ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ୮୫ତମ ଆଜାଦ ଧୂଷୁରୀ ସ୍ମାରକୀ ଦିବସ ସମାରୋହ ଏବଂ ବରିଷ୍ଠ ନାଗରିକ ମଂଚର ନବମ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଧୂଷୁରୀ ବିଜ୍ଞାପିତ ଅଂଚଳ ପରିଷଦସ୍ଥିତ ପୂଜ୍ୟପୂଜା ସଂସଦରେ ଆୟୋଜିତ ଉତ୍ସବ ସଭାରେ ବରିଷ୍ଠ ନାଗରିକ ମଂଚର ସଭାପତି ବର୍ଷିଆନ ବାମପନ୍ଥୀ ନେତା ଚନ୍ଦ୍ର ଶେଖର ନାୟକ ସଭାପତିତ୍ୱ କରିଥିଲେ। ଉପସଭାପତି ସାହିତ୍ୟିକ ଅଧ୍ୟାପକ ରବୀନ୍ଦ୍ର କୁମାର ବେହୁରିଆଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଭଦ୍ରକ ବରିଷ୍ଠ ନାଗରିକ ମଂଚ ମହାସଂଘର ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି, ଡ଼. ସୁବାସ ଚନ୍ଦ୍ର କର ମୁଖ୍ୟବକ୍ତା ଏବଂ ବିଶିଷ୍ଠ ନାଟ୍ୟ ନିର୍ଦେଶକ ଧୀରେନ୍ଦ୍ର ନାଥ ମଲ୍ଲିକ,ବରିଷ୍ଠ ଅଧୀବକ୍ତା ଦେବାଶିଷ ସାମଲ, ସାହିତ୍ୟିକ ପର୍ଶୁରାମ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ୧୯୪୨ ମସିହା ଅଗଷ୍ଟ ୨୮ ତାରିଖରେ ଧୂଷୁରୀ ଅଂଚଳର ସ୍ୱାଧୀନ ଚେତା ଦେଶପ୍ରେମୀ ସଂଗ୍ରାମୀମାନେ ବ୍ରିଟିଶ ଶାସନ ବିରୋଧରେ ରଣ ହୁଙ୍କାର ଦେଇ ଏ ମାଟିକୁ ସ୍ୱାଧୀନ ଘୋଷଣା କରିଥିଲେ ଏବଂ ସେତେବେଳେ ଏହି ଘଟଣା ରାଜ୍ୟର ସ୍ୱାଧୀନତା ଆନ୍ଦୋଳନକୁ ପ୍ରେରଣା ଯୋଗାଇ ଦେଇଥିଲା ବୋଲି ଅତିଥିମାନେ ମତବ୍ୟକ୍ତ କରି ତତ୍କାଳୀନ ସଂଗ୍ରାମୀମାନଙ୍କ ତ୍ୟାଗ ସର୍ବଦା ସ୍ମରଣୀୟ ବୋଲି କହିଥିଲେ। ରଇପୁରର କାଷ୍ଠଶିଳ୍ପୀ ଧନେଶ୍ୱର ଓଝା, ପ୍ରତିଭାବାନ ଛାତ୍ର ହିତାଂଶୁ ଶେଖର ସାହୁ ଏବଂ ଶ୍ରମଜୀବୀ ପୂର୍ଣଚନ୍ଦ୍ର ଜେନାଙ୍କୁ ଏହି ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ସମାଜସେବୀ କ୍ଷୀରୋଦ ଧଳ ମଂଚ ନିମନ୍ତ୍ରଣ ଏବଂ ପଣ୍ଡିତ ନୃସିଂହ ଚରଣ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।ମଂଚର ସମ୍ପାଦକ ଦୁର୍ଯ୍ୟୋଧନ ତରାଇ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ।ଶିକ୍ଷକ ନେତା ହେମନ୍ତ କୁମାର ସୂତାର ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରଦୀପ୍ତ କିଶୋର ଦାଶ,ନିରୋଦ କୁମାର ବେହେରା, ଶଶି ଭୂଷଣ ପଣ୍ଡା, ନୃସିଂହ ତରାଇ, ଭୂପେନ୍ଦ୍ର ନାୟକ, ଶରତ ଚନ୍ଦ୍ର ସୂତାର,ଜନାର୍ଦ୍ଦନ ନାୟକ,ବଲେଖ ନାୟକ ପ୍ରମୁଖ ଏକଦିବାସୀୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।, ପ୍ରଦୀପ୍ତ ଦାସଙ୍କ ସମେତ ମଂଚର ସମସ୍ତ ସଦସ୍ୟ ଓ ଧୂଷୁରୀ ଅଂଚଳର ବହୁ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ସକାଳେ ବରିଷ୍ଠ ନାଗରିକ ମଂଚର କର୍ମକର୍ତା ଏବଂ ଆଂଚଳିକ ଜନସାଧାରଣଙ୍କ ଦ୍ୱାରା ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।








