ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରେବ ନଦୀର ସ୍ରୋତରେ ଭାସିଯାଇ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି।ମୃତ ଯୁବତୀ ହେଉଛନ୍ତି ଧାମନଗର ବ୍ଲକ ଦଇପୁର ପଂଚାୟତ ଅନ୍ତର୍ଗତ ନାରାୟଣପୁର ଗ୍ରାମର ଇପ୍ସିତା ନାଥ(୧୮)।ଏହି ଘଟଣାରେ ଜଣେ ଅଟୋ ଡ୍ରାଇଭରଙ୍କ ଦ୍ୱାରା ଅନ୍ୟ ତିନିଜଣ ଉଦ୍ଧାର ହୋଇଛନ୍ତି।ଆଜି ରବିବାର ଖୁଦୁରୁକୁଣୀ ପୂଜା ଥିବା ବେଳେ ନାରାୟଣପୁର ଗ୍ରାମର ଚକ୍ରଧର ନାଥଙ୍କ ଝିଅ ଇପ୍ସିତା ଏବଂ ତାଙ୍କର ତିନି ଜଣ ସାଙ୍ଗ ଶୁଭଶ୍ରୀ ଅର୍ପିତା ଏବଂ ରାଧା ମିଶି ନିକଟସ୍ଥ ରେବ ନଦୀକୁ ଗାଧୋଇବା ପାଇଁ ଆସିଥିଲେ।ସମସ୍ତେ ଗାଧୋଇ ସାରି ଖୁଦୁରୁକୁଣୀ ପୂଜା କରିଥାନ୍ତେ।ହେଲେ ବିଧିର ବିଧାନ କିଛି ଅଲଗା ଥିଲା।ଏବେ ନଦୀରେ ଅଧିକ ପାଣି ସହିତ ପ୍ରଖର ସ୍ରୋତ ଥିବା ବେଳେ ଗାଧୋଉଥିବା ଚାରି ସାଙ୍ଗ ଭାସି ଯାଇଥିଲେ।ଶୁଭଶ୍ରୀ ଅର୍ପିତା ଏବଂ ରାଧା ନଦୀରେ ଥିବା ଛୋଟ ଛୋଟ ଗଛକୁ ଧରି କୌଣସି ପ୍ରକାର ଅଟକି ରହିଥିଲା ସ୍ଥଳେ ଇପ୍ସିତା କିନ୍ତୁ ଭାସି ଯାଇଥିଲେ।ଗଛକୁ ଧରି ପାଣିରେ ବୁଡି ରହିଥିବା ତିନି ଜଣ ବଂଚାଇବା ପାଇଁ ଚିତ୍କାର କରୁଥିଲା ବେଳେ ସେହି ସମୟରେ ନିକଟସ୍ଥ ତାଳସିଠା ଅଂଚଳର ଜଣେ ଅଟୋ ଚାଳକ ଏହା ଶୁଣି ଅଟକି ଯାଇଥିଲେ ଏବଂ ସେ ଉପସ୍ଥିତ ବୁଦ୍ଧି ଖଟାଇ ଏକ ତିନି ସାଙ୍ଗଙ୍କୁ ନଦୀରୁ ଉଦ୍ଧାର କରିଥିଲେ।ଇପ୍ସିତା ଭାସି ଯାଇଥିବା ଖବର ପାଇ ସ୍ଥାନୀୟ ଲୋକମାନେ ଖୋଜାଖୋଜି କରିଥିଲେ ଏବଂ ପ୍ରାୟ ଘଂଟାଏ ପରେ ତାଙ୍କୁ ନଦୀର ଦଳ ଭର୍ତି ଏକ ସ୍ଥାନରୁ ଉଦ୍ଧାର କରାଯାଇଥିଲା।ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।ସେଠାରେ ଡାକ୍ତର ଇପ୍ସିତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ ଇପ୍ସିତା ଧାମନଗର ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ଥିଲେ।ଏନେଇ ଧାମନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ଇପ୍ସିତାଙ୍କ ଆକସ୍ମିକ ମୃତ୍ୟୁରେ ପୁରା ଗାଁ ସ୍ତବ୍ଧ ହୋଇଯାଇଛି।ଝିଅମାନଙ୍କର ଖୁଦୁରୁକୁଣୀ ପୂଜା ମଧ୍ୟ ବନ୍ଦ ରହିଛି।ପାଣିରେ ବୁଡି ଯାଇ ଅଳ୍ପକେ ବଂଚି ଯାଇଥିବା ଅନ୍ୟ ତିନି ଜଣ ଝିଅ ସୁସ୍ଥ ଥିବା ଜଣାଯାଇଛି।ଇପ୍ସିତାଙ୍କ ମୃତ୍ୟୁରେ ଧାମନଗର ବିଧାୟକ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୋକ ପ୍ରକାଶ କରିଛନ୍ତି।








