Home ଜିଲ୍ଲା ପରିକ୍ରମା ବନ୍ୟା ପରେ ରୋଗ ଭୟ, ଧାମନଗରରେ ମେଗା ସ୍ୱାସ୍ଥ୍ୟ ଶିବିର, ୧୮ ବିଭାଗର ବିଶେଷଜ୍ଞ ଡାକ୍ତର,...

ବନ୍ୟା ପରେ ରୋଗ ଭୟ, ଧାମନଗରରେ ମେଗା ସ୍ୱାସ୍ଥ୍ୟ ଶିବିର, ୧୮ ବିଭାଗର ବିଶେଷଜ୍ଞ ଡାକ୍ତର, ୪୦ରୁ ଅଧିକ ପାରାମେଡିକାଲ୍ କର୍ମଚାରୀ ନିୟୋଜିତ

7

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାରମ୍ବାର ବନ୍ୟାରେ ଧାମନଗର ବ୍ଲକର ଜନଜୀବନ ପ୍ରଭାବିତ ହେଉଥିବାବେଳେ ବନ୍ୟା ପରବର୍ତୀ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ପାଲଟିଛି। ଦୂଷିତ ବନ୍ୟାଜଳ ଓ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଡାଇରିଆ, ଟାଇଫଏଡ୍‌, ଚର୍ମରୋଗ, ଚକ୍ଷୁ ସଂକ୍ରମଣ ସହ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗର ଆଶଙ୍କା ରହିଛି। ଏଭଳି ସମୟରେ ବନ୍ୟା ପ୍ରଭାବିତଙ୍କୁ ତ୍ୱରିତ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଧାମନଗର ବ୍ଲକ କରଦାସ୍ଥିତ ପ୍ରଫୁଲ୍ଲ ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଏହି ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶିବିରକୁ ଉଦ୍‌ଘାଟନ କରିଥିଲେ। ଶିବିରରେ ଶତାଧିକ ଅଂଚଳବାସୀ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସେବା ନେଇଥିଲେ। ଶିବିରରେ ୧୮ଟି ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ସହ ୪୦ରୁ ଅଧିକ ପାରାମେଡିକାଲ୍ କର୍ମଚାରୀ ନିୟୋଜିତ ହୋଇଥିଲେ। ବିଭିନ୍ନ ବିଭାଗରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ଓ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଥିଲା। ଏଥିସହ ସ୍ୱତନ୍ତ୍ର ଚକ୍ଷୁ ଚିକିତ୍ସା ୟୁନିଟ୍ ଖୋଲାଯାଇ ନିଃଶୁଳ୍କ ଆଖି ପରୀକ୍ଷା ଓ ଚିକିତ୍ସା ପରାମର୍ଶ ଦିଆଯାଇଥିଲା। ରୋଗୀଙ୍କୁ ଆବଶ୍ୟକ ଔଷଧ ମଧ୍ୟ ମାଗଣାରେ ପ୍ରଦାନ କରାଯାଇଥିଲା। ବନ୍ୟା ପରେ ଦୂଷିତ ପାଣି ଓ ଖାଦ୍ୟ ଯୋଗୁଁ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ରହୁଥିବାବେଳେ ଜମି ରହିଥିବା ବନ୍ୟାଜଳ ଯୋଗୁଁ ମଶାବାହିତ ରୋଗ ବଢ଼ିବାର ମଧ୍ୟ ଆଶଙ୍କା ରହିଛି। ଏନେଇ ଶିବିରରେ ଲୋକଙ୍କୁ ସ୍ୱଚ୍ଛ ପାଣି ପିଇବା, ଖାଦ୍ୟକୁ ସୁରକ୍ଷିତ ରଖିବା ଓ ଅସୁସ୍ଥ ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସଚେତନ କରାଯାଇଥିଲା। ସମାଜର ଶେଷ ସୀମାରେ ଥିବା ଲୋକଙ୍କ ନିକଟରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଂଚାଇବା ସହ ପ୍ରତ୍ୟେକ ଜୀବନକୁ ସୁରକ୍ଷିତ ରଖିବା ସରକାରଙ୍କ ପ୍ରାଥମିକତା ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ। ବନ୍ୟା ପରବର୍ତୀ ସମୟରେ ଧାମନଗରରେ ଏଭଳି ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହେବା ଦ୍ୱାରା ଅଂଚଳବାସୀଙ୍କୁ ବିଶେଷ ସହାୟତା ମିଳିପାରିଛି। ଏଥିରେ ଅରବିନ୍ଦ ପତି, ଅଶୋକ ପୁହାଣ, ମନୋଜ ମଲ୍ଲିକ, ପ୍ରମୋଦ ସୁତାର, ହୃଦାନନ୍ଦ କର, ଲକ୍ଷ୍ମୀଧର ପାଣିଗ୍ରାହି, ସୌମ୍ୟରଞ୍ଜନ ଦାଶ, ବୁନୁ ଦାଶ ସମେତ ଅନ୍ୟମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.