Home ଜିଲ୍ଲା ପରିକ୍ରମା ତିନିଶହ ବର୍ଷର ପରମ୍ପରାରେ ଶ୍ରୀ ଶ୍ରୀ ରାଧାଗୋବିନ୍ଦଙ୍କ ଝୁଲଣ ଯାତ୍ରା, ଭାଇଚାରା, ଭକ୍ତି ଓ ପରମ୍ପରାର...

ତିନିଶହ ବର୍ଷର ପରମ୍ପରାରେ ଶ୍ରୀ ଶ୍ରୀ ରାଧାଗୋବିନ୍ଦଙ୍କ ଝୁଲଣ ଯାତ୍ରା, ଭାଇଚାରା, ଭକ୍ତି ଓ ପରମ୍ପରାର ଅନନ୍ୟ ଉତ୍ସବ

9

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମୁନିସିପାଲଟି ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ଜଗନ୍ନାଥପୁର ମଝିସାହିଠାରେ ଶ୍ରୀ ଶ୍ରୀ ରାଧାଗୋବିନ୍ଦଙ୍କ ପବିତ୍ର ଝୁଲଣ ଯାତ୍ରା ମହୋତ୍ସବ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପ୍ରାଚୀନ ପରମ୍ପରା, ଧାର୍ମିକ ଭାବନା ଓ ଭାଇଚାରାର ଏହି ମହାନ ଉତ୍ସବକୁ ନେଇ ମଝିସାହି ସମେତ ଆଖପାଖ ଅଂଚଳ ଉତ୍ସବମୁଖର ହୋଇଉଠିଥିଲା। ଶ୍ରଦ୍ଧାଳୁମାନଙ୍କ ଭିଡ଼ରେ ସମଗ୍ର ପରିବେଶ ଭକ୍ତିରସରେ ଭରିଯାଇଥିଲା।ଏହି ଉତ୍ସବର ମୁଖ୍ୟ ପୁରୋଧା ଡ଼.ବାଙ୍କବିହାରୀ ଦାସଙ୍କ ନେତୃତ୍ୱରେ ଗୋବିନ୍ଦ ଚନ୍ଦ୍ର ଦାସ, ବନବିହାରି ଦାସ, ଅଧିପ ନାରାୟଣ ମହାନ୍ତି, ସୁଦିପ ମହାନ୍ତି, ଅଭୟା ନନ୍ଦ ଦାସ ପ୍ରମୁଖ ଦାୟିତ୍ୱ ସୁଚାରୁରୂପେ ସମ୍ପନ୍ନ କରିଥିଲେ। କୁହାଯାଏ, ଏହି ଝୁଲଣ ଯାତ୍ରା ମଝିସାହିର ଏକ ପୁରାତନ ପ୍ରଥା ଓ ପରମ୍ପରା। ପ୍ରାୟ ତିନିଶହ ବର୍ଷ ଧରି ଏହି ଧାର୍ମିକ ପରମ୍ପରା ଅବିରତ ଭାବେ ଚାଲିଆସୁଛି। ସମୟ ବଦଳିଛି, ପିଢ଼ି ବଦଳିଛି, କିନ୍ତୁ ରାଧାଗୋବିନ୍ଦଙ୍କ ଝୁଲଣ ଯାତ୍ରା ପ୍ରତି ଲୋକଙ୍କ ଭକ୍ତି ଓ ଆସ୍ଥାରେ କୌଣସି ପରିବର୍ତନ ଆସିନାହିଁ। ବିଭିନ୍ନ ସମୟରେ ମନୋମାଳିନ୍ୟ ଓ ମତାନ୍ତର ଥିଲେ ମଧ୍ୟ ଏହି ପର୍ବ ସମସ୍ତଙ୍କୁ ଏକାଠି କରିଆସିଛି। ପରମ୍ପରାର ମୁଖ୍ୟ ଆକର୍ଷଣ ଶୋଭାଯାତ୍ରା ଝୁଲଣ ଯାତ୍ରା ଅବସରରେ ଶ୍ରୀ ଶ୍ରୀ ରାଧାଗୋବିନ୍ଦଙ୍କୁ ସୁନ୍ଦର ଭାବେ ସୁସଜ୍ଜିତ କରାଯାଇଥିଲା। ଧାର୍ମିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସମ୍ପନ୍ନ ହେବା ପରେ ଠାକୁରଙ୍କୁ ଶୋଭାଯାତ୍ରାରେ ନିଆଯାଇଥିଲା। ଘୁମୁରା, ମାଦଳ, ମୃଦଙ୍ଗ, ଘଂଟ ଓ କୀର୍ତନର ଧ୍ୱନିରେ ପରିବେଶ ମୁଖରିତ ହୋଇଥିଲା। ଭକ୍ତମାନେ ଭଜନ ଓ କୀର୍ତନ କରିକରି ଠାକୁରଙ୍କୁ ସାହି ପରିକ୍ରମା କରାଇ ଯାତ୍ରା ମଣ୍ଡପରେ ପହଂଚାଇଥିଲେ। ଯାତ୍ରା ମଣ୍ଡପରେ ସୁନ୍ଦର ଭାବେ କୁଞ୍ଜ ପ୍ରସ୍ତୁତ କରାଯାଇଥିଲା। ଶ୍ରୀ ଶ୍ରୀ ରାଧାଗୋବିନ୍ଦଙ୍କୁ କୁଞ୍ଜରେ ବିଜେ କରାଯିବା ପରେ ପାରମ୍ପରିକ ରୀତିରେ କୁଞ୍ଜ ଝୁଲାଯାଇଥିଲା। ଏହି କୁଞ୍ଜ ଝୁଲାଇବା ଦୃଶ୍ୟ ଭକ୍ତମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଥିଲା। ଭକ୍ତମାନେ ଶ୍ରୀ ରାଧାଗୋବିନ୍ଦଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ। ଏକତା ଓ ଭାଇଚାରାର ବାର୍ତା। ଏହି ଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଏହା ଗାଁର ଏକତା, ସଂହତି ଓ ଭାଇଚାରାର ଏକ ଜୀବନ୍ତ ପ୍ରତୀକ ବୋଲି କହିଛନ୍ତି ଆୟୋଜକମାନେ। ପୂର୍ଣ୍ଣିମା ଦିନ ଗାଁର ଲୋକମାନେ ନିଜ ନିଜ ମତାନ୍ତର ଓ ମନୋମାଳିନ୍ୟକୁ ଭୁଲି ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥାନ୍ତି। ଦୂରଦୂରାନ୍ତରେ ରହୁଥିବା ଗାଁର ଲୋକମାନେ ମଧ୍ୟ ଏହି ପୁରାତନ ପରମ୍ପରାରେ ସାମିଲ ହେବା ପାଇଁ ନିଜ ଗାଁକୁ ଫେରି ଆସିଥାନ୍ତି। ଆୟୋଜକ ବାଙ୍କୁବିହାରୀ ଦାସଙ୍କ କହିବା ଅନୁଯାୟୀ, ଝୁଲଣ ଯାତ୍ରା ଆମ ଗାଁର ଏକ ପୁରୁଣା ପ୍ରଥା। ଏହି ପରମ୍ପରାକୁ ଗୋବିନ୍ଦଚନ୍ଦ୍ର ଦାସ, ତାଙ୍କ ପୁତ୍ର ଅଭୟାନନ୍ଦ ଦାସଙ୍କ ସମେତ ଅନେକ ବ୍ୟକ୍ତି ଦୀର୍ଘଦିନ ଧରି ଆଗେଇ ନେଇଆସୁଛନ୍ତି। ତେର ଦିନିଆ ଯାତ୍ରାରେ ବିଭିନ୍ନ ପରିବାର ଓ ଆୟୋଜକଙ୍କ ପକ୍ଷରୁ ପାଳିକ୍ରମେ ଦାୟିତ୍ୱ ନିଆଯାଇ ଏହି ଉତ୍ସବକୁ ସମ୍ପନ୍ନ କରାଯାଏ। ପରମ୍ପରାକୁ ବଂଚାଇ ରଖିବାକୁ ପ୍ରୟାସ ବାଙ୍କବିହାରୀ ଦାସ କହିଛନ୍ତି ଯେ, ଝୁଲଣ ଯାତ୍ରା ମାଧ୍ୟମରେ ଗାଁର ପୁରାତନ ସଂସ୍କୃତି ଓ ପରମ୍ପରାକୁ ଆଜିର ପିଢ଼ି ସହ ଯୋଡ଼ି ରଖାଯାଉଛି। ଯୁବପିଢ଼ି ମଧ୍ୟ ଏହି ପରମ୍ପରାରେ ଉତ୍ସାହର ସହିତ ସାମିଲ ହେଉଥିବାରୁ ଆଗାମୀ ଦିନରେ ମଧ୍ୟ ଏହା ଅବିରତ ଭାବେ ଚାଲିବ ବୋଲି ଆଶା ପ୍ରକାଶ ପାଇଛି। ମଝିସାହି ସମେତ ଉପରସାହି ଓ କର ସାହିରେ ମଧ୍ୟ ଏଭଳି ପାରମ୍ପରିକ ଝୁଲଣ ଯାତ୍ରା ପାଳନ କରାଯାଉଥିବା କୁହାଯାଇଛି। ଧର୍ମ, ପରମ୍ପରା ଓ ସାମାଜିକ ଏକତାକୁ ଏକାଠି କରିଥିବା ଏହି ଉତ୍ସବ ଅଂଚଳବାସୀଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି। ଏହି ଅବସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ଭକ୍ତ ଯୋଗଦେଇ ଶ୍ରୀ ଶ୍ରୀ ରାଧାଗୋବିନ୍ଦଙ୍କ ଦର୍ଶନ କରିଥିଲେ। ଭଜନ, କୀର୍ତନ ଓ ଧାର୍ମିକ କାର୍ଯ୍ୟକ୍ରମ ସହ ମହୋତ୍ସବର ପରିବେଶ ଆନନ୍ଦମୟ ହୋଇଉଠିଥିଲା। ଆୟୋଜକ ଓ ଅଂଚଳବାସୀଙ୍କ ସହଯୋଗରେ ସମଗ୍ର ମହୋତ୍ସବ ଶାନ୍ତି, ଶୃଙ୍ଖଳା ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.