Home ଜିଲ୍ଲା ପରିକ୍ରମା ନୟନଯୋରୀ ଜମିରେ ଉଠୁଛି ପିଲାର, ପ୍ରଶାସନ ନିରବ, ଧାମନଗର ୟୁକୋ ବ୍ୟାଙ୍କ ସମ୍ମୁଖ ପୂର୍ତ ବିଭାଗ...

ନୟନଯୋରୀ ଜମିରେ ଉଠୁଛି ପିଲାର, ପ୍ରଶାସନ ନିରବ, ଧାମନଗର ୟୁକୋ ବ୍ୟାଙ୍କ ସମ୍ମୁଖ ପୂର୍ତ ବିଭାଗ ଜମିରେ ନିର୍ମାଣ ଅଭିଯୋଗ

6

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଜମି ଜବରଦଖଲ ନେଇ ଧାମନଗର ବଜାରରେ ପୁଣି ଉଠିଛି ବଡ଼ ପ୍ରଶ୍ନ।ଧାମନଗର ୟୁକୋ ବ୍ୟାଙ୍କ ପାଖ ପୂର୍ତ ବିଭାଗ ନାମରେ ରହିଥିବା ‘ନୟନଯୋରି’ କିସମର ଜମିରେ ନିର୍ମାଣ କାର୍ଯ୍ୟ ଚାଲିଥିବା ନେଇ ସ୍ଥାନୀୟ ମହଲରୁ ଅଭିଯୋଗ ଆସିଛି। ଇଟା, ବାଲି ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ଗଦା କରାଯିବା ସହ କଂକ୍ରିଟ ପିଲାର ନିର୍ମାଣ ହେଉଥିବା ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି।ରାଜସ୍ୱ ରେକର୍ଡ ଅନୁଯାୟୀ, ଧାମନଗର ମୌଜାର ଖାତା ନଂ. ୧୯୦୬, ପ୍ଲଟ୍ ନଂ. ୨୪୦/୪୨୩୫ରେ ଥିବା ଜମି ପୂର୍ତ ବିଭାଗ ନାମରେ ରହିଥିବା ଏବଂ ଏହାର କିସମ ‘ନୟନଯୋଡ଼ି’ ଭାବେ ରେକର୍ଡଭୁକ୍ତ ଥିବା କୁହାଯାଉଛି। ଏପରି ଜମିରେ ବ୍ୟକ୍ତିଗତ ନିର୍ମାଣ କେଉଁ ଆଧାରରେ ଚାଲିଛି, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।ସ୍ଥାନୀୟ ଅଭିଯୋଗ ଅନୁସାରେ, ନିକଟସ୍ଥ ଜଣେ ଘରମାଲିକ ଉକ୍ତ ଜମିର କିଛି ଅଂଶକୁ ନିଜ ଆୟତରେ ନେଇ ସିଡ଼ିଘର ଓ ଦୋକାନ ଘର ନିର୍ମାଣ ପାଇଁ ଉଦ୍ୟମ କରୁଛନ୍ତି। ଆଶ୍ଚର୍ଯ୍ୟର ବିଷୟ, ଜମିର ସୀମା ଚିହ୍ନଟ ପାଇଁ ପୂର୍ତ ବିଭାଗ ପକ୍ଷରୁ ପୂର୍ବରୁ ପିଲାର ପୋତାଯାଇଥିବା ସତ୍ୱେ ନିର୍ମାଣ ଜାରି ରହିଥିବା ଅଭିଯୋଗ ହୋଇଛି। ତେବେ ବିଭାଗୀୟ ପିଲାର ପୋତାଯିବା ପରେ ମଧ୍ୟ ଯଦି ନିର୍ମାଣ ଚାଲିଥାଏ, ତେବେ ଏହାକୁ ରୋକିବାରେ ବିଭାଗ ଏଯାଏ କାହିଁକି ପଦକ୍ଷେପ ନେଇନାହିଁ ତାହା ସାଧାରଣ ରେ ବଡ ପ୍ରଶ୍ନ ସୃଷ୍ଟି କରିଛି। ଅନ୍ୟପକ୍ଷରେ ‘ନୟନଯୋଡ଼ି’ ଭାବେ ରେକର୍ଡଭୁକ୍ତ ଜମିରେ ନିର୍ମାଣ ହେଲେ ଭବିଶ୍ୱତରେ ଜଳ ନିଷ୍କାସନ ବ୍ୟବସ୍ଥା ହେଲେ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ରହିଛି। ସରକାରୀ ଜମିର ସୁରକ୍ଷା ଓ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ନେଇ ଏପରି ଅଭିଯୋଗକୁ ହାଲୁକା ଭାବେ ନନେଇ ତୁରନ୍ତ ମାପଚୁପ କରାଯାଇ ଜମିର ପ୍ରକୃତ ସୀମା ନିର୍ଦ୍ଧାରଣ କରାଯିବା ଆବଶ୍ୟକ ବୋଲି ଦାବି ହେଉଛି। ଏଥିସହ ନିର୍ମାଣ କାର୍ଯ୍ୟର ବୈଧତା, ଜମିର ମାଲିକାନା ଓ ଆବଶ୍ୟକ ଅନୁମତି ରହିଛି କି ନାହିଁ ସେସବୁ ଯାଂଚ କରିବାକୁ ମଧ୍ୟ ଦାବି ହୋଇଛି।ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସରକାରୀ ରେକର୍ଡରେ ଥିବା ଜମିର ସୀମା ଯଦି ବିଭାଗ ଜାଣିଛି, ତେବେ ନିର୍ମାଣ ଆରମ୍ଭ ହେବା ପରେ ମଧ୍ୟ ପ୍ରଶାସନ କାହିଁକି ନିରବ। ଅଭିଯୋଗ ଉପରେ ତୁରନ୍ତ ତଦନ୍ତ ହୋଇ ଜମି ସରକାରୀ କି ନୁହେଁ, ନିର୍ମାଣ ଆଇନସମ୍ମତ କି ନୁହେଁ ଏବଂ କୌଣସି ଜବରଦଖଲ ହୋଇଛି କି ନାହିଁ ତାହା ସ୍ପଷ୍ଟ କରିବା ଜରୁରୀ ହୋଇପଡ଼ିଛି।ତହସିଲ ପ୍ରଶାସନ ଓ ପୂର୍ତ ବିଭାଗ ମିଳିତ ଭାବେ ସ୍ଥଳ ପରିଦର୍ଶନ କରି ତୁରନ୍ତ ତଦନ୍ତ କରିବା ସହ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସରକାରୀ ଜମି ରକ୍ଷାରେ ପ୍ରଶାସନର ଆଗାମୀ ପଦକ୍ଷେପ କ’ଣ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.