହ ଏହା ପ୍ରସ୍ତୁତ ଓ ପ୍ରଚାର କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଉଚିତ୍ ପଦକ୍ଷେପ ନେବାକୁ ସେମାନେ ପୁଲିସକୁ ଅନୁରୋଧ କରିଛନ୍ତି। ଏହା ପରେ ଭଦ୍ରକ ଏସପିଙ୍କୁ ଭେଟି ଘଟଣା ବିଷୟରେ ଜଣାଇଥିଲେ।
Home ଜିଲ୍ଲା ପରିକ୍ରମା ଶାନ୍ତି କମିଟି ଫଟୋରେ ଗେରୁଆ ଟୋପି ଓ ଗାମୁଛା ଲଗାଇ ପ୍ରଚାର ଘଟଣା, କାର୍ଯ୍ୟାନୁଷ୍ଠାନ ଦାବିରେ...








