Home ଜିଲ୍ଲା ପରିକ୍ରମା କାଣୀ ନଦୀ ମୁହାଣ ବନ୍ଦକୁ ବିରୋଧ, ପ୍ରତିବାଦ ସଭା, ମୁଖ୍ୟମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ...

କାଣୀ ନଦୀ ମୁହାଣ ବନ୍ଦକୁ ବିରୋଧ, ପ୍ରତିବାଦ ସଭା, ମୁଖ୍ୟମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର; ବଡ଼ ଆନ୍ଦୋଳନ ପାଇଁ ନିଷ୍ପତି

2

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାଜପୁର ଜିଲ୍ଲାରେ ବନ୍ୟା ନିୟନ୍ତ୍ରଣ ନାମରେ କାଣୀ ନଦୀର ମୁହାଣରେ ପଥର ବନ୍ଧ କରାଯାଉଥିବାକୁ ନେଇ ଭଦ୍ରକ ଜିଲ୍ଲାର ଧାମନଗର ଅଂଚଳରେ ଅସନ୍ତୋଷ ତୀବ୍ର ହୋଇଛି। ଏହାର ପ୍ରତିବାଦରେ ରବିବାର ଦୋବଲ କାଳୀପଡ଼ିଆରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ବୈତରଣୀ ନଦୀକୂଳରେ ବସବାସ କରୁଥିବା ଅଂଚଳବାସୀ ଏଥିରେ ଯୋଗଦେଇ କାଣୀ ନଦୀର ମୁହାଣକୁ ପୂର୍ବଭଳି ରଖିବା ସହ ଚାଲିଥିବା ପଥର ବନ୍ଧ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଏବଂ ଜଳସମ୍ପଦ ବିଭାଗକୁ ଅଭିଯୋଗପତ୍ର ପ୍ରଦାନ କରିବାକୁ ଶତାଧିକ ଦସ୍ତଖତ ସଂଗ୍ରହ କରି ଅଭିଯୋଗ ପତ୍ର ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଥିଲା। ଧାମନଗରର ହିତ ପାଇଁ କାଣୀ ନଦୀର ମୁହାଣରେ ପଥର ପ୍ୟାକିଂ କାର୍ଯ୍ୟ ବନ୍ଦ କରିବା ସହ ନଦୀର ପ୍ରାକୃତିକ ଜଳପ୍ରବାହ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ସମାବେଶରେ ଯୋଗଦେଇଥିବା ଲୋକଙ୍କ ମତରେ, କାଣୀ ନଦୀ ବୈତରଣୀର ଅତିରିକ୍ତ ବନ୍ୟାଜଳ ନିଷ୍କାସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଏହାର ମୁହାଣକୁ ପଥର ବନ୍ଧ ଦ୍ୱାରା ଅବରୋଧ କରାଗଲେ ଧାମନଗର ଓ ଚାନ୍ଦବାଲି ଅଂଚଳରେ ବନ୍ୟା ବିପଦ ବଢ଼ିବା ସହ ଚାଷଜମି ଓ ଜନବସତି କ୍ଷତିଗ୍ରସ୍ତ ହେବ। ତେଣୁ ଯାଜପୁର ଅଂଚଳକୁ ବନ୍ୟାରୁ ସୁରକ୍ଷା ଦେବା ପାଇଁ ଭଦ୍ରକ ଜିଲ୍ଲାର ଧାମନଗର ଅଂଚଳର ଲୋକଙ୍କୁ ବିପଦ ମଧ୍ୟକୁ ଠେଲି ଦିଆ ନଯାଉ ବୋଲି ଦାବି ଉଠିଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଂଚଳବାସୀଙ୍କୁ ଏକଜୁଟ କରି ବ୍ୟାପକ ଜନଆନ୍ଦୋଳନ କରିବାକୁ ସମାବେଶରେ ନିଷ୍ପତି ହୋଇଛି। ଦଳମତ ନିର୍ବିଶେଷରେ ଧାମନଗର ଓ ଚାନ୍ଦବାଲି ଅଂଚଳର ବନ୍ୟା ସୁରକ୍ଷା ପ୍ରସଙ୍ଗରେ ସମସ୍ତେ ଏକାଠି ହୋଇ ଦାବି ଉପସ୍ଥାପନ କରିବାକୁ ଆହ୍ୱାନ ଦିଆଯାଇଛି। ଏହି ପ୍ରତିବାଦ ସଭାରେ ଗାନ୍ଧୀ ଜନ କଲ୍ୟାଣ ସମିତି ଆନୁକୂଲ୍ୟରେ ସଞ୍ଜୟ କୁମାର ମିଶ୍ରଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଷ୍ଣୁ ଚରଣ ଦାଶ, ପ୍ରମୋଦ ନାୟକ, ପ୍ରଭାତ ପଣ୍ଡା, ମାନସ ମହାପାତ୍ର, ପ୍ରମୋଦ ସ୍ୱାଇଁ, ରଜତ ପଣ୍ଡା, ମହେଶ୍ୱର ରାଉତ, ସେକ ମୁସ୍ତାକ, ସୁଶାନ୍ତ ପଣ୍ଡା, ଚିନ୍ତାମଣି ବାରିକ, ତାରିଖ ହୋସେନ, ଗୋଲାମ ବାବୁ, ସୁଧାଂଶୁ ନାୟକ, ଦିଲୀପ ବେହେରା, ବୀରେନ୍ଦ୍ର ଦାଶ ଓ ଜାକେଶ ଦାଶ ସମେତ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.