ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଲଗାତାର ଲଘୁଚାପଜନିତ ପ୍ରବଳ ବର୍ଷା ଏବଂ ବୈତରଣୀ ନଦୀର କ୍ରମାଗତ ବନ୍ୟା । ଧାମନଗର ବ୍ଲକରେ ପୁଣିଥରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ଗତ ଦୁଇ ମାସ ଭିତରେ ବ୍ଲକରେ ଏହା ହେଉଛି ଷଷ୍ଠ ବନ୍ୟା, ଯାହାକି ସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କରି ପକାଇଛି।ବୈତରଣୀ ଏବଂ ଏହାର ଶାଖା ନଦୀ କୋଚିଳାର ପଛୁଆ ବନ୍ୟାଜଳ ପ୍ରବେଶ କରିବାରୁ ବ୍ଲକର ହସନାବାଦ, ଅର୍ଜୁନପୁର ଏବଂ ପଧାନୀ ପଂଚାୟତର ବହୁ ଗ୍ରାମ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବାରମ୍ବାର ଏପରି ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇ ଅଂଚଳବାସୀ ସମ୍ପୂର୍ଣ୍ଣ ବେହାଲ ହୋଇପଡ଼ିଛନ୍ତି। ବନ୍ୟାଜଳ ଘରଦ୍ୱାର ଓ ରାସ୍ତାଘାଟରେ ଜମି ରହିବାରୁ ଯାତାୟାତ ଏକପ୍ରକାର ଠପ ହୋଇଯାଇଛି।ବିଶେଷ କରି ବାରମ୍ବାର ବନ୍ୟା ଯୋଗୁ ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି। କ୍ଷେତରେ ପାଣି ଜମି ରହିବା କାରଣରୁ ହଜାର ହଜାର ଏକର ଜମିର ଧାନ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ବର୍ଷକର ଗୁଜୁରାଣ ମେଂଟାଇବା ପାଇଁ କରିଥିବା ଚାଷ ନଷ୍ଟ ହୋଇଯିବାରୁ ଚାଷୀକୁଳ ଚିନ୍ତାରେ ମଜ୍ଜି ରହିଛନ୍ତି।ତେବେ ଏହି ଦୁର୍ଦ୍ଦିନରେ ବନ୍ୟାବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବିଭିନ୍ନ ସ୍ୱେଚ୍ଛାସେବୀ ଓ ସାମାଜିକ ଅନୁଷ୍ଠାନ। ବନ୍ୟାଂଚଳରେ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ଜରୁରୀ ସାମଗ୍ରୀ ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ତଥାପି ପ୍ରଶାସନ ପକ୍ଷରୁ ତ୍ୱରିତ ରିଲିଫ୍ ଓ କ୍ଷୟକ୍ଷତି ଆକଳନ କରାଯାଇ ସଠିକ୍ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।
Home ଜିଲ୍ଲା ପରିକ୍ରମା ଦୁଇ ମାସରେ ଷଷ୍ଠ ବନ୍ୟା, ଧାମନଗର ବ୍ଲକର ହସନାବାଦ, ଅର୍ଜୁନପୁର ଓ ପଧାନୀ ପଂଚାୟତରେ ବ୍ୟାପକ...








