Home ଜିଲ୍ଲା ପରିକ୍ରମା ୫୦ ପ୍ରତିଶତ ଚାଷୀ ପଞ୍ଜିକରଣ କରିଛନ୍ତି,ପଂଜିକରଣ ରହିଲା ମାତ୍ର ୨ ଦିନ, ଅବଧି ବୃଦ୍ଧି କରିବାକୁ...

୫୦ ପ୍ରତିଶତ ଚାଷୀ ପଞ୍ଜିକରଣ କରିଛନ୍ତି,ପଂଜିକରଣ ରହିଲା ମାତ୍ର ୨ ଦିନ, ଅବଧି ବୃଦ୍ଧି କରିବାକୁ ଚାଷୀଙ୍କ ଦାବୀ

3

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ଚାଷୀ ପଞ୍ଜିକରଣ କାର୍ଯ୍ୟ ଆଜି ସୁଦ୍ଧା ମାତ୍ର ୫୦ ପ୍ରତିଶତ ହୋଇଛି।ଚଳିତ ବର୍ଷ ଚାଷୀ ପଞ୍ଜି କରଣ କ୍ଷେତ୍ରରେ ଭଦ୍ରକ ଜିଲ୍ଲା ଅନ୍ୟ ଜିଲ୍ଲା ତୁଳନାରେ ପଛରେ ପଡିଛି।ଏହି ପଞ୍ଜିକରଣ ପାଁଇ ଆଉ ଦୁଇଦିନ ରହିଛି।ସରକାରଙ୍କ ନିର୍ଦେଶନାମାନୁଯାୟୀ ଅଗଷ୍ଟ ୬ରୁ ଚାଷୀ ପଞ୍ଜିକରଣ ଆରମ୍ଭ ହୋଇ ଅଗଷ୍ଟ ୩୧ତାରିଖ ସୁଦ୍ଧା ସାରିବାକୁ ନିର୍ଦେଶ ରହିଛି।ଚଳିତ ବର୍ଷ ବୈତରଣୀ ଓ ସଳନ୍ଦୀ ନଦୀରେ ଲଗାତାର ବନ୍ୟା ଯୋଗୁଁ ପଞ୍ଜିକରଣ କାର୍ଯ୍ୟ ରେ ମୁଖ୍ୟ ପ୍ରତିବନ୍ଧକ ସାଜିଥିବାର ଜଣାଯାଇଛି।ଜିଲ୍ଲାର ବନ୍ୟା ପ୍ରଭାବିତ ଧାମନଗର,ତିହିଡି ଓ ଚାନ୍ଦବାଲି ବ୍ଲକରେ ବହୁ ସେବା ସମବାୟ ସମିତି ପାଣିଘେର ରେ ରହିବା ସହ ଚାଷୀ ମାନଙ୍କ ଘର ୭/୮ ଦିନ ଧରି ଏବେବି ଜଳବନ୍ଦୀ ହୋଇପଡିରହିଛି। ଏହାବ୍ୟତୀତ ସରକାରଙ୍କ ନିର୍ଦ୍ଦେଶନାମାରେ ବାରମ୍ବାର ପରିବର୍ତନ ଓ ସର୍ଭେୟର ଡାଉନ୍ ଚାଷୀ ପଂଜିକରଣରେ ଅହେତୁକ ବିଳମ୍ବ ଘଟୁଥିବାର ଚାଷୀ ମହଲତରେ ମତ ପ୍ରକାଶ ପାଇଛି। ସଂଗୃହିତ ତଥ୍ୟରୁ ଜଣାଯାଇଛି ଯେ ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଘଟପୁର ସେବା ସମବାୟ ସମିତିରେ ଗତକାଲି ସୁଦ୍ଧା ୧୧ ଜଣ, ସୁନ୍ଦରପୁର ଓ ମାଧପୁରରେ ଯଥାକ୍ରମେ ୫ ଓ ୧୪ ଜଣ ଚାଷୀ ପଂଜିକରଣ କରିଛନ୍ତି। ସେହିପରି ତିହିଡି ବ୍ଲକ୍‌ର ଅଣ୍ଡରାଇରେ ୮୭ ଜଣ ଓ ବାରସରରେ ୩ ଜଣ ଚାଷୀ ପଂଜିକରଣ କରିଥିବାବେଳେ ଧାମନଗର ପାଳସାହି ସେବା ସମବାୟ ସମିତିରେ ୮୩ ଜଣ ଚାଷୀ ବହୁ ବନ୍ୟା ପ୍ରଭାବିତ ଅଂଚଳର ସୋସାଇଟିରେ ଚାଷୀ ପଂଜିକରଣ ଏହିଭଳି ହୋଇଛି। ଅନ୍ୟପକ୍ଷରେ ଜଗନ୍ନାଥ ଜମିକୁ ପଂଜିକରଣ ନହେବାକୁ ନେଇ ଚାଷୀମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି। ଧାମନଗର ସେବା ସମବାୟ ସମିତିରେ ଗତକାଲି ସୁଦ୍ଧା ୫୩୭ ଜଣ ଚାଷୀ ପଂଜିକରଣ କରିଛନ୍ତି। ଆହୁରି ୭ ଶହ ଚାଷୀ ପଂଜିକରଣ କରିବାକୁ ଅଛନ୍ତି। ଆଉ ମାତ୍ର ଦୁଇଦିନ ପରେ ପଂଜିକରଣ ବନ୍ଦ ରହିବ। ଏନେଇ ଚାଷୀଙ୍କ ମହଲରେ ଭାଳେଣି ପଡିଛି। ସମସ୍ୟାର ଶୀଘ୍ର ସମାଧାନ ନହେଲେ ଜିଲାର ଅନେକ ଯୋଗ୍ୟ ଚାଷୀ ପଂଜିକରଣରୁ ବାଦ୍ ପଡିବେ ବୋଲି ଚାଷୀଙ୍କ ପକ୍ଷରୁ କୁହାଯାଉଛି। ସୂଚନାଯୋଗ୍ୟ ୨୦୨୫-୨୬ ଖରିଫରେ ୯୬ ହଜାର ୨୩୨ ଜଣ ଚାଷୀ ପଂଜିକରଣ କରିଥିଲେ। ଚଳିତବର୍ଷ ୨୦୨୬-୨୭ ର ଗତକାଲି ସୁଦ୍ଧା ୪୩ ହଜାର ୨୭୪ ଚାଷୀ ପଂଜିକରଣ କରିଛନ୍ତି। ଚଳିତବର୍ଷର ଚାଷୀ ପଂଜିକରଣ ପାଇଁ ୧୧୪ ଟି ପ୍ୟାକ୍ସଙ୍କୁ ନିୟୋଜିତ କରାଯାଇଥିଲା। ଏହାମଧ୍ୟରୁ ୧୧୦ ଟି ପ୍ୟାକ୍ସରେ ପଂଜିକରଣ କାର୍ଯ୍ୟ ଜାରି ରହିଛି। ୧୪୮୨ ଚାଷୀଙ୍କ ଏଗ୍ରି ଷ୍ଟାକ ଆଇଡି ଅଛି। ଗତକାଲି ସୁଦ୍ଧା ୪୫ ପ୍ରତିଶତ ଚାଷୀଙ୍କ ପଂଜିକରଣ ହୋଇଛି। ଆଜିସୁଦ୍ଧା ପ୍ରାୟ ୫୦ ପ୍ରତିଶତ ଚାଷୀ ପଂଜିକରଣ ହେବ ବୋଲି ବିଭାଗୀୟ କର୍ତୃପକ୍ଷ ସୂଚନା ଦେଇଛନ୍ତି। ବନ୍ୟା ପ୍ରଭାବିତ ଅଂଚଳ ପାଇଁ ଚାଷୀ ପଂଜିକରଣ ଅବଧି ବୃଦ୍ଧି କରିବାକୁ ଚାଷୀ ମହଲରେ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.