ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାରେ ନିଶାଦ୍ରବ୍ୟ, ବିଶେଷକରି ବ୍ରାଉନ୍ ସୁଗାର ଚୋରାଚାଲାଣ ଓ ବ୍ୟବହାରକୁ ରୋକିବା ସହ ଯୁବପିଢ଼ିଙ୍କୁ ନିଶାମୁକ୍ତ ଜୀବନ ପ୍ରତି ଉତ୍ସାହିତ କରିବା ନେଇ ଜିଲ୍ଲାସ୍ତରୀୟ ନାର୍କୋ କୋଅଡିନେସନ କମିଟି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଭଦ୍ରକ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗ ଓ ସଂପୃକ୍ତ ଅନୁଷ୍ଠାନର ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ଜିଲ୍ଲାରେ ବ୍ରାଉନ୍ ସୁଗାର ସମେତ ବିଭିନ୍ନ ନିଶାଦ୍ରବ୍ୟର ଚୋରାଚାଲାଣ, ବିକ୍ରୟ ଓ ବ୍ୟବହାର ଉପରେ ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ ସମନ୍ୱିତ ପଦକ୍ଷେପ ନେବାକୁ ଏସ୍ପି ଶ୍ରୀ ରାଉତ ଗୁରୁତ୍ୱାରୋପ କରିଥିଲେ। ନିଶାଦ୍ରବ୍ୟ ଚୋରାଚାଲାଣର ଉତ୍ସ, ଯୋଗାଣ ଶୃଙ୍ଖଳ ଓ ବିକ୍ରୟ ସ୍ଥାନ ଚିହ୍ନଟ କରି ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବା ସହ ବିଭିନ୍ନ ବିଭାଗ ମଧ୍ୟରେ ନିୟମିତ ସମନ୍ୱୟ ରଖିବାକୁ ସେ ପରାମର୍ଶ ଦେଇଥିଲେ। ବିଶେଷକରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କ ମଧ୍ୟରେ କାଉନ୍ସେଲିଂ ଓ ନିଶାର କୁପ୍ରଭାବ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଏସ୍ପି ପରାମର୍ଶ ଦେଇଥିଲେ। ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟରୁ ଦୂରେଇ ରଖିବାରେ ଶିକ୍ଷାନୁଷ୍ଠାନଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ସେହିପରି ଧାମରା ପୋର୍ଟ କର୍ତୃପକ୍ଷଙ୍କୁ ବନ୍ଦର ଅଂଚଳରେ ନିଶାଦ୍ରବ୍ୟର ଅବୈଧ ପ୍ରବେଶ ଓ ଚୋରାଚାଲାଣ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ସନ୍ଦେହଜନକ ଗତିବିଧି ଉପରେ ନଜର ରଖିବା ଏବଂ ପୁଲିସ ସହ ନିୟମିତ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାରୁ ନିଶାଦ୍ରବ୍ୟର କାରବାରକୁ ମୂଳୋତ୍ପାଟନ କରିବା ପାଇଁ ପୁଲିସ, ଶିକ୍ଷା, ସ୍ୱାସ୍ଥ୍ୟ, ଅବକାରୀ, କଷ୍ଟମ୍ସ, ଧାମରା ପୋର୍ଟ ସମେତ ସମସ୍ତ ଅଂଶୀଦାର ବିଭାଗ ଏକଜୁଟ ହୋଇ କାର୍ଯ୍ୟ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଯୁବସମାଜକୁ ନିଶାମୁକ୍ତ ଓ ସୁସ୍ଥ ଜୀବନ ପ୍ରତି ଆକୃଷ୍ଟ କରିବା ପାଇଁ ଜିଲ୍ଲାବ୍ୟାପୀ ସଚେତନତା ଅଭିଯାନକୁ ଅଧିକ ବ୍ୟାପକ କରିବାକୁ ମଧ୍ୟ ଆହ୍ୱାନ ଦିଆଯାଇଥିଲା।
Home ଜିଲ୍ଲା ପରିକ୍ରମା ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବାକୁ ଜିଲ୍ଲାସ୍ତରୀୟ ବୈଠକ,ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବରୁ ଦୂରେଇବା ପାଇଁ ସଚେତନତା ଉପରେ ଗୁରୁତ୍ୱ






