Home ଜିଲ୍ଲା ପରିକ୍ରମା ଭଦ୍ରକ ନେହେରୁ ଷ୍ଟାଡିୟମ୍‌ର ନିର୍ମାଣ କାର୍ଯ୍ୟରେ ବ୍ୟୟ ହେବ ୨୩.୫୦ କୋଟି,ଅଗ୍ରଗତିକୁ ନେଇ ସମୀକ୍ଷା କଲେ...

ଭଦ୍ରକ ନେହେରୁ ଷ୍ଟାଡିୟମ୍‌ର ନିର୍ମାଣ କାର୍ଯ୍ୟରେ ବ୍ୟୟ ହେବ ୨୩.୫୦ କୋଟି,ଅଗ୍ରଗତିକୁ ନେଇ ସମୀକ୍ଷା କଲେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

1

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ଉପସ୍ଥିତିରେ ଐତିହାସିକ ନେହେରୁ ଷ୍ଟାଡିୟମର ପୁନରୁଦ୍ଧାର ଓ ଆଧୁନିକୀକରଣ କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଏଠାରେ ସୂଚନାଯୋଗ୍ୟ ସାମାନ୍ୟ ବର୍ଷାରେ ଉବୁଟୁବୁ ହେଉଥିବା ଏହି ଷ୍ଟାଡିୟମ୍‌ଟିର ଜଳ ନିଷ୍କାସନ ବ୍ୟବସ୍ଥାକୁ ନେଇ ଏହାର ନିର୍ମାଣ କାର୍ଯ୍ୟ ବିଗତ ଦିନରେ ଅଧା ପନ୍ତରିଆ ଅବସ୍ଥାରେ ରହିଥିଲା। ତେବେ ଭଦ୍ରକର ମନ୍ତ୍ରୀ ଶ୍ରୀ ସୁରଜ କ୍ରୀଡା ବିଭାଗର ଦାୟିତ୍ୱ ନେବା ପରେ ଏହାର ଅଗ୍ରଗତି ନେଇ ବିଶେଷ ଧ୍ୟାନ ଦେଇଛନ୍ତି। ୨୩ କୋଟି ୫୦ ଲକ୍ଷ ବ୍ୟୟରେ ଏହି ଷ୍ଟାଡିୟମ୍‌ଟିର ନିର୍ମାଣ କାର୍ଯ୍ୟ ଏବେ ଉତରପ୍ରଦେଶର ଏକ ଠିକାଦାରୀ ସଂସ୍ଥା ଦ୍ୱାରା ଆଗେଇ ଚାଲିଛି। ଏହି ବୃହତ ପ୍ରକଳ୍ପ ଜରିଆରେ ଷ୍ଟାଡିୟମର ସମ୍ପୂର୍ଣ୍ଣ ରୂପରେଖ ବଦଳିଯିବା ସହ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଭଦ୍ରକରେ ଏକ ଆଧୁନିକ ଇଣ୍ଡୋର ସ୍ୱିମିଂ ପୁଲ୍ ନିର୍ମାଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ପଡିଆକୁ ୪ ଫୁଟ୍ ଉଚ୍ଚ କରିବା ସହ ଗ୍ୟାଲେରୀ ଚାରିପଟେ ଡ୍ରେନ୍ କରାଯାଇ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ କରାଯିବାର ବ୍ୟବସ୍ଥା ରଖାଯାଇଛି। ଷ୍ଟାଡିୟମ୍‌ର ସଂପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ୨୦୨୮ ମସିହା ସୁଦ୍ଧା ସାରିବାକୁ ମନ୍ତ୍ରୀ ସଂପୃକ୍ତ ଠିକାଦାର ସଂସ୍ଥାକୁ ତାଗିଦ କରିଥିଲେ। ଏହାବ୍ୟତୀତ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ୩ ମାସରେ ଥରେ ରିପୋର୍ଟ ପ୍ରଦାନ କରିବାକୁ ସେ ଠିକାଦାରୀ ସଂସ୍ଥା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପଡିଆକୁ ନିର୍ମାଣ କାର୍ଯ୍ୟକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବା ସହ ଗୁଣବତା ବଜାୟ ରଖିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ପକ୍ଷଙ୍କ ସହଯୋଗ ଓ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନିଆଯିବା ସହ ଖୁବ୍‌ଶୀଘ୍ର ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଆମ ଭଦ୍ରକ ଜିଲ୍ଲାର କ୍ରୀଡ଼ାବିତ୍ ଓ ଯୁବପିଢ଼ିଙ୍କ ପାଇଁ ଏକ ସମୃଦ୍ଧ, ନବୀକୃତ ଓ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରାଙ୍ଗଣ ଉପଲବ୍ଧ ହୋଇପାରିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ମନ୍ତ୍ରୀଙ୍କ ସମୀକ୍ଷା ସମୟରେ ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ସାଂସଦଙ୍କ ପ୍ରତିନିଧି ଭଗବାନ ପଣ୍ଡା, ବଡି ବିଲ୍‌ଡିଂ, ବ୍ୟାଡମିଂଟନ ଓ ଭଲି ବଲ୍ ଆସୋସିଏସନ୍‌ର ସଭାପତି ଶୁଭେନ୍ଦୁ ରାୟ ମହାପାତ୍ର, ଟାଇକୋଣ୍ଡୋ, ଫୁଟବଲ ଆସୋସିଏସନ୍‌ର ସଭାପତି ତୁଷାର ଦାସ, ଜିଲା କ୍ରୀଡା ଅଧିକାରୀ ଅଭିଷେକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.