Home ଜିଲ୍ଲା ପରିକ୍ରମା ଦୃଷ୍ଟିହୀନ ସୁରେନ୍ଦ୍ରଙ୍କ ଅକୁହା କଥା, ଦାଦନରେ ଯାଇ ପୁଅର ଚିତା ଜଳିଲା, ଘରେ ୭ ମାସର...

ଦୃଷ୍ଟିହୀନ ସୁରେନ୍ଦ୍ରଙ୍କ ଅକୁହା କଥା, ଦାଦନରେ ଯାଇ ପୁଅର ଚିତା ଜଳିଲା, ଘରେ ୭ ମାସର ଶିଶୁପୁତ୍ର ସହ ବିଧବା ବୋହୂ, ପର ଦୁଆରେ ଖଟୁଛି ୬୯ ବର୍ଷିୟା ସ୍ତ୍ରୀ କୁନ୍ତଳା

15

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏ ସମାଜରେ ଅନେକ ସମୟରେ ଏଭଳି ନିଛକ ଘଟଣା ଘଟେ, ଯାହା କାହାଣୀ ଭଳି ହେଲେ ବି ସତ ହୋଇଥାଏ। ଘଟଣା ଚକ୍ରରେ ଏହି ଜିଲାର କଲ୍ୟାଣୀ ପଂଚାୟତର ଦୃଷ୍ଟିହୀନ ସୁରେନ୍ଦ୍ରଙ୍କ ଜୀବନର ଅଡୁଆ ସୂତା ଏଭଳି ଛନ୍ଦି ହୋଇଯାଇଛି ଯେ, ତାହା ଯେକୌଣସି ସମ୍ବେଦନଶୀଳ ମଣିଷର ଆଖିରୁ ଆପେ ଆପେ ଲୁହ ଗଡାଇଦେବ। ନିୟତିର କ୍ରୂର ପ୍ରହାର ଓ ପ୍ରଶାସନିକ ନିଷ୍ଠୁରତା ଭିତରେ ଗୋଟିଏ ପରିବାର କିପରି ତିଳ ତିଳ ହୋଇ ଜଳୁଛି, ତାହାର ଦୟନୀୟ ଚିତ୍ର ଏଠାରେ ଦେଖିବାକୁ ମିଳିଛି। ଗାଁର ୬୯ ବର୍ଷୀୟା ବୃଦ୍ଧା କୁନ୍ତଳା ବାରିକ। ଜରାଜୀର୍ଣ୍ଣ, କ୍ଷୀଣ ଶରୀରକୁ ବିଭିନ୍ନ ରୋଗର ଯନ୍ତ୍ରଣା। ସିଧା ହୋଇ ଉଠିବସିବାର ସାମର୍ଥ୍ୟ ନାହିଁ। ହେଲେ ପରିସ୍ଥିତି ଏତେ ନିର୍ଦ୍ଦୟ ଯେ, ଏହି ବୟସରେ ବି ତାଙ୍କୁ ପର ଦୁଆରେ ପାଇଟେ କରିବାକୁ ପଡ଼ୁଛି। ସେଥିରୁ ଯାହା ମିଳୁଛି, ସେତିକିରେ ଘରର ଚୁଲି ଜଳୁଛି। ତାଙ୍କ ୭୬ ବର୍ଷର ସ୍ୱାମୀ ସୁରେନ୍ଦ୍ର ବାରିକ ସଂପୂର୍ଣ୍ଣ ଦୃଷ୍ଟିହୀନ। ଦୁଇ ଆଖିକୁ ଆଦୌ ଦିଶୁନାହିଁ। ସରକାରଙ୍କଠାରୁ ମିଳୁଥିବା ମାସିକ ୧୦୦୦ ଟଙ୍କାର ଭତା ହିଁ ସେମାନଙ୍କ ଶେଷ ସାହା ଭରସା ଥିଲା। ମାତ୍ର ପ୍ରଶାସନିକ ନିଷ୍ଠୁରତାର ସୀମା ଦେଖନ୍ତୁ, ଗତ ଏପ୍ରିଲ ମାସରୁ ସୁରେନ୍ଦ୍ରଙ୍କ ଭତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଭତା ଗଣ୍ଡିକ ପାଇଁ ଗାଁର ସହୃଦୟ ଯୁବକଙ୍କ ସାହାଯ୍ୟ ନେଇ ସେ ବାରମ୍ବାର ବ୍ଲକ କାର୍ଯ୍ୟାଳୟ ଦୌଡ଼ିଛନ୍ତି, ହେଲେ ଆଜି ଯାଏଁ ନିରାଶ ହୋଇ ଫେରିଛନ୍ତି। ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ ୩୩ ବର୍ଷୀୟ ଦୀପକ ବାରିକ। ଭାଗବାନପୁର ପଂଚାୟତ ପଳିକିରୀର ନମିତାଙ୍କୁ ବାହା ହୋଇ ସେ ବେଶ୍ ଖୁସିରେ ସଂସାର ଗଢ଼ିବାର ସ୍ୱପ୍ନ ଦେଖିଥିଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା, ବିବାହର ମାତ୍ର ୧୦ ମାସ ପରେ, ୨୦୨୫ ଡିସେମ୍ବର ୧୩ରେ ତେଲଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲା ମାଲାପୁର ଅଂଚଳରେ ଦାଦନ ଖଟିବା ବେଳେ ଦୀପକଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା। କାନ୍ଥରୁ ବିବାହ ଚିତା ଲିଭିବା ପୂର୍ବରୁ ନମିତାଙ୍କ ସିନ୍ଥିରୁ ସିନ୍ଦୂର ପୋଛି ହୋଇଗଲା। ଘରର ଆର୍ôଥକ ସ୍ଥିତି ଏତେ ଶୋଚନୀୟ ଥିଲା ଯେ, ପୁଅର ମୃତଦେହ ରାଜ୍ୟ ବାହାରୁ ଆଣିବାକୁ ବି ପରିବାର ଲୋକଙ୍କ ସାମର୍ଥ୍ୟ ନଥିଲା। ଶେଷରେ ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆନ୍ତରିକ ପ୍ରଚେଷ୍ଟା ଓ ଗ୍ରାମବାସୀଙ୍କ ସହଯୋଗରେ ମୃତଦେହ ଗାଁକୁ ଆସି ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ବେଳକୁ ନମିତା ୮ ମାସର ଗର୍ଭବତୀ ଥିଲେ। ଏବେ ତାଙ୍କ ପୁଅକୁ ୬ରୁ ୭ ମାସ। କାଖରେ ଛୋଟ ଶିଶୁ ଏବଂ ଘରେ ଦୁଇଜଣ ଅସହାୟ ବୃଦ୍ଧବୃଦ୍ଧା। ଛୋଟ ପୁଅଟିକୁ ମଣିଷ କରିବାର ସ୍ୱପ୍ନ ଦେଖିଥିବା ନମିତା ଏବେ ଉପାୟହୀନ। ସେ ବିଧବା ଭତାରୁ ମଧ୍ୟ ବଂଚିତ ଅଛନ୍ତି। ସେ ନିଜେ କୌଣସି କାମ କରିବାକୁ ବାହାରକୁ ଯାଇପାରୁନାହାନ୍ତି, ଅନ୍ୟପଟେ ନିଷ୍ପାପ ଶିଶୁଟିକୁ ଟୋପାଏ ପୁଷ୍ଟିକର ଖାଦ୍ୟ ଦେବା ବି ସମ୍ଭବ ହେଉନି। ନିଜର ବୋଲି ଜମିବାଡ଼ି କିଛି ନାହିଁ, କେବଳ ମୁଣ୍ଡ ଗୁଞ୍ଜିବାକୁ ଆଜବେଷ୍ଟସ ଘରଟିଏ ଅଛି। ମାତ୍ର ୯ ମାସର ସଂସାର ଭାଙ୍ଗିଯିବା ପରେ କୋଳର ଶିଶୁ, ଅନ୍ଧ ଶ୍ୱଶୁର ଓ ବେମାର ଶାଶୂଙ୍କୁ ନେଇ ନମିତା କେଉଁ ସାହସରେ ଜୀବନ ସହ ସଂଗ୍ରାମ କରିବେ ଏଭଳି ଦୟନୀୟ ସ୍ଥିତିରେ ପ୍ରଶାସନ ତୁରନ୍ତ ଦୃଷ୍ଟିହୀନ ସୁରେନ୍ଦ୍ରଙ୍କୁ ବନ୍ଦ ଭତା ଦେବା ସହ ଏହି ଅସହାୟ ପରିବାରକୁ ଜରୁରୀକାଳୀନ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ପ୍ରବଳ ଦାବି ହେଉଛି। ଏନେଇ ନମିତା ଦୁଇ ଥର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସି ଗୁହାରି କରିଥିଲେ ବି କୌଣସି ସୁଫଳ ମିଳିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.